କଟକ,୦୩/୧୨: ପ୍ରଥମ ଥର ‘ନାଲିମାଟି’ ପିଚରେ ହେବ ବାରବାଟୀ ଲଢ଼େଇ । ଆସନ୍ତା ୯ ତାରିଖରେ ଖେଳାଯିବ ମ୍ୟାଚ । ଭାରତ-ଦକ୍ଷିଣ ଆଫ୍ରିକା ହେବେ ମୁହାଁ ମୁହିଁ । ଏହି ଟି-ଟ୍ୱେଣ୍ଟି ମ୍ୟାଚକୁ ଆଉ ମାତ୍ର ସପ୍ତାହେ ବାକି ଥିବା ବେଳେ ବାରବାଟୀରେ ପ୍ରସ୍ତୁତି ପର୍ବ ଜୋରଦାର କରାଯାଉଛି । ଆଜି ବିସିସିଆଇ ପିଚ୍ କ୍ୟୁରେଟର୍ ଆଶିଷ ଭୌମିକ ବାରବାଟୀ ଷ୍ଟାଡିୟମ୍ ଆସି ପିଚ୍ ଓ ଆଉଟ୍ଫିଲ୍ଡ ନିରୀକ୍ଷଣ କରିଛନ୍ତି । ବାରବାଟୀରେ ଉଭୟ ନାଲି ଓ କଳା ମାଟି ପିଚ୍ ରହିଛି । ନାଲି ମାଟି ପିଚ୍ରେ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପିଚରେ ୨୦୦ରୁ ଅଧିକ ସ୍କୋର୍ ହେବାର ଆଶା ରଖିଛନ୍ତି କ୍ୟୁରେଟର୍ । କୁହୁଡି ଓ କାକର ପଡ଼ିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ହାଇସ୍କୋରିଂ ପିଚ୍ ପ୍ରସ୍ତୁତ କରାଯାଇଛି । ବାରବାଟୀ ଷ୍ଟାଡିୟମ୍ରେ ପୂର୍ବରୁ କେବଳ କଳାମାଟି ପିଚ୍ ରହିଥିଲା ।
କଳାହାଣ୍ଡିର ମାଟିରେ ପ୍ରସ୍ତୁତ ପିଚ୍ରେ ବାରବାଟୀରେ ଖେଳାଯାଉଥିଲା ଅନ୍ତର୍ଜାତୀୟ ମୁକାବିଲା । କିନ୍ତୁ ଭାରତର ଅଗ୍ରଣୀ କ୍ରିକେଟ ଷ୍ଟାଡିୟମ୍ ଗୁଡିକରେ ନାଲି ମାଟି ପିଚ୍ରେ ମ୍ୟାଚ ହେଉଥିବାରୁ ବିସିସିଆଇ ପରାମର୍ଶରେ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ନାଲିମାଟି ପିଚ୍ ପାଇଁ ଯୋଜନା ହୋଇଥିଲା । କରୋନା ମହାମାରୀ ସମୟରେ ମହାରାଷ୍ଟ୍ରରୁ ମାଟି ଆଣି ବାରବାଟୀରେ ପିଚ୍ ତିଆରି କରାଯାଇଥିଲା । ଏବେ ଏଠାରେ ଦୁଇଟି ନାଲିମାଟି ଓ ତିନୋଟି କଳାମାଟିରେ ପ୍ରସ୍ତୁତ ମୁଖ୍ୟ ପିଚ୍ ରହିଥିବା ବେଳେ ୩ଟି ଲେଖାଏଁ ନାଲି ଓ କଳାମାଟିର ଅଭ୍ୟାସ ପିଚ୍ ରହିଛି ।
ଗତ ଫେବ୍ରୁଆରୀ ୯ରେ ଭାରତ ଇଂଲଣ୍ଡ ମୁକାବିଲା କଳାମାଟି ପିଚ୍ରେ ଖେଳାଯାଇଥିଲା । ସେତେବେଳେ ପ୍ରାୟ ୫ ବର୍ଷ ବ୍ୟବଧାନରେ ମ୍ୟାଚ ହୋଇଥିବାରୁ ନାଲିମାଟି ପିଚ୍ ସତ୍ତେ୍ୱ କୌଣସି ରିସ୍କ୍ ନିଆଯାଇନଥିଲା । କଳାମାଟିରେ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ଇତି ମଧ୍ୟରେ ଦୁଇ ସିଜନ୍ ଧରି ନାଲିମାଟିରେ ଅନେକ ଘରୋଇ ମ୍ୟାଚ ଖେଳାଯାଇଛି । ଏମିତିକି ରଣଜୀ ଟ୍ରଫି ମ୍ୟାଚ ବି ନାଲି ମାଟିରେ କରାଯାଇଥିବା ବେଳେ ପିଚ୍ର ସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ପରଖି ଦିଆଯାଇଛି । ନାଲିମାଟି ବର୍ତ୍ତମାନର ସ୍ଥିତିକୁ ସୁହାଇବ ବୋଲି ଓସିଏ ପିଚ୍ କ୍ୟୁରେଟର ଅଞ୍ଜନ ଖୁଣ୍ଟିଆ ଆଶା କରିଛନ୍ତି । ସେ କହିଛନ୍ତି, ନାଲି ମାଟି ପିଚ୍ରେ କାକର ପଡ଼ିବା ପରେ ମ୍ୟାଚରେ ବିଶେଷ ପ୍ରଭାବ ପକାଇବ ନାହିଁ । କାକରର ଜଳୀୟ ଅଂଶକୁ ମାଟି ଟାଣିନେବ । ୪୦ ଓଭର ପର୍ଯ୍ୟନ୍ତ ଉଭୟ ଦଳ ପାଇଁ ସମାନ ସ୍ଥିତି ରହିବ । ପିଚ ଉଭୟ ବ୍ୟାଟିଂ ଓ ବୋଲିଂକୁ ସୁହାଇବ ।’
ଆଜି ଟିକେଟ କିଣିବେ ଅନୁବନ୍ଧିତ ୟୁନିଟ୍
ଅନ୍ଲାଇନ୍ ଟିକେଟ ବିକ୍ରି ପରେ ଆସନ୍ତାକାଲି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ର ଅନୁବନ୍ଧିତ ୟୁନିଟ୍ ମାନେ ଟିକେଟ କିଣିବେ । ଓସିଏ ସମ୍ମିଳନୀ କକ୍ଷରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଥର ଟିକେଟ ବିକ୍ରି କରିବ । ଅନୁବନ୍ଧିତ ୟୁନିଟ ସଂଖ୍ୟା ୭୩ ଥିବାବେଳେ ଓସିଏ କାର୍ଯ୍ୟାଳୟ ସଦସ୍ୟ ଟିକେଟ କ୍ରୟରେ ସାମିଲ ହେବେ । ମୋଟ ୧୧ ହଜାର ଟିକେଟ ବୁଧବାର ବିକ୍ରି କରାଯିବ । ଆଜିଠାରୁ ବାରବାଟୀର ସମସ୍ତ ଫ୍ଲଡ୍ ଲାଇଟ୍ ଗୁଡିକ ପରୀକ୍ଷା ଆରମ୍ଭ ହୋଇଛି । ଫ୍ଲଡ୍ଲାଇଟ ତ୍ରୁଟିକୁ ଏଡ଼ାଇବା ନିମନ୍ତେ ଆଗାମୀ ମ୍ୟାଚରେ ସ୍ୱତନ୍ତ୍ର ରୂପେ ଏକ ସଫ୍ଟୱେର ବ୍ୟବହାର କରାଯିବ । ବାରବାଟୀରେ ଫ୍ଲଡଲାଇଟ୍ ସଂଖ୍ୟା ୮ । ପ୍ରତ୍ୟେକ ଖୁଣ୍ଟରେ ୪୮ଟି ଲାଇଟ୍ ମିଶାଇ ସମୁଦାୟ ୩୮୪ଟି ଯାକ ଲାଇଟକୁ ଏବେ ଯାଞ୍ଚ କରାଯାଉଛି । ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଦ୍ୱାରା ସଫ୍ଟୱେର ମନିଟରିଂ ପ୍ରକ୍ରିୟା ଖୁବଶୀଘ୍ର କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଗତ ଫେବ୍ରୁଆରୀ ୯ ତାରିଖ ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍ ସମୟରେ ଟିକେଟ ବିକ୍ରି ନେଇ ଉପୁଜିଥିବା ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ବ୍ୟାରିକେଡ ବ୍ୟବସ୍ଥାରେ ପରିବର୍ତ୍ତନ କରିଛି ଓସିଏ । ଗତ ଥର ଅଫଲାଇନ କାଉଣ୍ଟର ଗୁଡ଼ିକରେ ପ୍ରବେଶ ଏବଂ ପ୍ରସ୍ଥାନ ପଥ ଭିତରେ ସଂକୀର୍ଣ୍ଣ ରାସ୍ତା ଥିଲା । ଚଳିତଥର ଉଭୟ ପଥକୁ ପୃଥକ କରାଯାଇଥିବା ଓସିଏ ପର୍ତ୍ତୃପକ୍ଷ ବିଷ୍ଣୁପ୍ରସାଦ ମହାପାତ୍ର କହିଛନ୍ତି।