ନୂଆଦିଲ୍ଲୀ,୪।୧୦:ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ। ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଅକ୍ଟୋବର ୧୯ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏନେଇ ଶନିବାର ବିସିସିଆଇ ଟିମ୍ ଇଣ୍ଡିଆର ସ୍କ୍ବାର୍ଡ ଘୋଷଣା କରିଛି। ଟେଷ୍ଟ ପରେ ଏବେ ଶୁଭମନ ଗିଲ୍ ଦିନିକିଆରେ ଦଳର କ୍ୟାପଟେନ୍ ହୋଇଛନ୍ତି। ସେଭଳି ଶ୍ରେୟସ୍ ଆୟର୍ ଦଳର ଉପ-ଅଧିନାୟକ ରହିବେ। ସୂର୍ଯ୍ୟକୁମାର ଯାଦବ ଟି-୨୦ ଦଳର ଅଧିନାୟକ ରହିବେ ବୋଲି ବିସିସିଆଇ ଘୋଷଣା କରିଛି।
ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଦିନିକିଆ ସିରିଜ୍ ପାଇଁ ଚୟନ କରାଯାଇଛି। ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରେ ପ୍ରଥମ ଥର ପାଇଁ ପଡ଼ିଆରେ ଏକାଠି ଦେଖିବାକୁ ମିଳିବ। ଏହାର ଅର୍ଥ ହେଉଛି ସେମାନେ ପ୍ରାୟ ସାତ ମାସ ପରେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ। ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଏହା ଭାରତୀୟ ଦଳର ପ୍ରଥମ ଦିନିକିଆ ସିରିଜ୍ ହେବ। ଏହା ବ୍ୟତୀତ, ଡିସେମ୍ବର ୨୦୨୦ ପରେ ଅଷ୍ଟ୍ରେଲିଆରେ ଏହା ପ୍ରଥମ ଦିନିକିଆ ସିରିଜ୍ ହେବ। ଏହି ଗସ୍ତରେ ଜସପ୍ରିତ ବୁମରାହଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଛି। ସେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଖେଳୁଛନ୍ତି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି। ଆଘାତ ଯୋଗୁଁ ରିଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଯୋଗୁଁ ଦଳରୁ ବାହାର ରହିବେ।
ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହା ସହିତ ଭାରତକୁ ଦିନିକିଆ ଫର୍ମାଟ ପାଇଁ ଜଣେ ନୂତନ ଅଧିନାୟକ ମଧ୍ୟ ମିଳିଛି। ଅଷ୍ଟ୍ରେଲିଆ ଗସ୍ତରେ ଶୁବମନ ଗିଲ୍ ଟେଷ୍ଟ ଏବଂ ଦିନିକିଆ ଉଭୟରେ ଦଳର ନେତୃତ୍ୱ ନେବେ। ଏକଦିବସୀୟ ସିରିଜ୍ ପାଇଁ ଚୟନକର୍ତ୍ତାମାନେ ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ ଭାବରେ ମନୋନୀତ କରିଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଓ୍ବାନଡେ ଟିମ୍ରେ ଦଳରେ ସାମିଲ କରାଯାଇଛି, ଉଭୟଙ୍କୁ ଅନୁଭବୀ ବ୍ୟାଟର ଭାବରେ ମନୋନୀତ କରାଯାଇଛି।
ଭାରତର ୧୫ ସଦସ୍ୟ ବିଶିଷ୍ଟ ଏକଦିବସୀୟ ଦଳ: ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), ଅକ୍ସର ପଟେଲ, କେ.ଏଲ୍ ରାହୁଲ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା,ମହମ୍ମଦ ସିରାଜ, ଅର୍ଶଦ୍ବୀପ ସିଂହ, ପ୍ରସିଦ୍ଧି କୃଷ୍ଣା, ଧ୍ରୁବ ଜୁରେଲ (ଓ୍ବିକେଟ କିପର) ଓ ଯଶସ୍ୱୀ ଜୟସୱାଲ।
ଭାରତର ୧୬ ସଦସ୍ୟ ବିଶିଷ୍ଟ ଟି-ଟ୍ୱେଣ୍ଟି ଦଳ:ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ (ଉପ-ଅଧିନାୟକ), ତିଲକ ଭର୍ମା, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ସର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ରିଙ୍କୁ ସିଂହ, ୱାଶିଂଟନ୍ ସୁନ୍ଦର।