ନୂଆଦିଲ୍ଲୀ,୨୬।୧୧: ବାଂଲାଦେଶରେ ହିନ୍ଦୁ ପୂଜାରୀ ଚିନ୍ନୟ କୃଷ୍ଣା ଦାସଙ୍କୁ ଗିରଫ। ତାଙ୍କୁ ଗିରଫ କରାଯିବା ନେଇ ଚିନ୍ତା ବ୍ୟକ୍ତ କରିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି ଦାସଙ୍କ ଗିରଫଦାରୀ ଓ ତାଙ୍କୁ ଜାମିନ ଦିଆନଯିବା ଘଟଣା ଖୁବ୍ ଚିନ୍ତାଜନକ। ବାଂଲାଦେଶର ହିନ୍ଦୁ ସଂଗଠନ ସମ୍ମିଳିତ ସନାତନୀ ଜୋତର ନେତା ଚିନ୍ନୟ କୃଷ୍ଣା ଦାସଙ୍କୁ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୋମବାର ଗିରଫ କରାଯାଇଛି। ବାଂଲାଦେଶର ଏକ କୋର୍ଟ ମଙ୍ଗଳବାର ଦାସଙ୍କ ଜାମିନ୍ ଆବେଦନ ଖାରଜ କରି ତାଙ୍କୁ ଜେଲ୍‌କୁ ପଠାଇ ଦେଇଛି। 

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଦାସଙ୍କୁ ଗିରଫ ଓ ତାଙ୍କୁ ଜାମିନ୍ ନମିଳିବା ଖୁବ୍ ଚିନ୍ତାର କଥା।  ଏହି ଘଟଣା ବାଂଲାଦେଶରେ ଚରମପନ୍ଥୀ ତତ୍ତ୍ବ ଦ୍ବାରା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ବହୁ ଆକ୍ରମଣ ଘଟଣା ପରେ ଘଟିଛି। ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁ ସମୁଦାୟ ଉପରେ ହିଂସାକାଣ୍ଡ ମାମଲାର ଘଟଣା ଲଗାତାର ବଢିବାରେ ଲାଗିଛି। ତାଙ୍କର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ପୋଡିବା, ଲୁଟିବା, ମନ୍ଦିର ଓ ମୂର୍ତ୍ତିକୁ ଅପବିତ୍ର କରିଥିବା ମାମଲା ସାମନାକୁ ଆସିଛି। ଦାସଙ୍କ ଗିରଫଦାରୀକୁ ବିରୋଧ କରି ବାଂଲାଦେଶର ଅନ୍ୟ ସଂଖ୍ୟାଲଘୁମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ତାଙ୍କ ଉପରେ ପୋଲିସ ଆକ୍ରମଣ କରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିଛି।