ନୂଆଦିଲ୍ଲୀ,୨୯/୧୧: ଭାରତୀୟ ନୌସେନା ବୁଧବାର  କେ-୪ ବାଲିଷ୍ଟିକ୍‌ ମିସାଇଲର ସଫଳ  ପରୀକ୍ଷଣ କରିଛି । ବିଶାଖାପାଟନମ୍‌ରେ ଆଣବିକ ବୁଡ଼ାଜାହାଜ ଅରିଘାତରୁ ଏହି  ଟେଷ୍ଟିଂ କରାଯାଇଛି । ଅରିଘାତ ହେଉଛି ଆଇଏନ୍‌ଏସ୍‌ ଅରିହନ୍ତର ଅପ୍‌ଗ୍ରେଡେଡ୍‌  ଭର୍ସନ । ଭାରତୀୟ ନୌସେନାର  ଶିପ୍‌ ବିଲ୍ଡିଂ ସେଣ୍ଟର (ଏସ୍‌ବିସି) ରେ ୨୦୧୭ରେ ଅରିଘାତର ନିର୍ମାଣ  କରାଯାଇଥିଲା । ଏହି ବୁଡ଼ାଜାହାଜର ଓଜନ ୬ ହଜାର ଟନ୍‌ ହେବ ।  

ସେହିପରି ପରୀକ୍ଷଣ ହୋଇଥିବା  ବାଲିଷ୍ଟିକ୍‌ ମିସାଇଲର ରେଞ୍ଜ୍‌ ୩,୫୦୦  କିମି ରହିଛି । ଆଗକୁ ନୌସେନା ଏହି  ମିସାଇଲ ସିଷ୍ଟମର ଅଧିକ ପରୀକ୍ଷଣ  କରିବ ବୋଲି ଯୋଜନା ରଖିଛି । ଭାରତୀୟ ନୌସେନା ଅଦ୍ୟାବଧି ୩  ଆଣବିକ ବୁଡ଼ାଜାହାଜ ପ୍ରସ୍ତୁତ କରିଛି ।  ଅରିହନ୍ତ ଏବଂ ଅରିଘାତକୁ ନୌସେନାରେ  ସାମିଲ କରାଯାଇଥିବାବେଳେ ଏବେ  ଏସ୍‌୩ ଉପରେ ପରୀକ୍ଷଣ ଚାଲିଛି ।  ଏହି ବୁଡ଼ାଜାହାଜଗୁଡ଼ିକରୁ ପରମାଣୁ ମିସାଇଲ ଛଡ଼ା ଯାଇପାରିବ । 

୨୦୨୨  ଅକ୍ଟୋବର ୧୪ରେ ଅରିହନ୍ତରୁ କେ-୧୫  ଏସ୍‌ଏଲ୍‌ବିଏମ୍‌ ମିସାଇଲର ସଫଳ ଟେଷ୍ଟିଂ  କରାଯାଇଥିଲା । ଏହାଯୋଗୁ ଆମେରିକା,  ରୁଷ୍‌, ବ୍ରିଟେନ, ଫ୍ରାନ୍ସ ଏବଂ ଚୀନ୍‌ ପରେ  ଭାରତ ଦୁନିଆର ୬ଷ୍ଠ ନ୍ୟୁକ୍ଲିୟର ଟ୍ରାଏଡ୍‌  ଦେଶ ହୋଇଥିଲା । ଆମେରିକା ପାଖରେ ଟ୍ରାଇଡେଣ୍ଟ ଡି୫ ନାମରେ ୧୨ ହଜାର  କିମି ରେଞ୍ଜ୍‌ର ଏସ୍‌ଏଲ୍‌ବିଏମ୍‌ ମିସାଇଲ  ରହିଛି । ସେହିପରି ଫ୍ରାନ୍ସ ନିକଟରେ  ୧୦ ହଜାର କିମି ରେଞ୍ଜ୍‌ର ଏମ୍‌୫୧,  ରୁଷ୍‌ ପାଖରେ ୮,୩୦୦ କିମି ରେଞ୍ଜ୍‌ର  ଆର୍‌-୨୯ଆର୍‌ଏମ୍‌ୟୁ ସିନେଭା, ବ୍ରିଟେନ୍‌  ନିକଟରେ ୧୨ ହଜାର କିମିର ଟ୍ରାଇଡେଣ୍ଟ  ଡି୫ ଏବଂ ଚୀନ୍‌ ପାଖରେ ୮ ହଜାର କିମି  ରେଞ୍ଜ୍‌ର ଜେଏଲ୍‌-୨ ଏସ୍‌ଏଲ୍‌ବିଏମ୍‌  ମିସାଇଲ ରହିଛି।