ମୁମ୍ବାଇ,୨୪/୦୫: ସବୁ କଳ୍ପନା ଜଳ୍ପନାର ଅନ୍ତ । ଭାରତକୁ ମିଳିଲା ରେଡ଼ ବଲ୍ କ୍ରିକେଟର ଅଧିନାୟକ । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଷ୍ଟାର ଯୁବ ବ୍ୟାଟର ଶୁବମନ ଗିଲ୍ ରେଡ଼ ବଲ କ୍ରିକେଟର ଦଳପତି ହୋଇଛନ୍ତି । ରୋହିତ ଶର୍ମାଙ୍କ ସ୍ଥାନରେ ଦଳର କମାଣ ସମ୍ଭାଳିବେ ଶୁବମନ୍ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ସେ ନେତୃତ୍ୱ ନେବେ । ସିରିଜରୁ ମହମ୍ମଦ ସାମି ଆଉଟ୍ ହୋଇଛନ୍ତି । ସାର୍ଦ୍ଦୁଳ ଠାକୁରଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିଛି । ସାମ୍ବାଦିକ ସମ୍ମିଳନୀ କରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ।

କିଛି ନୂଆ ପୁରୁଣା ମୁହଁକୁ ନେଇ ୧୮ ଜଣିଆ ଦଳ ଘୋଷଣା ହୋଇଛି । ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ଯୁବ ତାରକାଙ୍କୁ ସୁଯୋଗ ମିଳିଛି । ୩ଜଣ ଡେବ୍ୟୁଟାଣ୍ଟକୁ ମିଳିଛି ସୁଯୋଗ । ଆଇପିଏଲ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଥିବା ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିଛି । ସେହିପରି ବ୍ୟାଟର ଅଭିମନ୍ୟୁ ଇଶ୍ବରନ୍ ଏବଂ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ଫିଟନେସ୍ କାରଣରୁ ପେସ୍ ବୋଲର ମହମ୍ମଦ ଶାମି ଟିମରୁ ଆଉଟ୍ ହୋଉଥିବା ବେଳେ ତାଙ୍କ ସ୍ଥାନରେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଦଳକୁ ଫେରିଛନ୍ତି । ସେହିପରି ଅନେକ ଦିନ ପରେ ପୁଣି ଥରେ ନିଜର ପ୍ରତିଭା ପ୍ରତିପାଦନ କରିବାକୁ ଟିମ୍‌କୁ ଫେରିଛନ୍ତି କରୁଣ ନାୟାର । ସବୁଠୁ ବଡ଼ କଥା ହେଲା ଦଳରେ ଟପ୍ ଫର୍ମରେ ଥିବା ଶ୍ରେୟସ ଆୟର ଓ ସରଫରାଜ ଖାନଙ୍କୁ ସାମିଲ୍ କରାଯାଇନାହିଁ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁବମନ୍ ସେନା- ଆସନ୍ତା ଜୁନ ୨୦ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ଏ ନେଇ ୧୮ ଜଣିଆ ସ୍କ୍ୱାଡ ଘୋଷଣା ହୋଇଛି । ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ଗିଲ୍‌ଙ୍କୁ ଅଧିନାୟକ ଭାବେ ଗୁରୁ ଦାୟିତ୍ୱ ମିଳିଛି । ଋଷବ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ସେହିପରି ଯଶସ୍ୱୀ ଜୈସ୍ୱାଲ,କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ୍, କରୁନ ନାୟର, ନିତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁଏଲ (ୱିକେଟକିପର), ୱାଶିଂଟନ ସୁନ୍ଦର, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂହ ଓ କୂଳଦୀପ ଯାଦବ ୧୮ ଜଣିଆ ଦଳରେ ସାମିଲ ହୋଇଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଆସନ୍ତା ଜୁନ୍ ୨୦ ତାରିଖରୁ ଅଗଷ୍ଟ ୪ ଯାଏଁ ଚାଲିବ ସିରିଜ୍। ପ୍ରଥମ ମ୍ୟାଚ୍ ହ୍ୟାଣ୍ଡିଂଲେ ଲିଡ୍, ଦ୍ବିତୀୟ ମ୍ୟାଚ୍ ବରମିଂହମ୍, ତୃତୀୟ ଟେଷ୍ଟ କ୍ରିକେଟର ମକ୍କା ଲଡ୍ସ, ଚତୁର୍ଥ ମ୍ୟାଚ୍ ମଞ୍ଚେଷ୍ଟର ଓ ପଞ୍ଚମ ବା ଅନ୍ତିମ ମ୍ୟାଚ୍ ଓଭାଲରେ ଖେଳାଯିବ ।  ବିଜିଟିରେ ଶୋଚନୀୟ ପରାଜୟରେ ଏହି ସିରିଜ୍ ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ପାଇଁ ଅଗ୍ନି ପରୀକ୍ଷା ହେବ ।