ନୂଆଦିଲ୍ଲୀ, ୩୦/୦୬:  ବହୁପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା  ଆରମ୍ଭ ହେବାର ତାରିଖ ଘୋଷଣା  କରାଯାଇଛି । ଏଥର ଜନଗଣନା  ଦୁଇଟି ପର୍ଯ୍ୟାୟରେ ହେବ । ରେଜିଷ୍ଟ୍ରାର  ଜେନେରାଲ ଅଫ୍‌ ଇଣ୍ଡିଆ ମୁତାବକ,  ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଏପ୍ରିଲ ୧ରୁ  ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏହି  ପର୍ଯ୍ୟାୟରେ ଲୋକଙ୍କଠାରୁ ସେମାନଙ୍କ  ଘରେ ଥିବା ଗାଡ଼ି, ଇଲେକ୍ଟ୍ରୋନିକ  ସାମଗ୍ରୀ ଓ ଅନ୍ୟ ସୁଖସୁବିଧା  ପ୍ରଦାନକାରୀ ଜିନିଷର ତାଲିକା ପ୍ରସ୍ତୁତ  କରାଯିବ । ଏଥିଲାଗି ସେନ୍‌ସସ୍‌  କମିଶନର ଓ ରେଜିଷ୍ଟ୍ରାର ଜେନେରାଲ  ଅଫ୍‌ ଇଣ୍ଡିଆ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ  ଚିଠି ଲେଖିଛନ୍ତି ।

 ଏଥର ମୋବାଇଲ  ଆପ୍ଲିକେସନ ବ୍ୟବହାର କରି ଡିଜିଟାଲ  ଉପାୟରେ ଜନଗଣନା କରାଯିବ ।  ପ୍ରଥମ ପର୍ଯ୍ୟାୟରେ ଲୋକଙ୍କ ଆବାସିକ  ସ୍ଥିତି, ସମ୍ପତ୍ତି ଓ ବିଭିନ୍ନ ସାମଗ୍ରୀର ତଥ୍ୟ  ହାସଲ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ  ଘରେ ରହୁଥିବା ପ୍ରତ୍ୟେକ ଲୋକଙ୍କ  ଜନସାଂଖ୍ୟିକ, ସାମାଜିକ-ଆର୍ଥିକ ଓ  ଅନ୍ୟ ସୂଚନା ସଂଗ୍ରହ ହେବ । ଏହାକୁ  ‘ପପୁଲେସନ ଏନ୍ୟୁମରେସନ (ପିଇ)’  କୁହାଯିବ । ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କୁହାଯାଇଛି ଯେ ଧାର୍ଯ୍ୟ ତାରିଖ  ପୂର୍ବରୁ ସୁପରଭାଇଜର ଓ ଅନ୍ୟ  ଜନଗଣନା ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ  କାମଗୁଡ଼ିକୁ ବଣ୍ଟାଯିବା ଆବଶ୍ୟକ । ଏହି  କାମ ଜିଲ୍ଲା ସ୍ତରରେ କରାଯିବ । ଏଥର  ଜନଗଣନାରେ ଜାତି ଭିତ୍ତିକ ସୂଚନା  ସାମିଲ କରାଯିବ । ଜନଗଣନା କାର୍ଯ୍ୟ ପାଇଁ ୩୪ ଲକ୍ଷ ସର୍ବେକ୍ଷଣକାରୀ ଓ  ସୁପରଭାଇଜର ନିୟୋଜିତ ହେବେ ।  ଏମାନେ ସମସ୍ତେ ବାହାରେ କାମ  କରିବେ । ଏହାଛଡ଼ା ୩୦ ହଜାର  ଜନଗଣନା ପଦାଧିକାରୀଙ୍କୁ ମୁତୟନ  କରାଯିବ । ଏମାନେ ଜନଗଣନା ବେଳେ  ମିଳିବାକୁ ଥିବା ତଥ୍ୟର ଡାଟା ପ୍ରସ୍ତୁତ  କରିବେ । ଏହାପରେ ଏହିସବୁ ତଥ୍ୟକୁ  ଡିଜିଟାଇଜ୍‌ କରାଯିବ ।