ନୂଆଦିଲ୍ଲୀ, ୨୪। ୮: ଟ୍ରମ୍ପଙ୍କ ଟାରିଫ୍ ଜବାବରେ ଭାରତୀୟ ଡାକ ବିଭାଗ ଅଗଷ୍ଟ ୨୫ରୁ ଆମେରିକା ପାଇଁ ସମସ୍ତ ପ୍ରକାର ଡାକ ସାମଗ୍ରୀର ବୁକିଂକୁ ବାତିଲ କରିବାକୁ ଯାଉଛି । ଏହି ନିଷ୍ପତ୍ତି ଅସ୍ଥାୟୀ ଭାବେ ଲାଗୁ ହେବ । ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଘୋଷଣା ମଧ୍ୟରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ ।
ସରକାରୀ ଘୋଷଣା ମୁତାବକ, ମାତ୍ର ୧୦୦ ଡଲାର(ପ୍ରାୟ ୮୭୦୦ ଟଙ୍କା) ମୂଲ୍ୟର ଦସ୍ତାବିଜ ଏବଂ ଉପହାର ଆମେରିକାକୁ ପଠାଯାଇପାରିବ । ଆମେରିକା ସରକାରଙ୍କ ଏକ ନିର୍ଦ୍ଦେଶର ଜବାବରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଅଗଷ୍ଟ ୨୯ରୁ ୮୦୦ ଡଲାର(ପାଖାପାଖି ୭୦,୦୦୦ ଟଙ୍କା) ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ଉପରେ ସୀମା ଶୁଳ୍କ ଛାଡ଼କୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆମେରିକା ସରକାର । ଅର୍ଥାତ୍ ଆମେରିକାରୁ ଭାରତ ପଠାଯାଉଥିବା ସାମଗ୍ରୀ ଉପରେ ଏବେ ଶୁଳ୍କ ଦେବାକୁ ପଡ଼ିବ । ସ୍ଥିତିକୁ ନେଇ ଡାକ ବିଭାଗ ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା କରୁଛି । ସେବାକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ । ଯେଉଁ ଗ୍ରାହକମାନେ ଆମେରିକା ପାଇଁ ସେମାନଙ୍କ ପାର୍ସଲ ବୁକ୍ କରିସାରିଛନ୍ତି, ସେମାନେ ଫେରସ୍ତ ପାଇଁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।