ନୂଆଦିଲ୍ଲୀ,୩୧/୦୩: ଭାରତୀୟ ଦଳ ଆଗାମୀ ଅକ୍ଟୋବରରେ  ଅଷ୍ଟ୍ରେଲିଆ ଗସ୍ତ କରି ସୀମିତ ଓଭର  କ୍ରିକେଟ୍‌ ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି  ଟି-ଟ୍ୱେଣ୍ଟି ଖେଳାଯିବ । କ୍ରିକେଟ୍‌  ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଏହି ସିରିଜ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି ।  ୮ଟି ସହରରେ ୮ଟି ମ୍ୟାଚ୍‌ ଖେଳାଯିବ । ଦିନିକିଆ ସିରିଜରୁ ଭାରତର ଗସ୍ତ  ଆରମ୍ଭ ହେବ । ଅକ୍ଟୋବର ୧୯ ତାରିଖ ପର୍ଥରେ ଉଭୟ ଦଳ ମଧ୍ୟରେ ପ୍ରଥମ  ଦିନିକିଆ ଖେଳାଯିବ । ଏହାପରେ ୨୩  ତାରିଖ ଆଡିଲେଡ୍‌ ଓଭାଲରେ ଦ୍ୱିତୀୟ  ଏବଂ ୨୫ ତାରିଖରେ ସିଡନୀରେ ତୃତୀୟ  ମ୍ୟାଚ୍‌ ଅନୁଷ୍ଠିତ ହେବ । 

ଦିନିକିଆ ସିରିଜ  ଶେଷ ହେବା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ଖେଳାଯିବ । ଅକ୍ଟୋବର ୨୯ ତାରିଖ ମାନୁକା ଓଭାଲରେ  ପ୍ରଥମ, ୩୧ ତାରିଖ ମେଲବର୍ଣ୍ଣରେ  ଦ୍ୱିତୀୟ, ନଭେମ୍ବର ୨ତାରିଖ ହୋବାର୍ଟରେ  ତୃତୀୟ, ୬ତାରିଖ ଗୋଲ୍ଡ କୋଷ୍ଟରେ  ଚତୁର୍ଥ ଏବଂ ୮ତାରିଖ ବ୍ରିସବେନରେ  ପଞ୍ଚମ ଟି-ଟ୍ୱେଣ୍ଟି ଖେଳାଯିବ । ଭାରତ ବିପକ୍ଷ ସିରିଜ ଶେଷ ହେବା  ପରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଦକ୍ଷିଣ  ଆଫ୍ରିକା ବିପକ୍ଷରେ ୩ଟି ଟି-ଟ୍ୱେଣ୍ଟି ଓ ୩ଟି  ଦିନିକିଆ ଖେଳିବ । ନଭେମ୍ବର ୨୧ ତାରିଖରୁ  ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ  ଆସେସ୍‌ ଟେଷ୍ଟ ସିରିଜ ଆରମ୍ଭ ହେବ ।