ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଉଥିବା ୧୯ ବର୍ଷରୁ କମ ଏସିଆ କପ୍‌ରେ ବଡ଼ ପରାଜୟ ଭୋଗିଛି ଭାରତୀୟ ଦଳ । ପାକିସ୍ତାନ ପାଖରୁ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳକୁ ୨୮୨ ରନ୍‌ର ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଟିମ୍‌ ଇଣ୍ଡିଆ ୨୩୮ ରନ୍‌ରେ ଅଲଆଉଟ୍‌ ହୋଇଛି । ଭାରତ ଲାଗି ନିଖିଳ କୁମାର ଏବଂ ସମର୍ଥ ନାଗରାଜ ଭଲ ପ୍ରଦର୍ଶନ କରିଛନ୍ତି । ଏହା ସତ୍ତ୍ବେ ପାକିସ୍ତାନ ପାଖରୁ ୪୪ ରନ୍‌ରେ ପରାଜୟ ସ୍ବୀକାର କରିଛି ଭାରତୀୟ ଦଳ । 

ଆଜିର ମ୍ୟାଚ୍‌ରେ ଆଇପିଏଲର ସର୍ବକନିଷ୍ଠ କୋଟିପତି ପ୍ଲେୟାର ଫେଲ୍‌ ହୋଇଛନ୍ତି ।  ସାଉଦି ଆରବର ଜେଦାରେ ଆଇପିଏଲ ୨୦୨୫ ଲାଗି ହୋଇଥିବା ମେଗା ଅକ୍ସନରେ ଚର୍ଚ୍ଚାକୁ ଆସିଥିଲେ ୧୩ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ଅକ୍ସନ ଇତିହାସରେ ସବୁଠୁ କମ୍‌ ବୟସର ଖେଳାଳି ଭାବରେ ସେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି । ହେଲେ ଆଇପିଏଲର କୋଟିପତି ପ୍ଲେୟାର ପାକିସ୍ତାନ ସାମ୍ନାରେ ଫ୍ଲଫ୍‌ ସାବ୍ୟସ୍ତ ହୋଇଛନ୍ତି । ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ୯ ବଲ୍‌ ଖେଳି କେବଳ ୧ ରନ୍‌ କରି ଆଉଟ ହୋଇଛନ୍ତି ।

ଆଜି ୫ ନମ୍ବର ବ୍ୟାଟର ଭାବରେ ନିଖିଳ କୁମାର ପଡ଼ିଆକୁ ଆସିଥିଲେ । ସେ ୭୭ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୩ ଛକା ବଳରେ ୬୭ ରନ୍‌ କରିଥିଲେ । ଭାରତ ଲାଗି ନିଖିଳ ଏକମାତ୍ର ବ୍ୟାଟର ଭାବରେ ଅର୍ଦ୍ଧଶତକ କରିଥିଲେ । ତାଙ୍କ ବ୍ୟତୀତ କିରଣ ୨୦ ରନ୍‌ କରି ପାଭିଲିୟନ ଫେରିଥିଲେ । ସେହିଭଳି ହରବଂଶ ସିଂହ ୨୬ ରନ୍‌   ଏବଂ ହାର୍ଦ୍ଦିକ ରାଜ ମାତ୍ର ୧୦ ରନ୍‌ରେ ଆଉଟ୍‌ ହୋଇଥିଲେ ।