ନୂଆଦିଲ୍ଲୀ,୨୯/୦୩: ୧୯୯୯ କାରଗିଲ ଯୁଦ୍ଧ ପରେ ଭାରତ ନାଭିକର ବିକାଶ ଆରମ୍ଭ କଲା । କାରଣ କାରଗିଲ ଯୁଦ୍ଧରେ ଜିପିଏସ୍ ତଥ୍ୟ ପ୍ରଦାନ ଲାଗି ଆମେରିକା ମନା କରିଥିଲା । ନାଭିକର ପ୍ରଥମ ପିଢ଼ି ସାଟେଲାଇଟ୍ ‘ଇଣ୍ଡିଆନ୍ ରିଜନାଲ ନାଭିଗେସନାଲ ସାଟେଲାଇଟ୍ ସିଷ୍ଟମ୍’ (ଆଇଆର୍ଏନ୍ଏସ୍ଏସ୍) ସିରିଜ୍ ୨୦୧୩-୨୦୧୮ ମଧ୍ୟରେ ଲଞ୍ଚ୍ ହୋଇଥିଲା । ତେବେ ଏହି ସାଟେଲାଇଟ୍ ସମୂହରେ ଖୁବ୍ଶୀଘ୍ର ସମସ୍ୟା ଦେଖାଗଲା । ଅନେକ ଆଇଆର୍ଏନ୍ଏସ୍ଏସ୍ ସିରିଜ୍ ସାଟେଲାଇଟ୍ରେ ସଂଲଗ୍ନ ପରମାଣୁ ଘଡ଼ି ବାରମ୍ବାର ଅଚଳ ହେଲା । ପରମାଣୁ ଘଡ଼ିକୁ ଏ ପ୍ରକାର ନାଭିଗେସନ୍ ସାଟେଲାଇଟ୍ର ହୃତପିଣ୍ଡ ରୂପେ ବିବେଚନା କରାଯାଏ । ସ୍ଥାନ, ମାର୍ଗ ଓ ସମୟ ନିର୍ଦ୍ଧାରଣ ଲାଗି ଏହା ଉଚ୍ଚ-ସଠିକତାଯୁକ୍ତ ସମୟ ପ୍ରଦାନ କରେ ।
ସାଟେଲାଇଟ୍ ସମୂହର ପ୍ରତିଟି ସାଟେଲାଇଟରେ ସାଧାରଣତଃ ୩ କିମ୍ବା ୪ ପରମାଣୁ ଘଡ଼ି ଥାଏ । ଗୋଟିଏ ଖରାପ ହେଲେ, ଅନ୍ୟଟି କାମ କରେ । ଆଇଆର୍ଏନ୍ଏସ୍ଏସ୍-୧ଏଫ୍ ମାମଲାରେ ଏହାର ସମସ୍ତ ପରମାଣୁ ଘଡ଼ି ଅଚଳ ହୋଇପଡ଼ିଛି । ୨୦୧୭, ଅଗଷ୍ଟ ୩୧ରେ ଇସ୍ରୋ ଆଇଆର୍ଏନ୍ଏସ୍ଏସ୍-୧ଏକୁ ସ୍ଥାନାନ୍ତର କରି ଆଇଆର୍ଏନ୍ଏସ୍ଏସ୍-୧ଏଚ୍କୁ ସ୍ଥାନ ଦେଇଥିଲା । କିନ୍ତୁ ପୃଥିବୀର ନିର୍ଦ୍ଧାରିତ କକ୍ଷରେ ସାଟେଲାଇଟ୍କୁ ସ୍ଥାପିତ କରିବାରେ ମିଶନ ବିଫଳ ହେଲା ।
ଆହୁରି ପଢନ୍ତୁ-ଭାରତର ସାଟେଲାଇଟ୍ ନାଭିଗେସନ୍ ସିଷ୍ଟମ୍ ଅଚଳ, କାମ କରୁନି ସାଟେଲାଇଟ୍ରେ ପରମାଣୁ ଘଡ଼ି
ତା’ପରେ ଇସ୍ରୋ ନାଭ୍ଆଇସି ପାଇଁ ୨ୟ ପିଢ଼ି ସାଟେଲାଇଟ୍ ଲଞ୍ଚ ଆରମ୍ଭ କଲା । ଏହାର ନାଁ ‘ଏନ୍ଭିଏସ୍’ ସିରିଜ୍ । ଏହା ୨୦୨୩ରେ ନିର୍ଦ୍ଧାରିତ କକ୍ଷରେ ଏନ୍ଭିଏସ୍-୦୧କୁ ସଫଳତାପୂର୍ବକ ସ୍ଥାପିତ କଲା । କିନ୍ତୁ ୨୦୨୫ରେ ଲଞ୍ଚ ହୋଇଥିବା ଏନ୍ଭିଏସ୍-୦୨ ମିଶନ ବିଫଳ ହେଲା । ଏଥିପାଇଁ ଏନ୍ଭିଏସ୍-୦୩, ଏନ୍ଭିଏସ୍-୦୪ ଓ ଏନ୍ଭିଏସ୍-୦୫ର ଉତ୍କ୍ଷେପଣରେ ବିଳମ୍ବ ହୋଇଛି । ଏହି କାରଣ ପାଇଁ ନାଭ୍ଆଇସି ପ୍ରଣାଳୀରେ କେବଳ ଆଇଆର୍ଏନ୍ଏସ୍ଏସ୍ ୧-ବି, ଆଇଆର୍ଏନ୍ଏସ୍ଏସ୍ ୧-ଏଲ୍ ଓ ଏନ୍ଭିଏସ୍-୦୧ କାର୍ଯ୍ୟ କରୁଛନ୍ତି । ଏହି ୩ ସାଟେଲାଇଟ୍ ଏବେ ନାଭିଗେସନ୍ ସେବା ପ୍ରଦାନ କରୁଛନ୍ତି।