ନୂଆଦିଲ୍ଲୀ, ୪/୬ : ଭାରତ ଏବଂ ଆମେରିକା ମଧ୍ୟରେ ଜୁଲାଇ ସୁଦ୍ଧା ବାଣିଜ୍ୟ ଚୁକ୍ତି ହେବାର ସମ୍ଭାବନା ରହିଛି । ଆମେରିକା ବାଣିଜ୍ୟ ମନ୍ତ୍ରୀ ହୋୱାର୍ଡ ଲୁଟ୍‌ନିକ୍‌ ସୋମବାର କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ବାଣିଜ୍ୟ ଚୁକ୍ତି ହେବ । କାରଣ ଦୁଇ ଦେଶ ଏଭଳି ରାସ୍ତା ଖୋଜି ସାରିଲେଣି, ଯାହା ଉଭୟଙ୍କ ପାଇଁ ଲାଭଦାୟକ ହେବ । ଯେତେବେଳେ ଉଭୟ ତରଫରୁ ଠିକ୍‌ ଲୋକ ଟେବୁଲ୍‌ରେ ବସିବେ, ସେତେବେଳେ ଆମେ ଠିକ୍‌ ଦିଗରେ ଆଗକୁ ବଢ଼ିପାରିବୁ । ଏବେ ଚୁକ୍ତି ପାଇଁ ଅଧିକ ସମୟ ଲାଗିବ ନାହିଁ । ୱାଶିଂଟନରେ ଆମେରିକା-ଭାରତ ରଣନୀତିକ ସହଯୋଗିତା ଫୋରମ୍‌(ୟୁଏସ୍‌ଆଇଏସ୍‌ପିଏଫ୍‌)ର ଲିଡର୍‌ସିପ୍‌ ସମିଟ୍‌ରେ ଲୁଟନିକ୍‌ ଏହା କହିଛନ୍ତି ।ସେହିପରି ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ଉଭୟ ଦେଶ ପରସ୍ପରର କାରବାରକୁ ପ୍ରାଥମିକତା ଦେବାକୁ ଚାହୁଁଛନ୍ତି ଏବଂ ଦୁଇ ପକ୍ଷ ମଧ୍ୟରେ ଲଗାତର ଆଲୋଚନା ଚାଲିଛି । ତେବେ ସୂତ୍ର ଅନୁସାରେ, ଜୁଲାଇ ୮ ପୂର୍ବରୁ ଉଭୟ ଦେଶ ଏକ ଚୂଡ଼ାନ୍ତ ବୁଝାମଣାରେ ପହଞ୍ଚିପାରନ୍ତି। 

ପ୍ରକାଶଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬% ଟାରିଫ୍‌ ଲଗାଇବାକୁ ଘୋଷଣା କରିବା ପରେ ଉଭୟ ଦେଶ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରୁଛନ୍ତି । ଏହି ଟାରିଫ୍‌ ଭାରତ ଉପରେ ଜୁଲାଇ ୮ରୁ ଲାଗୁ ହେବ । ପୂର୍ବରୁ ଆମେରିକା ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଥିଲେ ଯେ, ଆମେରିକା ଓ ଭାରତ ବାଣିଜ୍ୟ ଚୁକ୍ତି ପାଇଁ ସର୍ତ୍ତଗୁଡ଼ିକୁ ଚୂଡ଼ାନ୍ତ କରିସାରିଲେଣି । ଏହାକୁ ଟର୍ମ ଅଫ୍‌ ରେଫରେନ୍ସ(ଟିଓଆର୍‌ଏସ୍‌) କୁହାଯାଉଛି । ବାଣିଜ୍ୟ ଚୁକ୍ତି ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଏହା ଚୂଡ଼ାନ୍ତ ଚୁକ୍ତିର ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବ । ଆମେରିକା ଉପ-ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ । ସେ ଏପ୍ରିଲ ୨୨ରେ ଜୟପୁରର ରାଜସ୍ଥାନ ଇଣ୍ଟର୍‌ନ୍ୟାସ୍‌ନାଲ ସେଣ୍ଟର୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଥିଲେ । 

୨୦୨୫ ଏପ୍ରିଲ ୨ରେ ଟ୍ରମ୍ପ ‘ଲିବରେଶନ୍‌ ଡେ’ ନାମରେ ବିଶ୍ୱର ୧୦୦ରୁ ଊର୍ଦ୍ଧ୍ୱ ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ଯେସାକୁ ତେସା ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଟାରିଫ୍‌ ଆମେରିକା ଅର୍ଥବ୍ୟବସ୍ଥାକୁ ମଜଭୁତ କରିବ ଏବଂ ଉକ୍ତ ଦେଶଗୁଡ଼ିକୁ ଶାସ୍ତି ଦେବ, ଯେଉଁମାନେ ଆମେରିକାରୁ କମ୍‌ ସାମଗ୍ରୀ କିଣୁଛନ୍ତି କିନ୍ତୁ ଅଧିକ ସାମଗ୍ରୀ ବିକୁଛନ୍ତି । ତେବେ ପରେ ଚୀନ୍‌କୁ ଛାଡ଼ି ଅନ୍ୟ ଦେଶଗୁଡ଼ିକ ଉପରେ ଟାରିଫ୍‌କୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଟାରିଫ୍‌ର ଜବାବୀ ଟାରିଫ୍‌ ଘୋଷଣା କରିଥିଲା ଚୀନ୍‌ । ଏହି କାରଣରୁ ଚୀନ୍‌କୁ ଟାରିଫ୍‌ରୁ ଆଶ୍ୱସ୍ତି ମିଳି ନ ଥିଲା । ଚୀନ୍‌ ଉପରେ ଶୁଳ୍କ ବଢ଼ାଇ ୧୪୫% କରିଥିଲା ଆମେରିକା । ଆଲୋଚନା ପରେ ଚୀନ୍‌ ଉପରେ ଟାରିଫ୍‌କୁ କମ୍‌ କରାଯାଇଥିଲା ।