ନୂଆଦିଲ୍ଲୀ,୦୬/୦୬; ପଡ଼ିଲା ଟସ୍ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଶୁଭମନ ଗିଲ୍ । ଆଇପିଏଲ୍ ଶେଷ ହେବାର ମାତ୍ର ୬ ଦିନ ପରେ ଆରମ୍ଭ ହୋଇଛି ରେଡ୍ ବଲ୍ କ୍ରିକେଟ୍ ବା ଟେଷ୍ଟ କ୍ରିକେଟ୍ । ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଏକମାତ୍ର ଟେଷ୍ଟ । ଟିସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଚଣ୍ଡୀଗଡ଼ର ନୂତନ ପିସିଏ ଷ୍ଟାଡ଼ିୟମ ପ୍ରଥମ କରି ଟେଷ୍ଟ କ୍ରିକେଟ୍ ଆୟୋଜନ ହୋଇଛି । ଭାରତର ୩୧ତମ ଭେନ୍ୟୁ ଭାବେ ନୂଆ ପିସିଏ ଷ୍ଟାଡ଼ିୟମ୍ ଟେଷ୍ଟ ଆୟୋଜନ କରିଛି । ସ୍ପିନର ମାନବ ସୂତାର ଟେଷ୍ଟ ଡେବ୍ୟୁ କରିଛନ୍ତି । କୂଳଦୀପ ଯାଦବ ତାଙ୍କୁ କ୍ୟାପ୍ ଦେଇ ଟିମ୍ ଇଣ୍ଡିଆରେ ସ୍ୱାଗତ କରିଛନ୍ତି । ୨୦୨୧ ପରେ ଅକ୍ଷର ପଟେଲଙ୍କ ପରେ ମାନବ ସୁତାର ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ପ୍ରଥମ ସ୍ପେସାଲିଷ୍ଟ ସ୍ପିନର ହୋଇଛନ୍ତି । ଏହା ସହିତ ରବିଚନ୍ଦ୍ର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ବିନା ଭାରତ ୧୬ ବର୍ଷ ପରେ ପ୍ରଥମ ଘରୋଇ ଟେଷ୍ଟ ଖେଳୁଛି ।

ଏହି ମ୍ୟାଚରେ ଉଭୟ ଦଳର ସ୍ପିନ ବିଭାଗ ଉପରେ ବିଶେଷ ନଜର ରହିବ । ରବି ଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ବର୍ତ୍ତମାନର ଟେଷ୍ଟ ଦଳରେ ନାହାନ୍ତି । ତେଣୁ କୁଲଦୀପ ଯାଦବ ସ୍ପିନ ବିଭାଗର ଦାୟିତ୍ୱ ନେବେ । ତାଙ୍କୁ ୨ଜଣ ସ୍ପିନ ବୋଲିଂ ଅଲ୍‌ରାଉଣ୍ଡର ସହାୟତା କରିବେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୱାସିଂଟନ ସୁନ୍ଦର । ତୃତୀୟ ସ୍ପିନର ସ୍ଥାନ ପାଇଁ ମାନବ ସୂତାରଙ୍କୁ ସୁଯୋଗ ମିଳିଛି ।

୭ମାସ ପରେ ଭାରତୀୟ ଦଳ ଟେଷ୍ଟ କ୍ରିକେଟ୍ ଖେଳୁଛି । ଶେଷ ଥର ପାଇଁ ଦଳ ଗତ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳିଥିଲା । ଆଫଗାନିସ୍ତାନ ୨୦୧୮ରେ ଟେଷ୍ଟ ମାନ୍ୟତା ପାଇଥିଲା ଓ ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲା । ଇତି ମଧ୍ୟରେ ଆଫଗାନିସ୍ତାନ ୧୨ଟି ଟେଷ୍ଟ ଖେଳି ସାରିଛି । ଭାରତ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ୧୨ଟି ଟେଷ୍ଟର ଅଭିଜ୍ଞତା ମଧ୍ୟ ଆଫଗାନିସ୍ତାନର ମନୋବଳକୁ ସୁଦୃଢ଼ ରଖିଛି । ରସିଦ ଖାନଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଲେଗ ସ୍ପିନର ଟେଷ୍ଟ ଦଳରେ ନାହାନ୍ତି । ତଥାପି ଦଳ କଡ଼ା ମୁକାବିଲା କରିବ ବୋଲି ଅଧିନାୟକ ହସମତୁଲ୍ଲା ସାହିଦି ପ୍ରକାଶ କରିଛନ୍ତି ।

ଭାରତ: ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍ (ଅଧିନାୟକ), ରିଷଭ ପନ୍ତ, ଧ୍ରୁବ ଜୁରେଲ, ୱାସିଂଟନ ସୁନ୍ଦର, ମାନବ ସୂତାର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ଆଫଗାନିସ୍ତାନ: ସେଦ୍ଦିକୁଲ୍ଲା ଅଟଳ, ରହମନୁଲ୍ଲା ଗୁରବାଜ, ରହମତ ଶାହ, ଅବଦୁଲ୍ ମାଲିକ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ଅଫଜର ଜାଜାଇ, ଜିଆଉର୍ ରେହମାନ ସରି ଶରଫୁଦ୍ଦିନ ଅସରଫ, ମହମ୍ମଦ ସଲିମ୍ ସଫି, ନଙ୍ଗେୟାଲିଆ ଖାରୋଟେ ।

ଏହା ବି ପଢନ୍ତୁ...Rumesh Pathirage: ମାଲିଙ୍ଗାଙ୍କ ସହ ଖେଳିଥିଲେ କ୍ରିକେଟ, ଭାଙ୍ଗିଲେ ନୀରଜଙ୍କ ରେକର୍ଡ; ଡାଇମଣ୍ଡ ଲିଗ୍ରେ ରୁମେଶଙ୍କ ଦମଦାର ଥ୍ରୋ