ନୂଆଦିଲ୍ଲୀ,୦୬/୧୨: ଆଡିଲେଡରେ ଆରମ୍ଭ ହେଲା ମୁକାବିଲା । ବର୍ଡର -ଗାଭାସ୍କର ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟରେ ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ମ୍ୟାଚ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବରେ ଦ୍ବିତୀୟ ଟେଷ୍ଟରେ ବାଜି ମାରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଜିତି ୧-୦ରେ ଆଗୁଆ ରହିଛି ଭାରତ । ସେପଟେ କମବ୍ୟାକ ଲକ୍ଷ୍ୟରେ ରହିଛି ଘରୋଇ କଙ୍ଗାରୁ ଦଳ ।

୧୦ଦିନର ବ୍ୟବଧାନ ପରେ ଭାରତ ଓ ଅଷ୍ଟ୍ରେଲିଆ ଦଳ ପୁଣିଥରେ ମଇଦାନକୁ ଲଢ଼େଇ ପାଇଁ ଓହ୍ଲାଇଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ୫୦,୦୦୦ରୁ ଊଦ୍ଧ୍ୱର୍ ଦର୍ଶକଙ୍କ କୋଳାହଳରେ ଖେଳାଯାଉଛି । ପ୍ରଥମ ଟେଷ୍ଟ ଜିତି ଆଗୁଆ ଥିବା ଭାରତ ଦ୍ବିତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପର୍ଥ ଟେଷ୍ଟ ଖେଳିନଥିବା ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ଟେଷ୍ଟରେ ଯୋଗ ଦେଇଛନ୍ତି । ଗୋଲାପି ବଲ୍‌ରେ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ ପିଙ୍କ୍‌ ବଲ୍‌ ଟେଷ୍ଟ ପାଇଁ କ୍ୟୁରେଟର ଡାମିଏନ ହଗ୍‌  ଏକ ପେସ୍‌ ବୋଲରଙ୍କୁ ସୁହାଇବା ଭଳି ପିଚ୍‌ ପ୍ରସ୍ତୁତ କରିଛନ୍ତି । ବ୍ୟାଟରମାନେ ମଧ୍ୟ ଏହି ପିଚ୍‌ର ଫାଇଦା  ଉଠାଇ ପାରିବେ । ଏଥିପାଇଁ ଧୈର୍ଯ୍ୟର ସହ କ୍ରିଜ୍‌ରେ ଜମିବାକୁ ହେବ । ପିଚ୍‌ ଉପରେ ୬ମିଲି ମିଟର ଘାସ ରହିଥିଲେ ହେଁ ନିମ୍ନ ଭାଗ ବେଶ ଶକ୍ତ । ତେଣୁ  ସ୍ପିନରମାନେ ଅତିରିକ୍ତ ବାଉନ୍ସ ପାଇବେ ।

ରେକର୍ଡ: ବୁମରା ଏହି ଟେଷ୍ଟରେ ଆଉ ମାତ୍ର ଗୋଟିଏ ୱିକେଟ୍‌ ନେଲେ ପ୍ରଥମ ବୋଲର ଭାବେ  ୨୦୨୪ ବର୍ଷରେ ୫୦ୱିକେଟ୍‌ ପୂରଣ କରିବେ । ବିରାଟ କୋହଲି ଏହି ଗ୍ରାଉଣ୍ଡ୍‌ରେ ୩ଟି ଟେଷ୍ଟ  ଶତକ ଅର୍ଜନ କରିଛନ୍ତି । ଏହି ଟେଷ୍ଟ ଜରିଆରେ  ସେ ଆଡିଲେଡ୍‌ରେ ସର୍ବାଧିକ ଶତକ ହାସଲକାରୀ  ବ୍ୟାଟର ହୋଇପାରିବେ ।  

ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ହେଡ-ଟୁ ହେଡ୍

ମୋଟ୍ ଟେଷ୍ଟ ସିରିଜ-୨୮

ଭାରତର ବିଜୟ-୧୧

ଅଷ୍ଟ୍ରେଲିଆର ବିଜୟ-୧୨

ଡ୍ର-୫

ଅଷ୍ଟ୍ରେଲିଆରେ ଭାରତର ଟେଷ୍ଟ ସିରିଜ ରେକର୍ଡ

ମୋଟ ଟେଷ୍ଟ ସିରିଜ-୧୩

ଭାରତର ବିଜୟ-୧୩

ଅଷ୍ଟ୍ରେଲିଆର ବିଜୟ- ୧୨

ଡ୍ର-୫

ପ୍ଲେଇଙ୍ଗ ଇଲେଭେନ୍

ଭାରତୀୟ ସ୍କ୍ବାର୍ଡ : ଯଶସ୍ୱୀ ଜୈସ୍ୱାଲ୍‌, କେଏଲ ରାହୁଲ,  ଶୁଭମନ ଗିଲ୍‌, ବିରାଟ କୋହଲି, ରୋହିତ ଶର୍ମା (ଅଧିନାୟକ), ରିଷଭ ପନ୍ତ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ରବିଚନ୍ଦ୍ରନ ଅଶ୍ବିନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ସ୍କ୍ବାର୍ଡ: ଉସମାନ ଖୱାଜା, ନାଥାନ ମ୍ୟାକସ୍ୱିନି, ମାର୍ନସ ଲାବୁସାନ, ଷ୍ଟିଭେନ ସ୍ମିଥ୍‌,  ଟ୍ରେଭିସ୍‌ ହେଡ୍‌, ମିଚେଲ ମାର୍ଶ, ଆଲେକ୍ସ କ୍ୟାରୀ, ପ୍ୟାଟ୍‌ କମିନ୍ସ (ଅଧିନାୟକ), ମିଚେଲ  ଷ୍ଟାର୍କ, ନାଥାନ ଲାୟନ, ସ୍କଟ୍‌ ବୋଲାଣ୍ଡ ।