ନୂଆଦିଲ୍ଲୀ,୧୬/୧୨: ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଗାବା ଟେଷ୍ଟରେ ବର୍ଷା ସାଜିଛି ବାଧକ । ଛାଡିବାର ନାମ ନେଉନାହିଁ ବର୍ଷା । ଫଳରେ ଆଜି ତୃତୀୟ ଦିନ ଖେଳକୁ ସ୍ଥଗିତ ରଖାଯାଇଛି ।  ତୃତୀୟ ଦିନରେ ୪୪୫ ରନ କରି ଅଲଆଉଟ ହୋଇଥିଲା ଘରୋଇ ଅଷ୍ଟ୍ରେଲିଆ । ଏହା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ୪ ୱିକେଟ ହରାଇ ୫୧ ରନ କରିଛି ଭାରତ । ୩୯୪ ରନ ଟ୍ରାଏଲ କରୁଛି ଟିମ୍ ଇଣ୍ଡିଆ । ବର୍ଷା ହେବାରୁ ଆଉ ଖେଳ ସମ୍ଭବ ହୋଇନଥିଲା ଫଳରେ ଷ୍ଟମ୍ପ ଘୋଷଣା ହୋଇଛି । ଏବେକାର ସ୍ଥିତି ସମୀକ୍ଷା କଲେ ଲାଗୁଛି ଭାରତ ହାତରୁ ଗାବା ଟେଷ୍ଟ ଖସି ଯାଇପାରେ । ୨ ଦିନ ଖେଳ ବାକି ଥିବାବେଳେ ହାତରେ ମାତ୍ର ୧୬ ୱିକେଟ ଅଛି ସେପଟେ ବର୍ଷା ଗେମ୍ ବିଗାଡିବାରେ ଲାଗିଛି ।

ଗାବା ଟେଷ୍ଟ ବଞ୍ଚେଇ ପାରିବ କି ରୋହିତସେନା- ମୁକାବିଲାର ତୃତୀୟ ଦିନରେ ବର୍ଷା ବାଧକ ସାଜିଛି । ବର୍ଷା ମଧ୍ୟରେ ବି ଅଷ୍ଟ୍ରେଲିଆ ୪ଟି ୱିକେଟ ନେଇସାରିଛି । ଏବେ ଆଉ ୨ ଦିନ ଖେଳ ବାକି ରହିଛି । ଏବେ ଟିମ୍ ଇଣ୍ଡିଆ ବ୍ୟାକଫୁଟରେ ପଡିଯାଇଛି । ଟିମ୍ ଇଣ୍ଡିଆକୁ ଫଲୋଅନ ବଞ୍ଚେଇବାକୁ ହେଲେ ୧୯୫ରନ କରିବାକୁ ହେବ । ଭାରତ ହାତରେ ଏବେ ୧୬ଟି ୱିକେଟ (ପ୍ରଥମ ଇନିଂସର ୬ ଓ ଦ୍ବିତୀୟ ଇନିଂସର ୧୦) ଅଛି । ବର୍ତ୍ତମାନ ୧୯୬ ଓଭର ଖେଳ ହେବ । ଯଦି ଆସନ୍ତାକାଲି ବର୍ଷା ହୁଏ ତେବେ ମ୍ୟାଚ ଡ୍ର ହେବାର ସମ୍ଭାବନା ରହିଛି ।

ତୃତୀୟ ଦିନରେ ଭାରତ ବ୍ୟାଟିଂ କରିଥିଲା । କେଏଲ ରାହୁଲ ଓ ଯଶ୍ବସୀ ଜୈସ୍ବାଲ ଓପନିଂ କରିଥିଲେ । ମାତ୍ର  ୪ ରନ କରି ଜୈସ୍ବାଲ ଆଉଟ ହୋଇଥିଲେ । ଏହାପରେ ଶୁଭମନ ଗିଲ ୧ ଓ ବିରାଟ କୋହଲି ୩ ରନ କରି ସଅଳ ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର ୩୩ରେ ୩ଟି ୱିକେଟ ହରାଇଥିଲା ଭାରତ । ଏହା ପରେ ବର୍ଷା ହେବାରୁ ଖେଳ ବନ୍ଦ ରହିଛି । ଏହା ପରେ ପୁଣି ଖେଳ  ଆରମ୍ଭ ହୋଇଥିଲା । କ୍ରିଜରେ ରାହୁଲ ଓ ପନ୍ତ ଥିଲେ । ୧୩ତମ ଓଭରରେ ଋଷବ ପନ୍ତ ୯ ରନ କରି କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ବର୍ଷା ହୋଇଥିଲା ଫଳରେ ଖେଳ ସମ୍ଭବ ନ ହେବାରୁ ଷ୍ଟମ୍ପ ଘୋଷଣା ହୋଇଥିଲା । ବର୍ତ୍ତମାନ ଭାରତ ୩୯୪ ରନ ଟ୍ରାଏଲ କରୁଛି ।

ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଂସରେ ଗାବା ଗ୍ରାଉଣ୍ଡରେ ରନ ବର୍ଷା କରିଥିଲା । ଟ୍ରେଭିସ ହେଡ ଓ ସ୍ମିଥ ଶତକ ହାସଲ କରିଥିଲେ । ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୪୦୫ ରନର ବିଶାଳ ସ୍କୋର କରିଥିବା ଅଷ୍ଟ୍ରେଲିଆ । ଓପନିର ଉସମାନ ଖ୍ବାଜା ଓ ନାଥନ ମ୍ୟାକସ୍ବିନି ଯଥାକ୍ରମେ ୨୧ ଓ ୯ ରନ କରିଥିଲେ । ଦୁଇଜଣଙ୍କୁ ଶିକାର କରିଥିଲେ ଯଶପ୍ରୀତ ବୁମରା । ମାନର୍ସ ଲାବୁସେନ ୧୨ ରନ କରି ନୀତିଶଙ୍କ ଶିକାର ହୋଇଥିଲେ । ୩ଟି ୱିକେଟ ପଡିବା ପରେ ଭାରତୀୟ ଶିବରରେ ଉଲ୍ଲାସ ଦେଖିବାକୁ ମିଳିଥିଲା ମାତ୍ର ବେଶୀ ସମୟ ନଥିଲା । ହେଡ ଓ ସ୍ମିଥ ଶତକ ହାସଲ କରିଥିଲେ । ଦୁହେଁ ଯଥାକ୍ରମେ ୧୫୨ ଓ ୧୦୧ ରନ କରିଥିଲେ । ଉଭୟଙ୍କୁ ବୁମରା ଆଉଟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମିଚେଲ ମାର୍ଶ ୫, କମିନ୍ସ ୨୦ ରନ କରି ଆଉଟ ହୋଇଥିଲେ । ଆଲେକ୍ସ କ୍ଯାରୀ (୪୫) ଓ ମିଚେଲ ଷ୍ଟାର୍କ (୭) ରନ କରି ଅପରାଜିତ ରହିଥିଲେ । ଦ୍ବିତୀୟ ଦିନ ଷ୍ଟମ୍ପ ପ୍ରସାରଣ ବେଳକୁ ଅଷ୍ଟ୍ରେଲିଆ ୭ଟି ୱିକେଟ ହରାଇ ୪୦୫ ରନ କରିଥିଲେ । ବୁମରା ୬ଟି ୱିକେଟ ହାସଲ କରିଥିଲେ । ନୀତିଶ ଓ ସିରାଜଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଆଜି (ସୋମବାର) ତୃତୀୟ ଦିନରେ ପୁଣି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ମିଚେଲ ଷ୍ଟାର୍କ ୧୮ ରନ କରି ବୁମରାଙ୍କ ଶିକାର ହୋଇଥିଲେ । ନାଥନ ଲାଏନଙ୍କୁ (୨) ଶିକାର କରିଥିଲେ ମହମ୍ମଦ ସିରାଜ । ପରେ ପରେ ଆଲେକ୍ସ କ୍ୟାରୀ ୭୦ ରନ କରି ଆକାଶ ଦୀପଙ୍କ ବଲରେ ପାଭିଲିୟନ ଫେରିଥିଲେ । ୧୧୭ତମ ଓଭରରେ ଅଷ୍ଟ୍ରେଲିଆ ଅଲଆଉଟ ହୋଇଥିଲା । ସ୍କୋର ବୋର୍ଡରେ ୪୪୫ରେ କରିଥିଲା ଦଳ ।