ହାଇଦ୍ରାବାଦ: ଦଶହରାରେ ଦେଶବାସୀଙ୍କୁ ଟିମ୍‌ ଇଣ୍ଡିଆର ବିଜୟ ଉପହାର । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ରେ ବାଜିମାତ କଲା ଭାରତୀୟ ଦଳ । ଲଗାତାର ତୃତୟ ବିଜୟ ସହ ଦଳ ସିରିଜ୍‌ କ୍ଲିନ ସୁଇପ୍‌ କରିନେଇଛି । ହାଇଦ୍ରାବାଦରେ ରନ୍‌ ବର୍ଷା କରିବା ପରେ ବୋଲିଂରେ କମାଲ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ । ସେପଟେ ୨୯୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ବାଂଲାଦେଶ । ହେଲେ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୬୪ ରନ୍‌ରେ ଅଟକି ଯାଇଛି ବାଂଲାଦେଶ କ୍ରିକେଟ ଟିମ୍‌ । ତୋହିଦ ହ୍ରିଦୟଙ୍କ ଅପରାଜିତ ୬୩ ରନ୍‌ ବେକାର ଯାଇଛି । ସେପଟେ ଭାରତୀୟ ଟିମ୍‌ର ରବି ବିଷ୍ଣୋଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ମୟଙ୍କ ଯାଦବ ଦୁଇଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିଭଳି ଓ୍ବାଶିଂଟନ ସୁନ୍ଦର ଏବଂ ନୀତୀଶ ରେଡ୍ଡି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଆଜି ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ରନ୍‌ ବର୍ଷ କରିଥିଲା ଭାରତୀୟ କ୍ରିକେଟ ଟିମ୍‌ । ହାଇଦ୍ରାବାଦରେ ସଞ୍ଜୁ ସାମସନ୍‌ ଶୋ’ ଦେଖିବାକୁ ମିଳିଥିଲା ।  ୪୭ ବଲରେ ୧୧୧ ରନ୍‌ କରି ଖେଳପ୍ରେମୀଙ୍କୁ ଚକିତ କରିଦେଇଥିବା ସାମସନ୍‌ ବାଂଲାଦେଶର ଜିତିବା ଆଶାକୁ ଧୂଳିସାତ କରିଦେଇଥିଲେ । ସାମସନଙ୍କୁ ସାଥ୍‌ ଦେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ୩୫ ବଲ୍‌ରେ ଦମଦାର ୭୫ ରନ୍‌ କରି ଦଳୀୟ ସ୍କୋରକୁ ଆକାଶଛୁଆଁ କରିଦେଇଥିଲେ ।  

ରିୟାନ ପରାଗ ୩୪ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ୍‌ କରିଥିଲେ ।  ଏହା ବ୍ୟତୀତ ଅଭିଷେକ ଶର୍ମା (୪), ରିଙ୍କୁ ସିଂ (୮*) ଏବଂ ଓ୍ବାଶିଂଟନ (୧*) ବଳରେ ଭାରତୀୟ ଟିମ୍‌ ୨୦ ଓଭରରେ ୨୯୭ ରନ୍‌ କରିଥିଲା । ଟି-୨୦ ଇତିହାସରେ ଦ୍ବିତୀୟ ସର୍ବାଧିକ ସ୍କୋର କରିବାରେ ସଫଳ ହୋଇଥିଲା ଭାରତୀୟ ଟିମ୍‌ । ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ନିଜ ନାଁରେ କରିସାରିଥିବା ଭାରତୀୟ ଦଳ ଶେଷ ମ୍ୟାଚ୍‌ ମଧ୍ୟ ନିଜ ନାଁରେ କରିଛି । ସେପଟେ ବାଂଲାଦେଶ ଶେଷ ମ୍ୟାଚ୍‌ ମଧ୍ୟ ଜିତିପାରି ନାହିଁ । 

୬ ଓ୍ବିକେଟ ହରାଇ ଭାରତୀୟ ଦଳ ୨୯୭ ରନ୍‌ କରିଥିବା ବେଳେ ବାଂଲାଦେଶ ଆଗରେ ୨୯୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ହେଲେ ବାଂଲାଦେଶ ଟିମ୍‌ ୧୬୪ ରନ୍‌ରେ ଅଟକି ଯାଇଛି । ଅନ୍ୟପଟେ ବାଂଲାଦେଶର ତାଞ୍ଜିମ ହାସନ ସାକିବ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ତାସକିନ୍‌ ଅହମଦ, ମୁସ୍ତାଫିଜୁର ରହମାନ ଏବଂ ମହମଦୁଲ୍ଲାହ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।