ନୂଆଦିଲ୍ଲୀ,୦୯/୧୦: ବୁଧବାର ଘରୋଇ ଭାରତ  ଓ ବାଂଲାଦେଶ ମଧ୍ୟରେ ଖେଳାଯିବ  ଦ୍ୱିତୀୟ ଟି-ଟ୍ୱେଣ୍ଟି  । ପ୍ରଥମ ମ୍ୟାଚ ଜିତି ସାରିଥିବା ଭାରତ ଦମ୍‌ଦାର ପ୍ରଦର୍ଶନ ଜାରି ରଖି  ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ବାଂଲାଦେଶ ସିରିଜକୁ ଫେରିବା ପାଇଁ ମଧ୍ୟ ସବୁ ଶକ୍ତି  ଖଟାଇବାକୁ ଅପେକ୍ଷା କରିଛି । ଫଳରେ କୋଟଲା  ଗ୍ରାଉଣ୍ଡ୍‌ରେ ବୁଧବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।  

ଦକ୍ଷତା ଓ ପୂର୍ବ ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିବା ସ୍ୱାଭାବିକ । ପ୍ରଥମ ମ୍ୟାଚ୍‌ରେ  ଅଭିଜ୍ଞ ବାଂଲାଦେଶକୁ ୧୨୮ ରନ୍‌ ମଧ୍ୟରେ ସୀମିତ  ରଖିବା ସହ ଭାରତ ମାତ୍ର ୧୨ ଓଭର ମଧ୍ୟରେ  ବିଜୟ ହାସଲ କରିଥିଲା । ରୋହିତ ଶର୍ମା, ବିରାଟ  କୋହଲି, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ  ଭଳି ଖେଳାଳି ନଥିଲେ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ  ଗଠିତ ଭାରତୀୟ ଦଳ ସବୁ ବିଭାଗରେ ଆଧିପତ୍ୟ  ଜାହିର କରିଥିଲା । ବୁଧବାର ମଧ୍ୟ ଦଳର ରାଜୁତି  ଦେଖିବାକୁ ମିଳିବ । 

ଭାରତକୁ ହରାଇବାକୁ ହେଲେ ପ୍ରଥମେ  ବାଂଲାଦେଶକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ । ସୀମିତ ଓଭର ଫର୍ମାଟ୍‌ରେ ଉନ୍ନତ ପ୍ରଦର୍ଶନ କରୁଥିବା  ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ ଓ ମହମୁଦୁଲ୍ଲାଙ୍କ  ବ୍ୟାଟ୍‌ରୁ ବଡ ଇନିଂସ ଆଶା କରାଯାଇପାରେ ।  ବାଂଲାଦେଶର ସ୍ପିନ ବୋଲିଂ ବିଭାଗ ସୁଦୃଢ  ରହିଥିଲେ ହେଁ ଭାରତର ବିସ୍ଫୋରକ ବ୍ୟାଟରମାନଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ପୂର୍ବ ଭଳି ଆସନ୍ତାକାଲି ମଧ୍ୟ ଭାରତୀୟ  ବ୍ୟାଟରଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂକୁ ଦର୍ଶକ  ଉତ୍ସୁକତାର ସହ ଅପେକ୍ଷା କରିବେ । ପ୍ରଥମ  ମ୍ୟାଚ୍‌ରେ ପାଣ୍ଡ୍ୟା ୧୬ଟି ବଲ୍‌ରୁ ଅପରାଜିତ ୩୯  ରନ୍‌ କରି ଦଳକୁ ବିଜୟୀ କରାଇଥିଲେ । ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ବ୍ୟାଟ୍‌ରୁ ମଧ୍ୟ ଦର୍ଶକ  ବିସ୍ଫୋରକ ଇନିଂସ ଦେଖିବାକୁ ଆଶା  ବାନ୍ଧିଛନ୍ତି । 

ବୁଧବାର ଭାରତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ମାତ୍ର ସବୁ ଖେଳାଳିଙ୍କୁ ସୁଯୋଗ ଦେବାର ଯୋଜନା ରହିଥିଲେ ମୟଙ୍କ ଯାଦବ ଓ ନିତିଶ କୁମାର ରେଡ୍ଡୀଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିପାରେ । ଫାଷ୍ଟ  ବୋଲର ମୟଙ୍କ ଫିଟ୍‌ ହେବା ପରଠୁ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ ଖେଳି ନଥିଲେ। ଫିଟ୍‌  ଘୋଷିତ ହେବା ମାତ୍ରେ ସେ ସିଧାସଳଖ ଭାରତୀୟ  ଦଳରେଧଶେଇ ପଶିଛନ୍ତି । ତେଣୁ ତାଙ୍କ କାର୍ଯ୍ୟଭାର  ଉପରେ ଗୁରୁତ୍ୱ ଦିଆଯିବ । ଠିକ ସେହିପରି ନିତିଶଙ୍କୁ ଅଲ୍‌ରାଉଣ୍ଡର ଭାବେ ପ୍ରସ୍ତୁତ କରିବା ଟିମ୍‌ ମ୍ୟାନେଜମେଣ୍ଟର ଦାୟିତ୍ୱ । ଉଭୟଙ୍କ ମଧ୍ୟରୁ  ଜଣେ ବିଶ୍ରାମ ପାଇଲେ ତିଳକ ବର୍ମା ଏକାଦଶରେ  ସ୍ଥାନ ହାସଲ କରିପାରିବେ । 

କୋଟଲା ଗ୍ରାଉଣ୍ଡ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ  ରହିବ । ଗତ ଆଇପିଏଲ୍‌ରେ ଏହି ଗ୍ରାଉଣ୍ଡ୍‌ରେ  ଖେଳାଯାଇଥିବା ୧୦ଟି ଇନିଂସ  (୫ମ୍ୟାଚ୍‌)ରୁ ୮ଟିରେ ୨୦୦ରୁ ଊଦ୍ଧ୍ୱର୍  ରନ୍‌ ସଂଗୃହୀତ ହୋଇଥିଲା । ଅବଶ୍ୟ  ରାତ୍ରିରେ କାକର ପଡ଼ିବାର ସମ୍ଭାବନା  ରହିଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ  ସହଜ ହେବ । ତେଣୁ ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର  ନିଶ୍ଚିତ । 

ଭାରତୀୟ ଦଳ: ସଞ୍ଜୁ ସାମସନ, ଅଭିଷେକ  ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ  ବର୍ମା/ନିତିଶ କୁମାର ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା,  ରିୟାନ ପରାଗ, ରିଙ୍କୁ ସିଂହ, ୱାସିଂଟନ ସୁନ୍ଦର,  ହର୍ଷିତ ରାଣା/ମୟଙ୍କ ଯାଦବ, ଅର୍ଶଦୀପ ସିଂହ,  ବରୁଣ ଚକ୍ରବର୍ତ୍ତୀ । 

ବାଂଲାଦେଶ ଦଳ: ପରଭେଜ ହୋସେନ/ତନଜିଦ  ହାସାନ, ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ  (ଅଧିନାୟକ), ତୌହିଦ ହୃଦୟ, ମହମୁଦୁଲ୍ଲା, ଜାକିର ଅଲି, ମେହଦି ହାସାନ ମିରାଜ, ରିଶଦ  ହୋସେନ, ଟସ୍କିନ ଅହମ୍ମଦ, ସରିଫୁଲ ଇସଲାମ,  ମୁସ୍ତାଫିଜର ରେହମାନ