ଗୋଆଲିୟର, ୦୬/୧୦: ଟେଷ୍ଟ ସିଜନର  ପ୍ରସ୍ତୁତି ମଧ୍ୟରେ ରବିବାରଠୁ ଆରମ୍ଭ ହେବ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-ଟ୍ୱେଣ୍ଟି  ସିରିଜ । ଗୋଟିଏ ପଟେ ଟେଷ୍ଟ ଦଳ ଆଗାମୀ  ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ସାମୟିକ ବିରତି ନେଇଥିବାବେଳେ ଅନ୍ୟ ପଟରେ ଯୁବ ଭାରତୀୟ ଦଳ ଅଭିଜ୍ଞ ବାଂଲାଦେଶ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଖେଳିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ।  

ଗୋଆଲିୟରରେ ରବିବାର ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଉଛନ୍ତି । ସିନିୟର ଖେଳାଳି ଭାବେ  ଦଳରେ କେବଳ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ଅନ୍ୟ ସବୁ ସଦସ୍ୟଙ୍କ ଅଭିଜ୍ଞତା ଢେର କମ୍‌ ।  ସଞ୍ଜୁ ସାମସନ, ରିଙ୍କୁ ସିଂହଙ୍କ ଭଳି ଆଉ କିଛି ପରିଚିତ ନାମ ଦଳରେ ରହିଛି । ଶିବମ ଦୁବେ  ଏହି ଦଳରେ ସ୍ଥାନ ପାଇଥିଲେ । ମାତ୍ର ସେ  ଆହତ ହୋଇ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବାମହାତି ବ୍ୟାଟର ତିଳକ ବର୍ମାଙ୍କୁ  ଡାକରା ମିଳିଛି । ସେ ଗତ ଦୁଲୀପ୍‌  ଟ୍ରଫିରେ ଶତକ ଅର୍ଜନ କରିଥିଲେ ।  

ମୁଖ୍ୟତଃ ଆଇପିଏଲ୍‌ରେ ସଫଳ ଖେଳାଳିମାନଙ୍କୁ ଏହି ଦଳରେ ସ୍ଥାନ  ମିଳିଛି । ବାଂଲାଦେଶ ଦଳ ନିୟମିତ ସଦସ୍ୟଙ୍କୁ ନେଇ ଏହି ସିରିଜ ଖେଳିବାକୁ ଯାଉଛି । ମହମୁଦୁଲ୍ଲା, ଲିଟନ ଦାସ, ମୁସ୍ତାଫିଜୁର ରେହମାନ, ମେହଦି ହାସାନ ମିରାଜ,  ଟସ୍କିନ ଅହମ୍ମଦଙ୍କ ଭଳି ଅଭିଜ୍ଞ ଖେଳାଳି  ଦଳରେ ରହିଛନ୍ତି । ମାତ୍ର ଦଳ ଷ୍ଟାର୍‌ ଅଲ୍‌ରାଉଣ୍ଡର ସାକିବ ଅଲ୍‌ ହାସନଙ୍କ  ଅନୁପସ୍ଥିତି ଅନୁଭବ କରିବା ନିଶ୍ଚିତ । 

ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବା ପୂର୍ବରୁ ୨ଜଣ ଖେଳାଳିଙ୍କ ନାମ ଚର୍ଚ୍ଚାରେ ରହିଛି । ସେମାନେ  ହେଲେ ସଞ୍ଜୁ ସାମସନ ଓ ମୟଙ୍କ ଯାଦବ । ସଞ୍ଜୁଙ୍କୁ  ଏଥର ଓପନର ଭାବେ ଦଳରେ ସ୍ଥାନ ଦିଆଯାଇଛି ।  ସେ ଅଭିଷେକ ଶର୍ମାଙ୍କ ସହ ପାଳି  ଆରମ୍ଭ କରିବା ନିଶ୍ଚିତ । 

ଠିକ୍‌ ସେହିପରି ସୁପର ଫାଷ୍ଟ ମୟଙ୍କ  ଯାଦବଙ୍କ ଘାତକ ପେସ୍‌ ବୋଲିଂକୁ ଦେଖିବା ପାଇଁ  ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଗତ ଆଇପିଏଲ୍‌ରେ ସେ ଘଣ୍ଟା ପ୍ରତି ୧୫୬ କିଲୋ ମିଟର  ବେଗରେ ବଲ୍‌ ପକାଇ ଆତଙ୍କ ଖେଳାଇଥିଲେ । ମାତ୍ର  ୪ଟି ମ୍ୟାଚ୍‌ ମଧ୍ୟରେ ସେ ଆହତ ହୋଇଥିଲେ ।  ସେବେଠୁ ତାଙ୍କ ବୋଲିଂ ଦେଖିବାକୁ କ୍ରିକେଟ୍‌ ପ୍ରେମୀ  ଅପେକ୍ଷା କରିଛନ୍ତି । ସେ ବର୍ତ୍ତମାନ ଫିଟ ହୋଇ  ପଦାର୍ପଣ କରିବାକୁ ଯାଉଛନ୍ତି । 

ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବାଂଲାଦେଶ  ଦଳ ବେଶ୍‌ ସନ୍ତୁଳିତ । ମାତ୍ର ଦକ୍ଷତା ଦୃଷ୍ଟିରୁ ଭାରତ  ଶକ୍ତିଶାଳୀ । ସବୁ ବିଭାଗରେ ବିଭିନ୍ନତା ରହିଛି ।  ବିଶେଷ କରି ଭାରତର ବୋଲିଂ ବିଭାଗ ବାଂଲାଦେଶ  ପାଇଁ ଚିନ୍ତାର କାରଣ ସାଜିବା ନିଶ୍ଚିତ । ବାଂଲାଦେଶର  ଯୁବ ଲେଗ ସ୍ପିନର ରିଶଦ ହୋସେନଙ୍କ ଉପରେ  ନଜର ରହିବ । ଗତ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ରେ ସେ ୧୪ଟି ୱିକେଟ୍‌ ନେଇଥିଲେ । 

ଗୋଆଲିୟର ପିଚ୍‌କୁ ନେଇ ପୂର୍ବାନୁମାନ  କରିବା କଷ୍ଟକର । ଏଠାରେ ପ୍ରଥମ କରି କୌଣସି  ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜିତ ହେବାକୁ ଯାଉଛି । ପୂର୍ବରୁ ଗୋଆଲିୟରରେ ଅନ୍ତର୍ଜାତୀୟ ମ୍ୟାଚ୍‌  ଖେଳାଯାଇଛି । ଉକ୍ତ ଷ୍ଟାଡ଼ିୟମ୍‌ର ନାମ ଥିଲା  କ୍ୟାପଟେନ ରୁପ ସିଂହ ଷ୍ଟାଡିୟମ୍‌ । ୨୦୧୦ରେ  ସଚିନ ତେନ୍ଦୁଲକର ଉକ୍ତ ଗ୍ରାଉଣ୍ଡ୍‌ରେ ପ୍ରଥମ  ଦିନିକିଆ ଦ୍ୱିଶତକ ଅର୍ଜନ କରିଥିଲେ । ରବିବାର ଖେଳାଯାଉଥିବା ଷ୍ଟାଡ଼ିୟମ୍‌ର ନାମ ମାଧବ ରାଓ ସିନ୍ଧିଆ ଷ୍ଟାଡ଼ିୟମ୍‌ । ରାତିରେ ମ୍ୟାଚ୍‌ ଖେଳାଯାଉଥିବାରୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇ ପାରନ୍ତି ।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ  (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ  ସାମସନ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ  ପରାଗ, ନିତିଶ କୁମାର ରେଡ୍ଡୀ, ତିଳକ ବର୍ମା,  ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ  ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ,  ହର୍ଷିତ ରାଣା, ମୟଙ୍କ ଯାଦବ ।  

ବାଂଲାଦେଶ ଦଳ: ନଜମୁଲ ହୁସେନ  ଶାନ୍ତୋ (ଅଧିନାୟକ), ତନଜିଦ ହାସାନ,  ପରଭେଜ ହୁସେନ ଇମୋନ, ତୌହିଦ  ହୃଦୟ, ମହମୁଦୁଲ୍ଲା, ଲିଟନ ଦାସ, ଜାକିର  ଅଲି, ମେହଦି ହାସାନ ମିରାଜ, ମେହଦି ହାସାନ,  ରିଶଦ ହୁସେନ, ମୁସ୍ତାଫିଜୁର ରେହମାନ, ଟସ୍କିନ  ଅହମ୍ମଦ, ଶରିଫୁଲ ଇସଲାମ, ତନଜିମ ହାସାନ  ସାକିବ, ରକିବୁଲ ହସନ ।