କୋଲକାତା: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି ଭାରତୀୟ ଦଳ । ୧୨.୫ ଓଭରରେ ୩ ଓ୍ବିକେଟ୍‌ ହରାଇ ୧୩୩ ରନ୍‌ କରିବା ସହ ଭ୍ରମଣକାରୀ ଦଳକୁ ମାତ ଦେଇଛି ଭାରତ । ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ବିଶାଳ ବିଜୟ ହାସଲ କରିଛି । ଆଜିର ମ୍ୟାଚ୍‌ରେ ଅଭିଷେକ ଶର୍ମା ୭୯ ରନ୍‌ କରିଥିବା ବେଳେ ସଂଜୁ ସାମସନ ୨୬ ରନ୍‌ କରିଛନ୍ତି । ସେହିଭଳି ତିଳକ ବର୍ମା ୧୯ ରନ୍‌ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ୍‌ କରି ଅପରାଜିତ ଅଛନ୍ତି । 

 ଆଜି କୋଲକାତାର ଇଡେନ ଗାର୍ଡେନସ୍‌ରେ ଖେଳାଯାଇଥିବା ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡର ଅଧିନାୟକ ଜସ୍‌ ବଟଲର ସର୍ବାଧିକ ୬୮ ରନ୍‌ କରିଥିବା ବେଳେ ଅନ୍ୟମାନେ ଭଲ ପ୍ରଦର୍ଶନ କରିପାରିନଥିଲେ । ୨୦ ଓଭର ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୧୩୨ ରନ୍‌ କରିବା ସହ ଅଲଆଉଟ୍‌ ହୋଇଯାଇଥିଲା । ସେପଟେ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ୍‌ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।  ସେହିଭଳି ଇଂଲଣ୍ଡ ଟିମ୍‌ର ଜୋଫ୍ରା ଆର୍ଚର ୨ଟି ଏବଂ ଆଦିଲ ରସିଦ ଗୋଟିଏ ଓ୍ବିକେଟ ନେଇଥିଲେ ।

ଆଜି ଇଂଲଣ୍ଡର ୧୩୨ ରନ୍ ଟାର୍ଗେଟ୍ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଭଲ ଆରମ୍ଭ କରିଥିଲେ । ହେଲେ ୪.୨ ଓଭର ବେଳକୁ ଦଳୀୟ ସ୍କୋର ୪୧ ବେଳେ ସଞ୍ଜୁ ସାମନଙ୍କ ୱିକେଟ ଯାଇଥିଲା। ସେ ମାତ୍ର ୨୦ ବଲରେ ୨୬ ରନ୍ କରିଥିଲେ।   ଏହାପରେ ସେହି ଓଭରରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ ମଧ୍ୟ ଯାଇଥିଲା । ସେ ଆଜି ଖାତା ଖୋଲିପାରି ନଥିଲେ । ସେପଟେ ଅଭିଷେକ ଶର୍ମା ବିସ୍ଫୋରକ ଇନିଂସ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ସଳର୍ଯ୍ୟ କୁମାର ଆଉଟ ହେବା ପରେ ଅଭିଷେକଙ୍କୁ ସହଯୋଗ କରିବାକୁ ଆସିଥିଲେ ତିଳକ ବର୍ମା । ହେଲେ ୧୧.୫ ଓଭର ବେଳକୁ ଅଭିଷେକଙ୍କ ଆଉଟ ହୋଇ ପାଭିଲିଅନ ଫେରିଥିଲେ । ସେ ମାତ୍ର ୩୪ ବଲରେ ୭୯ ରନ୍ କରିଥିଲେ । ଯେଉଁଥିରେ ସେ ୫ଟି ଚୌକା ମାରିଥିଲେ ଓ ୮ଟି ଛକା ମାରିଥିଲେ ।  ଏହାପରେ ତିଲକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁହେଁ ମିଶି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ମ୍ୟାଚ୍ ଜିତାଇଥିଲେ।