ନୂଆଦିଲ୍ଲୀ,୦୯/୦୨: କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ, ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ରେ ଅଦମ୍ୟ ଅଗ୍ରଣୀ ହାସଲ କରିଛି। ଭାରତୀୟ ଦଳର ବିଜୟର ସବୁଠାରୁ ବଡ଼ ନାୟକ ଥିଲେ ରୋହିତ ଶର୍ମା, ଯିଏକି ୯୦ ବଲ୍‌ରେ ୧୧୯ ରନ୍‌ର ଏକ ଚମତ୍କାର, ସ୍ମରଣୀୟ ଓ ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଶୁଭମନ ଗିଲ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ବିଜୟରେ ବଡ଼ ଯୋଗଦାନ ଦେଇଥିଲେ। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୩୦୪ ରନ୍‌ର ଏକ ବିଶାଳ ସ୍କୋର କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ଏବଂ ବେନ୍ ଡକେଟ୍ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଶେଷ ଓଭରଗୁଡ଼ିକରେ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ ମଧ୍ୟ ୪୧ ରନ୍‌ର ଦ୍ରୁତ ଇନିଂସ ଖେଳି ତାଙ୍କ ଦଳୀୟ ସ୍କୋରକୁ ୩୦୦ ରନ୍ ଅତିକ୍ରମ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ।

ସେପଟେ ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତ ବଡ଼ ସ୍କୋର କରିଥିଲେ ।  ରୋହିତ ଶର୍ମା ୭୬ ବଲରେ ଶତକ ପୂରଣ କରିଥିଲେ । ଦିନିକିଆରେ ଏହା ତାଙ୍କର ୩୨ ତମ ଶତକ । ଶତକ ପୂରା କରିବା ବେଳକୁ ରୋହିତ ୯ ଚୌକା ଓ ୭ ଛକା ମାରିଥିଲେ। ରୋହିତ ଶର୍ମା ଆଦିଲ ରସିଦଙ୍କ ବଲରେ ଛକା ମାରି ଶତକ ପୂରଣ କରିଥିଲେ । ଶେଷରେ ୧୧୯ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ରୋହିତ ଶର୍ମା । ଲିୟାମ ଲିଭିଂଷ୍ଟୋନ ବଲ୍‌ରେ ଆଦିଲ ରସିଦଙ୍କ ହାତରେ ସେ କ୍ୟାଚ୍‌ ଆଉଟ ହୋଇଥିଲେ । ଦୀର୍ଘ ଦିନ ପରେ ହିଟମ୍ୟାନ୍‌ ଫର୍ମକୁ ଫେରିବାକୁ ନେଇ ଖେଳପ୍ରେମୀଙ୍କ ଗହଣରେ ଉତ୍ସାହ ବଢ଼ିଯାଇଛି । ସେପଟେ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଭାରତୀୟ ଅଧିନାୟକଙ୍କ ପ୍ରଦର୍ଶନରେ ପରିବର୍ତ୍ତନ ଜରୁରି ଥିଲା । ଆଉ ଏବେ ଏହାର ପ୍ରମାଣ ଦେଇଛନ୍ତି ରୋହିତ ଶର୍ମା ।  

ରୋହିତ ଶର୍ମାଙ୍କ ବ୍ୟତୀତ ବାରବାଟୀ ଶୁଭମନ ଗିଲ୍‌ କମାଲ ପ୍ରଦର୍ଶନ କରିବା ସହ ୬୦ ରନ୍‌ କରିଥିଲେ । କିନ୍ତୁ ବିରାଟ କୋହଲି ପୁଣି ଥରେ ନିରାଶ କରିଥିଲେ ।  ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଥିଲେ କୋହଲି । ଶ୍ରେୟସ ଆୟର (୪୪) , ଅକ୍ଷର ପଟେଲ୍‌ ଅପରାଜିତ ୪୧ ରନ୍‌ ଏବଂ ରବୀନ୍ଦ୍ର ଜାଡେଜା ୧୧ ରନ୍‌ କରି ନଟଆଉଟ୍‌ ଥିଲେ । ସେହିଭଳି କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ରନ୍‌ ଲେଖାଏଁ କରିଥିଲେ । ତେବେ ଆଜି ବାରବାଟୀରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ହୋଇଥିଲେ । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ଦଳ ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନ୍‌ କରିଥିଲା । ଏହା ସହ ଇଂଲଣ୍ଡ ଅଲଆଉଟ୍‌ ହୋଇଯାଇଥିଲା ।  ଆଜି ଇଂଲଣ୍ଡ ଟିମ୍‌ର ବେନ୍‌ ଡକେଟ ଏବଂ ଜୋ ରୁଟ୍‌ ଅର୍ଦ୍ଧଶତକ କରିଥିଲେ । ଡକେଟ୍‌ ୫୬ ବଲ୍‌ରେ ୬୫ ରନ୍‌ କରିଥିବା ବେଳେ ଜୁ ରୁଟ୍‌ ୬୯ ରନ୍‌ କରିଥିଲେ । ସେପଟେ ବାରବାଟୀରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା । ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ ବୋଲର ଓ୍ବିକେଟ ହାସଲ କରିଥିଲେ । ରବୀନ୍ଦ୍ର ଜାଡେଜା ୧୦ ଓଭରରେ ମାତ୍ର ୩୫ ରନ୍‌ ଦେବା ସହ ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିଲେ । ଏହା ସହ ମହମ୍ମଦ ଶାମି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲଖାଏଁ ଓ୍ବିକେଟ ନେଇଥିଲେ ।