ମାଞ୍ଚେଷ୍ଟର,୨୨/୦୭: ବୁଧବାରଠୁ ଆରମ୍ଭ ହେବାକୁ ଯାଉଥିବା ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ ଗତ ଦୁଇ ଦିନ ହେଲା ଓଲ୍ଡ  ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅଭ୍ୟାସ ଚଳାଇଛି । ମ୍ୟାଚ୍‌ ପାଖେଇ ଆସୁଥିବାବେଳେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ଚିତ୍ର ଧିରେ ଧିରେ  ସ୍ପଷ୍ଟ ହେବାରେ ଲାଗିଛି । ଯଶପ୍ରୀତ ବୁମରା  ଚତୁର୍ଥ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ  ରହିଛି । ସୋମବାର ସାମ୍ବାଦିକ ସମ୍ବିଳନୀରେ ମହମ୍ମଦ ସିରାଜ ଏ ବିଷୟରେ ଜଣାଇଛନ୍ତି । ଲର୍ଡ୍ସରେ ଆହତ ହୋଇଥିବା ରିଷଭ ପନ୍ତ ମଧ୍ୟ ଖେଳିବାର ସମ୍ଭାବନା ରହିଛି । ସେ ୱିକେଟ କିପିଙ୍ଗ୍‌ ଅଭ୍ୟାସ କରିଛନ୍ତି ।  

ଉଭୟ ଷ୍ଟାର ଖେଳାଳିଙ୍କୁ ନେଇ ଗତ ସପ୍ତାହେ କାଳ ଧରି ଲାଗି ରହିଥିବା ସବୁ ଆଲୋଚନାର ଅନ୍ତ ଘଟିଥିଲେ ହେଁ ଆହତ ହୋଇ ସିରିଜରୁ ବାଦ ପଡ଼ିଥିବା ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନକୁ  ନେଇ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି ।  ନୀତିଶଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବା  ଆଶା କରାଯାଉଥିବାବେଳେ ସର୍ଦୁଲ ଠାକୁରଙ୍କ ସମେତ କାମ୍ବୋଜ ମଧ୍ୟ ନୂଆ ପ୍ରତିଦ୍ୱନ୍ଦ୍ୱୀ ଭାବେ ରହିଛନ୍ତି । ଆହତ ନୀତିଶଙ୍କ ସ୍ଥାନରେ ଯୁବ ପେସ୍‌  ବୋଲର ଅଂଶୁଲ କାମ୍ବୋଜ ଦଳରେ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିଛନ୍ତି । 

ସୁଦର୍ଶନ-ନାଏର-ସୁନ୍ଦର 

ଓଲ୍ଡ ଟ୍ରାଫୋର୍ଡରେ ଭାରତର ଚୂଡ଼ାନ୍ତ ଏକାଦଶକୁ  ନେଇ ବହୁ ଆଲୋଚନା ହେବା ସ୍ୱାଭାବିକ । ସିରିଜ ପରାଜୟରୁ ବଞ୍ଚିବା ପାଇଁ ହେଲେ ଏହି ମ୍ୟାଚ୍‌  ଜିତିବା ଜରୁରି । ତେଣୁ ସନ୍ତୁଳିତ ଏକାଦଶ ଗଠନ କରିବା ପାଇଁ ଟିମ ମ୍ୟାନେଜମେଣ୍ଟ ଲାଗି ପଡ଼ିଛି ।  ଚତୁର୍ଥ ଟେଷ୍ଟ ପାଇଁ ବାମ ହାତି ବ୍ୟାଟର ସାଇ ସୁଦର୍ଶନ ଏକାଦଶକୁ ଫେରିବାର ସମ୍ଭାବନା  ରହିଛି । ସେ ଖେଳିଲେ କରୁଣ ନାଏର କିମ୍ବା  ୱାସିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣେ ବାଦ ପଡ଼ିବେ ।  ପିଚ ଓ ୫ଦିନର ପାଗକୁ ନଜରରେ ରଖି ଚୂଡ଼ାନ୍ତ  ନିଷ୍ପତ୍ତି ନିଆଯିବ । ପ୍ରଥମ ଟେଷ୍ଟ ଭଳି ଉଭୟ  ସୁଦର୍ଶନ ଓ ନାଏରଙ୍କୁ ରଖି ସୁନ୍ଦରଙ୍କୁ ଏକାଦଶରୁ  ବାଦ ଦିଆଯାଇପାରେ । ସୁନ୍ଦରଙ୍କ ସମେତ ଉଭୟ  ନାଏର ଓ ସୁଦର୍ଶନଙ୍କୁ ମଧ୍ୟ ଖେଳାଯିବା ସମ୍ଭାବନାକୁ  ଏଡ଼ାଇ ଦିଆଯାଇପାରିବ ନାହିଁ । ନୀତିଶଙ୍କ  ସ୍ଥାନରେ ସୁଦର୍ଶନଙ୍କୁ ସୁଯୋଗ ମିଳିବ ।  

ପନ୍ତ/ଜୁରେଲ ପନ୍ତ 

ଚତୁର୍ଥ ଟେଷ୍ଟରେ ୱିକେଟ କିପିଙ୍ଗ କଲେ ନୀତିଶଙ୍କ ସ୍ଥାନରେ ସୁଦର୍ଶନଙ୍କୁ ଖେଳାଯାଇପାରିବ । ନଚେତ ଉଭୟ ପନ୍ତ ଓ  ଜୁରେଲ ଖେଳିବେ । ପନ୍ତ ବ୍ୟାଟର ଭାବେ ଖେଳିବେ ଓ ଜୁରେଲ ୱିକେଟ୍‌ କିପିଙ୍ଗ୍‌ କରିବେ ।  

ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ନୀତିଶ  ଚତୁର୍ଥ ପେସ ବୋଲର ଦାୟିତ୍ୱ ତୁଲାଇଥିଲେ । ଓଲ୍ଡ ଟ୍ରାଫୋର୍ଡ ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା କଲେ ଭାରତ ଚତୁର୍ଥ ପେସ୍‌ ବୋଲର ଆବଶ୍ୟକ  କରିବ । ଏବଂ ଏହି ସ୍ଥାନରେ ସର୍ଦୁଲ ଠାକୁର  ଖେଳି ପାରିବେ ।  ଦଳର ଅନ୍ୟ ପେସ୍‌ ବୋଲର ଆକାଶ ଦୀପ  ମଧ୍ୟ ଆହତ ଅଛନ୍ତି ।  ସେ ନେଟ୍ସରେ ବୋଲିଂ  କରିଥିଲେ । ମାତ୍ର ତାଙ୍କ ଅଭ୍ୟାସକୁ ବୋଲିଂ  କୋଚ୍‌ ସୀମିତ ରଖିଥିଲେ । ଫିଜିଓଙ୍କ ନଜର  ମଧ୍ୟ ତାଙ୍କ ଉପରେ ରହିଥିଲା । 

ମଙ୍ଗଳବାର  ତାଙ୍କ ଫିଟ୍‌ନେସ୍‌କୁ ପରଖିବା ପରେ ଖେଳିବା  ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଆକାଶ ଖେଳି  ନପାରିଲେ ତାଙ୍କ ସ୍ଥାନରେ ଅଂଶୁଲ କାମ୍ବୋଜ କିମ୍ବା  ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣେ ଏକାଦଶରେ ସ୍ଥାନ  ପାଇବେ । ପ୍ରଥମ ୨ଟି ଟେଷ୍ଟରେ ପ୍ରସିଦ୍ଧ ବ୍ୟୟ  ବହୁଳ ସାବ୍ୟସ୍ତ ହୋଇଥିଲେ । କାମ୍ବୋଜ ଗତ ୨ଟି  ଘରୋଇ ପ୍ରଥମ ଶ୍ରେଣୀ ସିଜନରେ ୭୨ଟି ୱିକେଟ୍‌  ନେଇଛନ୍ତି । ତେଣୁ ତାଙ୍କୁ ମଧ୍ୟ ବିଚାରକୁ ନିଆଯିବ । 

କୁଲଦୀପଙ୍କ ପାଇଁ ସ୍ଥାନ ନାହିଁ

ଚତୁର୍ଥ ଟେଷ୍ଟରେ ବାମ ହାତି ଲେଗ୍‌ ସ୍ପିନର  କୁଲଦୀପ ଯାଦବଙ୍କ ଖେଳିବା ସମ୍ଭାବନା  କ୍ଷୀଣ । ନିୟମିତ ଅଭ୍ୟାସ କରୁଥିଲେ ହେଁ  ତାଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ ଭରସା  କରିପାରୁ ନଥିବା ଅନୁମାନ କରାଯାଉଛି । ଓଲ୍ଡ  ଟ୍ରାଫୋର୍ଡ ଟେଷ୍ଟ ସମୟରେ ପ୍ରଥମ, ଦ୍ୱିତୀୟ  ଓ ପଞ୍ଚମ ଦିବସରେ ବର୍ଷା ହେବାର ସମ୍ଭାବନା  ରହିଛି । କୋହଲା ପାଗ ରହିଲେ ପିଚ୍‌  ପେସ ବୋଲରଙ୍କୁ ସହାୟତା କରିବ । ତେଣୁ  ଅତିରିକ୍ତ ସ୍ପିନର ବଦଳରେ ପେସ୍‌ ବୋଲର  ନେଇ ଖେଳିବାକୁ ଭାରତ ବିଚାର କରୁଛି ।