ଲଣ୍ଡନ,୩୧/୦୭: ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା । ଇଂଲଣ୍ଡ ୨-୧ରେ ସିରିଜ ଆଗୁଆ ରହିଛି । ଭାରତ ନିକଟରେ ରହିଛି କେବଳ ସିରିଜ ବରାବର କରିବାର ସୁଯୋଗ । ତେଣୁ ଏହି ସୁଯୋଗକୁ ହାତଛଡ଼ା ନକରି ଅନ୍ତିମ ଟେଷ୍ଟ ଜିତିବାକୁ ଭାରତ ପ୍ରସ୍ତୁତ ଅଛି ।
ଗ୍ରାଉଣ୍ଡ୍ ଭିତରେ ୨୦ଦିନର ଘମାଘୋଟ ଲଢେଇ ସହ କିଛି ସ୍ଲେଜିଂ ବିବାଦ ସମ୍ପୂର୍ଣ୍ଣ ସିରିଜକୁ ରୋମାଞ୍ଚର ଶିଖରରେ ପହଞ୍ଚାଇ ଥିବାବେଳେ ପଞ୍ଚମ ଟେଷ୍ଟ ପୂର୍ବରୁ ପିଚ୍ କ୍ୟୁରେଟର ଓ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣା କରିଛି । ଫଳରେ ଓଭାଲ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।
ଓଭାଲରେ ଶେଷ ଥର ପାଇଁ ୨୦୨୧ରେ ଭାରତ ଏକ ଟେଷ୍ଟ ଜିତିଥିଲା । ରୋହିତ ଶର୍ମା ଦ୍ୱିତୀୟ ଇନିଂସରେ ଶତକ ଅର୍ଜନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ସଫଳତାକୁ ଦୋହରାଇବା ପାଇଁ ଯୁବ ଭାରତୀୟ ଦଳ ଚେଷ୍ଟା କରିବ । ମାଞ୍ଚେଷ୍ଟର ଟେଷ୍ଟ ଡ୍ର’ ପରେ ଭାରତୀୟ ଦଳର ମନୋବଳ ଉର୍ଦ୍ଧ୍ବରେ ରହିଛି । ତେଣୁ ଚାପ ମୁକ୍ତ ଭାରତୀୟ ଦଳ ଆଜି ବିଜୟ ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପ୍ରସ୍ତୁତ ।
ଆହତ ଷ୍ଟୋକ୍ସ ବିଦା: ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଆହତ ହୋଇ ପଞ୍ଚମ ଟେଷ୍ଟରୁ ବାଦ ପଡ଼ିବା ଭାରତ ପାଇଁ ଶୁଭଙ୍କର । ସିରିଜ ସାରା ସେ ଉଭୟ ବୋଲିଂ ଓ ବ୍ୟାଟିଂ ବଳରେ ଭାରତୀୟ ଦଳକୁ ଚିନ୍ତାରେ ପକାଇ ଦେଇଥିଲେ । ଷ୍ଟୋକ୍ସ ଗତ ୪ଟି ଟେଷ୍ଟରେ ୧୪୦ ଓଭର ବୋଲିଂ କରିସାରିଛନ୍ତି । ମାଞ୍ଚେଷ୍ଟରରେ ସେ ବାମ ଗୋଡ ଓ ଡାହାଣ କାନ୍ଧରେ ଯନ୍ତ୍ରଣା ସତ୍ତେ୍ୱ ୩୫ ଓଭର ବୋଲିଂ କରିଥିଲେ । କାନ୍ଧ ଯନ୍ତ୍ରଣା ଯୋଗୁଁ ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଫିଟ୍ ହେବା ପାଇଁ ତାଙ୍କୁ ଅତି କମ୍ରେ ୪ ମାସ ସମୟ ଲାଗିବ । ତାଙ୍କ ସ୍ଥାନରେ ଯୁବ ବାମ ହାତି ବ୍ୟାଟର ଜାକବ ବେଥେଲ ଖେଳିବେ ।
ବୁମରାଙ୍କ ସ୍ଥାନରେ ଆକାଶ ଦୀପ: ଯଶପ୍ରୀତ ବୁମରାଙ୍କ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ । ସେ ସମ୍ପୂର୍ଣ୍ଣ ଫିଟ୍ ଥିବା କୋଚ୍ ୨ଦିନ ତଳେ ପ୍ରକାଶ କରିଥିଲେ । ତଥାପି ତାଙ୍କୁ ବିଶ୍ରାମ ଦେବାକୁ ଯୋଜନା ହୋଇଥିବା ଶୁଣିବାକୁ ମିଳୁଛି । ତେବେ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କିଛି ଘୋଷଣା କରାଯାଇ ନାହିଁ । ବୁମରା ବିଶ୍ରାମ ପାଇଲେ ତାଙ୍କ ସ୍ଥାନରେ ଆକାଶ ଦୀପ ଏକାଦଶକୁ ଫେରିବେ । ସେ ଗତ ଦୁଇ ଦିନ ହେଲା ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି ।
ସେହିପରି ଅଂଶୁଲ କାମ୍ବୋଜଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଖେଳିବା ସମ୍ଭାବନା ରହିଛି । ଅନ୍ୟ ପେସ୍ ବୋଲର ଅର୍ଶଦୀପ ମଧ୍ୟ ପଦାର୍ପଣ କରିବା ଆଶା କରାଯାଉଛି । ସର୍ଦୁଲ ଠାକୁରଙ୍କ ସ୍ଥାନରେ ଅର୍ଶଦୀପ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା ପାଇଁ ଯୋଜନା ହେଉଛି । ଚୂଡ଼ାନ୍ତ ଏକାଦଶ ଜାଣିବା ପାଇଁ ଟସ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଚତୁର୍ଥ ଟେଷ୍ଟରେ ଆହତ ହୋଇଥିବା ରିଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଖେଳିବା ନିଶ୍ଚିତ । ଇଂଲଣ୍ଡ ଆଜି ଏକ ନୂଆ ପେସ୍ ବାହିନୀ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଷ୍ଟୋକ୍ସଙ୍କ ବ୍ୟତୀତ ଜୋଫ୍ରା ଆର୍ଚର ଓ ବ୍ରାଇହନ କାର୍ସ ମଧ୍ୟ ଏକାଦଶରୁ ବାଦ ପଡ଼ିଛନ୍ତି । ତେଣୁ ଆଜି କ୍ରିସ୍ ୱକ୍ସଙ୍କ ସହ ଗସ ଆଟକିନସନ, ଜୋସ ଟଙ୍ଗ ଓ ଜାମି ଓଭରଟନ ପେସ୍ ବିଭାଗ ସମ୍ଭାଳିବେ ।
ଭାରତ ଏଥର ୫ଜଣ ନିୟମିତ ବୋଲରଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାର ସମୟ ଆସିଛି । ଚତୁର୍ଥ ବୋଲର ଭାବେ କୁଲଦୀପ ଯାଦବ ଖେଳିବା ଭାରତ ପାଇଁ ଲାଭ ଦାୟକ ହେବ ବୋଲି ବହୁ ପୂର୍ବତନ କ୍ରିକେଟ୍ ଖେଳାଳି ମତ ଦେଇଛନ୍ତି । ମାତ୍ର ଦଳରେ ୨ଜଣ ସ୍ପିନର ରବିନ୍ଦ୍ର ଜାଡ଼େଜା ଓ ୱାସିଂଟନ ସୁନ୍ଦର ରହିଥିବାରୁ କୁଲଦୀପଙ୍କ ଖେଳିବା ଆଶା କ୍ଷୀଣ । ବରଂ ବାମ ହାତି ପେସ୍ ବୋଲର ଅର୍ଶଦୀପଙ୍କୁ ଖେଳାଇବା ଉଚିତ ପଦକ୍ଷେପ ହୋଇପାରେ ।
ଗିଲ୍ ପାଇଁ ରେକର୍ଡ ସୁଯୋଗ: ଟିମ ଇଣ୍ଡିଆ ଅଧିନାୟକ ଏହି ଟେଷ୍ଟ ଜରିଆରେ ଅନେକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ସେ ଏହି ସିରିଜରେ ୪ଟି ଶତକ ଅର୍ଜନ କରିସାରିଛନ୍ତି । ଆଉ ଗୋଟିଏ ଶତକ କଲେ ସେ କ୍ଲାଇଭ ୱାଲକଟଙ୍କ ରେକର୍ଡ ସହ ସମକକ୍ଷ ହେବେ । ଏକମାତ୍ର ବ୍ୟାଟର ଭାବେ ଗୋଟିଏ ସିରିଜରେ ସର୍ବାଧିକ ୫ଟି ଶତକ ଅର୍ଜନ କରିଥିଲେ କ୍ଲାଇଭ ୱାଲକଟ । ସେ ୧୯୫୫ରେ ଏହି ସଫଳତା ଅର୍ଜନ କରିଥିଲେ । ଗିଲ୍ ଏହି ମ୍ୟାଚ୍ରେ ୨୫୨ ରନ କଲେ ଡନ ବ୍ରାଡମ୍ୟାନଙ୍କ ନାମରେ ଥିବା ଗୋଟିଏ ସିରିଜରେ ସର୍ବାଧିକ ରନ୍ ରେକର୍ଡ ଭାଙ୍ଗିବେ । ବ୍ରାଡମ୍ୟାନ୍ ୧୯୩୦ ଆସେସରେ ୯୭୪ ରନ ସଂଗ୍ରହ କରିଥିଲେ ।
ଟସ ଜିତିଲେ ଫିଲ୍ଡିଂ: ପିଚ୍ ଓ ଇଂଲଣ୍ଡ ଘୋଷଣା କରିଥିବା ଏକାଦଶକୁ ଦେଖିଲେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆଶା କରାଯାଇପାରେ । ପିଚ୍ରେ ସବୁଜ ଘାସର ବଳୟ ରହିଛି । ଟସ୍ ପୂର୍ବରୁ ଏହାକୁ କାଟି ଛୋଟେଇ ଦିଆଯିବ । ତଥାପି ପ୍ରାରମ୍ଭରୁ ପେସ ବୋଲର ପିଚ୍ର ଫାଇଦା ଉଠାଇ ପାରିବେ । ଇଂଲଣ୍ଡ ମଧ୍ୟ ୪ଜଣିଆ ପେସ୍ ବାହିନୀ ପ୍ରସ୍ତୁତ କରିଛି । ଦଳରେ ଏକମାତ୍ର ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ଜାକବ ବେଥେଲ ସ୍ଥାନ ପାଇଛନ୍ତି । ତେଣୁ ଯାହା ଆଶା କରାଯାଉଛି, ପିଚ୍ ପେସ୍ ବୋଲରଙ୍କୁ ଯଥେଷ୍ଟ ସହାୟତା ପ୍ରଦାନ କରିବ।
ସମ୍ଭାବ୍ୟ ଏକାଦଶ
ଇଂଲଣ୍ଡ : ଜ୍ୟାକ୍ କ୍ରଲି, ବେନ ଡକେଟ୍, ଓଲି ପୋପ(ଅଧିନାୟକ), ଜୋ ରୁଟ୍, ହ୍ୟାରୀ ବ୍ରୁକ୍, ଜାକବ ବେଥେଲ, ଜାମି ସ୍ମିଥ, କ୍ରିସ୍ ୱକ୍ସ, ଗସ ଆଟକିନସନ, ଜାମି ଓଭରଟନ, ଜୋସ ଟଙ୍ଗ ।
ଭାରତ : ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ସର୍ଦୁଲ ଠାକୁର/ କୁଲଦୀପ ଯାଦବ/ଅର୍ଶଦୀପ ସିଂହ।