ଚେନ୍ନାଇ: ଭାରତର ଲଗାତାର ଦ୍ବିତୀୟ ବିଜୟ । ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି ଭାରତ । ଆଜିର ଏହି ମ୍ୟାଚରେ ତିଲକ ବର୍ମାଙ୍କ ଶୋ’ ଦେଖିବାକୁ ମିଳିଛି । ଭାରତୀୟ ଟିମ୍‌କୁ ବିଜୟୀ କରିବାରେ ସେ ମୁଖ୍ୟ ଭୂମିକା ନେଇଛନ୍ତି । ତିଲକ ବର୍ମା ୫୫ ବଲ୍‌ରେ ୭୨ ରନ୍‌ କରି ଅପରାଜିତ ଅଛନ୍ତି ।  ତାଙ୍କୁ ବାଦ ଦେଲେ ଆଜି ଅନ୍ୟ ବ୍ୟାଟର ଖାସ ପ୍ରଦର୍ଶନ କରିପାରି ନାହାନ୍ତି । ତିଲକ ବର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଲାଗି ଭାରତୀୟ ଦଳ ୧୯.୨ ଓଭରରେ ୧୬୬ ରନ୍‌ କରି ବିଜୟୀ ହୋଇଛି ।  

ଆଜି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭ୍ରମଣକାରୀ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୬୫ ରନ୍‌ କରିଥିଲା । ଅଧିନାୟକ ଜସ୍‌ ବଟଲର ସର୍ବାଧିକ ୪୫ ରନ୍‌ କରିଥିବା ବେଳେ ବ୍ରେଡନ କାର୍ସ(୩୧), ଜେମି ସ୍ମିଥ (୨୨) ଫିଲିପ ସଲ୍ଟ (୪), ଡକେଟ୍‌ (୩), ହାରି ବ୍ରୁକ୍‌ (୧୩), ଲିଭିଂଷ୍ଟୋନ୍‌ (୧୩), ଜେମି ଓଭରଟନ୍‌ (୫) ଜୋଫ୍ରା ଆର୍ଚର (୧୨), ଆଦିଲ ରଶିଦ (୧୦) ଏବଂ ମାର୍କ ଉଡ୍‌ (୫*) ରନ୍‌ କରିଥିଲେ । ଭରତ ପକ୍ଷରୁ ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେମାନଙ୍କ ବ୍ୟତୀତ ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର ଏବଂ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ସେପଟେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳୀୟ ସ୍କୋର ୧୫ ଥିବା ବେଳେ ଅଭିଷେକ ଶର୍ମା, ୧୯ ରନ୍‌ରେ ସଂଜୁ ସାମସନ ଆଉଟ୍‌ ହୋଇ ଫାଭିଲିୟନ୍‌ ଫେରିଥିଲେ । ଗତ ମ୍ୟାଚ୍‌ ଭଳି ଆଜିର ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିଫଳ ହୋଇଥିଲେ । ସେ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଭାରତୀୟ ଦଳକୁ ବିଜୟୀ କରାଇବାରେ ସବୁଠୁ ବଡ଼ ଭୂମିକା ନେଇଥିଲେ ତିଲକ ବର୍ମା । ଶେଷରେ ଭାରତୀୟ ଦଳ ୧୯.୨ ଓଭରରେ ୧୬୬ ରନ୍‌ କରି ଦ୍ବିତୀୟ ଟି-୨୦ରେ ବିଜୟୀ ହୋଇଛି । ଏହା ସହ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ରେ ଅଗ୍ରଣୀ ହାସଲ କରିଛି ଟିମ୍‌ ଇଣ୍ଡିଆ । ସେପଟେ ବ୍ରେଡନ କାର୍ସ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ ।