ପୁନେ: ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ କମାଲ କଲା ନ୍ୟୁଜିଲାଣ୍ଡ । ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩୦୧ ରନ୍‌ରେ ଆଗୁଆ ରହିଛି । ଟିମ୍‌ ଦ୍ବିତୀୟ ପାଳିରେ ୫୩ ଓଭରରେ ୫ ଓ୍ବିକେଟ ହରାଇ ୧୯୮ ରନ୍‌ କରିଛି । ଗ୍ଲେନ୍‌ ଫିଲିପ୍ସ ୯ ରନ୍‌ ଏବଂ ଟମ ବ୍ଲଣ୍ଡେଲ ୩୦ ରନ୍‌ କରି ଅପରାଜିତ ଅଛନ୍ତି । ଆଜି ଟମ୍‌ ଲାଥମ ଦମଦାର ୮୬ ରନ୍‌ କରିଛନ୍ତି । ସେହିଭଳି ଓ୍ବିଲ ୟଙ୍ଗ (୨୩), ଡେଭନ କନଓ୍ବେ (୧୭), ରଚିନ ରବୀନ୍ଦ୍ର (୯) ଏବଂ ଡାରିଲ ମିଚେଲ (୧୮)ଙ୍କ ଯୋଗଦାନରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳୀୟ ସ୍କୋର ୧୯୮ ରନ୍‌ରେ ପହଞ୍ଚିଛି । ସେପଟେ ଭାରତୀୟ ଦଳର ଓ୍ବାଶିଂଟନ ସୁନ୍ଦର ଦମଦାର ବୋଲିଂ କରିଛନ୍ତି । ସେ ୧୯ ଓଭର ବୋଲିଂ କରି ୫୬ ରନ୍‌ ଦେବା ସହ ୪ଟି ଓ୍ବିକେଟ ନେଇଛନ୍ତି । 

ଏହା ପୂର୍ବରୁ ଦ୍ବିତୀୟ ଦିନରେ ଟିମ୍‌ ଇଣ୍ଡିଆ ୧୬/୧ରେ ନିଜ ଅଧୁରା ପ୍ରଥମ ଇନିଂସ ଆରମ୍ଭ କରିଥିଲା । ଶୁଭମନ ଗିଲ ଏବଂ ଯଶସ୍ବୀ ଜୟସ୍ବାଲ ବହୁତ ଧିମା ଖେଳିଥିଲେ ଏବଂ ୩୦ ରନ୍‌ ଲେଖାଏଁ କରି ଆଉଟ ହୋଇଯାଇଥିଲେ । ବିରାଟ କୋହଲି ମାତ୍ର ୧ ରନ୍‌ କରି ମିଚେଲ ସ୍ୟାଣ୍ଟନରଙ୍କ ଶିକାର ହୋଇଥିଲେ । କ୍ଲିନ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ କୋହଲି । ଏହା ପରେ ରବୀନ୍ଦ୍ର ଜାଡେଜା ୩୮ ରନ୍‌ର ପାଳି ଖେଳିଥିଲେ । ଶେଷରେ ଓ୍ବିଶିଂଟନ ସୁନ୍ଦର ଅପରାଜିତ ୧୮ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ଏହା ସହ ଭାରତୀୟ ଦଳ ମାତ୍ର ୧୫୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା । 

ପ୍ରଥମ ପାଳିରେ ଭାରତ ପାଇଁ ଓ୍ବାଶିଂଟନ ସୁନ୍ଦର ୭ଟି ଓ୍ବିକେଟ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ପାଇଁ ମିଚେଲ ସ୍ୟାଣ୍ଟନର ମଧ୍ୟ ୭ଟି ଓ୍ବିକେଟ ନେଇଛନ୍ତି । ସେ ବିରାଟ କୋହଲି ଏବଂ ସରଫରାଜ ଖାନଙ୍କ ଭଳି ମୋଟ ୭ ବ୍ୟାଟରଙ୍କୁ ଫ୍ୟାଭିଲିୟନ୍‌ ଫେରାଇଛନ୍ତି । ଗ୍ଲେନ ଫିଲିପ୍ସ ମଧ୍ୟ ଭାରତୀୟ ଟିମ୍‌କୁ ଶକ୍ତା ଧକ୍କା ଦେବା ସହ ୨ଟି ଓ୍ବିକେଟ ନେଇଛନ୍ତି । ଓ୍ବାଶିଂଟନ ସୁନ୍ଦର ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ମଧ୍ୟ କମାଲ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ୭ଟି ଓ୍ବିକେଟ ନେଇଥିବା ସୁନ୍ଦର ଆଜି ୪ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।