ନୂଆଦିଲ୍ଲୀ,୧୨/୦୬; ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଜି ସବୁଠୁ ଚର୍ଚ୍ଚିତ ମୁକାବିଲା ରହିଛି । ଏଜବାଷ୍ଟନ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହେବେ । ଗ୍ରୁପ୍-୧ର ଏହି ମ୍ୟାଚ୍କୁ ନେଇ ଉଭୟ ଦେଶର ପ୍ରଶଂସକ ବେଶ୍ ଉତ୍ସାହିତ ରହିଛନ୍ତି । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଫଳରେ ମ୍ୟାଚ୍ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ରେକର୍ଡ ଭାରତ ସପକ୍ଷରେ ରହିଛି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଉଭୟ ଦଳ ୮ଥର ପରସ୍ପରକୁ ଭେଟିଛନ୍ତି । ଭାରତ ୬ଟି ମ୍ୟାଚ୍ ଜିତିଥିବାବେଳେ ପାକିସ୍ତାନ ୨ଟିରେ ବିଜୟ ହାସଲ କରିଛି । ସେହିପରି ଟି-ଟ୍ୱେଣ୍ଟିରେ ଉଭୟ ଦଳ ୧୬ଟି ମ୍ୟାଚ୍ରେ ସାମ୍ନାସାମ୍ନି ହୋଇଛନ୍ତି ଏବଂ ଭାରତ ୧୩ଟି ଜିତିଛି । ଆଜି ଭାରତ ଆଧିପତ୍ୟ ବଜାୟ ରଖିବାକୁ ପ୍ରୟାସ କରିବ । ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ ଭାରତ ଏକ ସନ୍ତୁଳିତ ଦଳ ନେଇ ଇଂଲଣ୍ଡ ଯାତ୍ରା କରିଛି । ଦଳରେ ଏକାଧିକ ପାୱାର ହିଟର ରହିଛନ୍ତି । ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧନା, ଶେଫାଳି ବର୍ମା, ହର୍ମନପ୍ରୀତ କୌର ଓ ରିଚା ଘୋଷଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ମଧ୍ୟକ୍ରମରେ ୟସ୍ତିକା ଭାଟିଆ କିମ୍ବା ଭାରତୀ ଫୁଲମାଳିଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସୁଯୋଗ ମିଳିବ । ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଓ ନନ୍ଦନୀ ଶର୍ମା ପେସ୍ ବିଭାଗ ସମ୍ଭାଳିବେ । ସ୍ପିନ ବିଭାଗରେ ଶ୍ରେୟଙ୍କା ପାଟିଲ ଓ ଶ୍ରୀ ଚରଣୀଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇବେ । ପାକିସ୍ତାନ ଦଳ ପୂର୍ବ ପ୍ରଦର୍ଶନକୁ ଭୁଲି ଏଥର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି । ଅଧିନାୟିକା ଫାତିମା ସାନା ଅଭ୍ୟାସ ବେଳେ ଆହତ ହୋଇଥିଲେ ହେଁ ଖେଳିବା ସମ୍ଭାବନା ରହିଛି । ଆସନ୍ତାକାଲି ଅଭିଜ୍ଞ ଖେଳାଳି ମୁନିବା ଅଲି, ଆୟମାନ ଫାତିମା, ଡାଏନା ବେଗ ଓ ନସ୍ରା ସାନ୍ଧୁଙ୍କ ଉପରେ ନଜର ରହିବ ।
ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଅଭ୍ୟାସ ମ୍ୟାଚଗୁଡ଼ିକରେ ମିଶ୍ରିତ ପ୍ରଦର୍ଶନ ସହିତ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବ । ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଏକ ରୋମାଞ୍ଚକର ମୁକାବିଲାରେ ୫ ରନ୍ରେ ପରାସ୍ତ ହୋଇଥିଲା । ଭାରତୀୟ ଦଳ ଏପର୍ଯ୍ୟନ୍ତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତି ନାହିଁ । ଦଳର ସର୍ବୋତ୍ତମ ପ୍ରଦର୍ଶନ ୨୦୨୦ ମସିହାରେ ହୋଇଥିଲା । ଟିମ୍ ଫାଇନାଲରେ ପହଞ୍ଚିଥିଲେ କିନ୍ତୁ ଅଷ୍ଟ୍ରେଲିଆଠୁ ହାରିଥିଲା । ଏଥର ଟିମ୍ ଇଣ୍ଡିଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ, ପାକିସ୍ତାନ ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଚେଷ୍ଟା କରିବ । ଭାରତ-ପାକିସ୍ତାନ ମ୍ୟାଚର ଚାପ ଏବଂ ଉତ୍ସାହ ସର୍ବଦା ଏକ ପରିବର୍ତ୍ତନ ଆଣିଥାଏ, ତେଣୁ ପ୍ରଶଂସକମାନେ ଏକ ହାଇଭୋଲ୍ଟେଜ ମ୍ୟାଚ୍ ଆଶା କରିବେ ।
ସମ୍ଭାବ୍ୟ ଏକାଦଶ
ଭାରତ: ସ୍ମୃତି ମନ୍ଧନା, ଶେଫାଳି ବର୍ମା, ୟସ୍ତିକା ଭାଟିଆ, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର (ଅଧିନାୟିକା), ରିଚା ଘୋଷ, ଦୀପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡୀ/ରେଣୁକା ସିଂହ, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ, ନନ୍ଦନୀ ଶର୍ମା ।
ପାକିସ୍ତାନ: ମୁନିବା ଅଲି, ଗୁଲ୍ ଫିରୋଜା, ଆୟେଶା ଜାଫର, ସାଇରା ଜବିନ, ରମିନ ଶମିମ, ଆଲିୟା ରିୟାଜ, ଫାତିମା ସାନା (ଅଧିନାୟିକା), ଆୟମାନ ଫାତିମା, ଡାଏନା ବେଗ, ନସ୍ରା ସାନ୍ଧୁ, ସାଦିଆ ଇକ୍ବାଲ ।