ପୋର୍ଟ ଏଲିଜାବେଥ,୧୦/୧୧:  ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ରବିବାର ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି । ୬୧ ରନ୍‌ରେ ପ୍ରଥମ ମ୍ୟାଚ୍‌ ଜିତିବା ପରେ ଭାରତର ନଜର ଏବେ ଟ୍ରଫି ଉପରେ । ଡର୍ବାନ ଭଳି ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡ୍‌ରେ  ଆଧିପତ୍ୟ ଜାରି ରଖି ଆଉ ଏକ ବିଜୟ ପାଇଁ ଭାରତ ପ୍ରସ୍ତୁତ । ଘରୋଇ ଦଳ ମଧ୍ୟ  ସିରିଜକୁ ଫେରିବା ପାଇଁ ବ୍ୟାକୁଳ । ଫଳରେ ରବିବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

ଡର୍ବାନରେ ସଞ୍ଜୁ ସାମସନ ଓ  ସ୍ପିନରମାନେ ଭାରତକୁ ଏକତରଫା ଭାବେ  ବିଜୟୀ କରାଇଥିଲେ ।ରବିବାର ମଧ୍ୟ  ଦର୍ଶକଙ୍କ ନଜର ସଞ୍ଜୁଙ୍କ ଉପରେ ରହିବ । ଅନ୍ୟ ବ୍ୟାଟରମାନେ ମଧ୍ୟ ବିଧ୍ୱଂସୀ ବ୍ୟାଟିଂ  କରିବାକୁ ପ୍ରସ୍ତୁତ ରହିଛନ୍ତି । ମାତ୍ର ଏଥର  ଘରୋଇ ଦଳକୁ ହରାଇବା ସହଜ ହେବ  ନାହିଁ । ପିଚ୍‌ରେ ଘାସ ରହିଛି । ଫଳରେ ପେସ ବୋଲରମାନେ ଆରମ୍ଭରୁ ବଲ୍‌କୁ ସୁଇଂ  କରାଇବେ । ଦକ୍ଷିଣ ଆଫ୍ରିକା ଦଳରେ ଦକ୍ଷ ପେସ୍‌ ବୋଲର ରହିଛନ୍ତି ।  

ଭାରତକୁ ହରାଇବାର ଯଥେଷ୍ଟ କ୍ଷମତା ଦକ୍ଷିଣ ଆଫ୍ରିକା ନିକଟରେ ରହିଛି । ବିଶେଷ  କରି ଡେଭିଡ୍‌ ମିଲର, ହେନରିକ କ୍ଲାସେନ ଓ ଆଡେନ ମାରକ୍ରମଙ୍କ ଭଳି ଦୁର୍ଦ୍ଧର୍ଷ ବ୍ୟାଟର  ଯେକୌଣସି ବୋଲିଂ ବିଭାଗକୁ ଧ୍ୱଂସ  କରିପାରିବେ । ଅବଶ୍ୟ ପ୍ରଥମ ମ୍ୟାଚ୍‌ରେ  ଭାରତୀୟ ସ୍ପିନରମାନେ ମିଲର ଓ କ୍ଲାସେନଙ୍କୁ ସହଳ ପାଭିଲିୟନ ପଠାଇବାରେ ସଫଳ  ହୋଇଥିଲେ ।  

ଆଜିର ମ୍ୟାଚ୍‌ରେ ଭାରତ ଏକାଦଶରେ  ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ଘରୋଇ  ଦଳ ସାମାନ୍ୟ ପରିବର୍ତ୍ତନ କରିପାରେ ।  ଫର୍ମରେ ରହିଥିବା ରିଜା ହେଣ୍ଡରିକ୍ସ  ଏକାଦଶକୁ ଫେରିପାରନ୍ତି ।  

ବ୍ୟାଟିଂ ପାଇଁ ଅନୁକୂଳ ପିଚ୍‌: ସେଣ୍ଟ ଜର୍ଜ ପାର୍କର ପିଚ୍‌ ପେସ୍‌ ବୋଲରଙ୍କୁ  ବେଶ ସହାୟତା ପ୍ରଦାନ କରିବ । ତଥାପି  ବ୍ୟାଟରମାନେ ପିଚ୍‌ର ଭରପୁର ଫାଇଦା  ଉଠାଇ ପାରିବେ । ଡର୍ବାନ ଭଳି  ମଧ୍ୟ ବିଶାଳ ସ୍କୋର ସଂଗୃହୀତ ହେବାର  ଯଥେଷ୍ଟ ସମ୍ଭାବନା ରହିଛି । ମାତ୍ର ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ  ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡରିକ୍ସ,  ର‌୍ୟାନ ରିକେଲଟନ, ଆଡେନ  ମାରକ୍ରମ (ଅଧିନାୟକ), ଟ୍ରିଷ୍ଟନ  ଷ୍ଟବ୍ସ, ହେନରିକ କ୍ଲାସେନ, ଡେଭିଡ୍‌ ମିଲର, ମାର୍କୋ ଜାନସେନ/ଗେରାଲ୍ଡ  କୋଏଜି, ଆଣ୍ଡିଲ ସିମେଲେନ,  ନକାବ୍ୟୋମଜି ପିଟର, କେଶବ  ମହାରାଜ, ଓଟିନେଲ ବାର୍ଟନେଲ।

ଭାରତ: ସଞ୍ଜୁ ସାମସନ, ଅଭିଷେକ  ଶର୍ମା, ସୂର୍ଯ୍ୟକୁମାର ଯାଦବ  (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ  ପାଣ୍ଡ୍ୟା, ରିଙ୍କୁ ସିଂହ, ରମଣଦୀପ ସିଂହ, ଅକ୍ଷର ପଟେଲ, ଅଭେଶ ଖାନ,  ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।