ନୂଆଦିଲ୍ଲୀ, ୨୪/୦୯: ନିର୍ଭୟ ଭଳି ଶକ୍ତିଶାଳୀ, ବ୍ରହ୍ମୋସ ପରି ଘାତକ । ଡିଆରଡିଓ ବିକଶିତ କଲା କ୍ରୁଜ୍ ମିସାଇଲ୍ । ପରୀକ୍ଷଣ ପାଇଁ ତୟାର ITCM । ନାଁ ଶୁଣି ଥରହର ଚୀନ୍-ପାକିସ୍ତାନ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ମହାସମୁଦ୍ରରେ ପଡ଼ୋଶୀଙ୍କୁ ଦେଖାଇବ ଦମ୍ । ଭାରତ ମହାସାଗରରେ ଆଧିପତ୍ୟ ବିସ୍ତାର କରି ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶକୁ ଦେବ ଚେକ୍ । କାରଣ ଖୁବ୍ ଶୀଘ୍ର ନୌସେନାରେ ସାମିଲ୍ ହେବାକୁ ଯାଉଛି ସବ୍-ସୋନିକ୍ କ୍ରୁଜ୍ ମିସାଇଲ୍ ITCM । ଏହାର ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଡିଆରଡିଓ ଏହାକୁ ସ୍ବଦେଶୀ ଜ୍ଞାନ କୌଶଳରେ ଲେସ୍ କରିଥିବା ବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ହଜାରେ କିଲୋମିଟର । ମାନେ ନିଶକେ ଶତ୍ରୁକୁ କରିବ ନାଶ । 


ଅପରେସନ ସିନ୍ଦୂର ପରେ ପ୍ରତିରକ୍ଷା ବିଭାଗ ସେନାର ପ୍ରଯୁକ୍ତି ବିଦ୍ୟା କ୍ଷମତାକୁ ବୃଦ୍ଧି କରିବାରେ ଲାଗିଛି । ଏନେଇ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ଲଞ୍ଚ୍ କରିବାରେ ବ୍ୟସ୍ତ ଡିଆରଡିଓ । ଅଗଷ୍ଟ ମାସରେ ପରମାଣୁ କ୍ଷମତା ବିଶିଷ୍ଟ ଭାରତର ଅମୋଘ ଅସ୍ତ୍ର ଅଗ୍ନି-5ର ସଫଳ ପରୀକ୍ଷଣ ହୋଇଥିବା ବେଳେ ଏବେ ଆଉ ଏକ ବିନାଶକାରୀ ଅସ୍ତ୍ରକୁ ବା ଆଇଟିସିଏମ୍ ଟେଷ୍ଟ ହେବ । ITCM ମିସାଇଲ୍ କାହିଁକି ଏତେ ଭୟଙ୍କର ? ଶତ୍ରୁ ରାଷ୍ଟ୍ର ଶୁଣିଲେ କାହିଁକି ଭୟରେ କମ୍ପୁଛି । ITCM ହେଉଛି ନିର୍ଭୟ କ୍ରୁଜ୍ ମିସାଇଲ୍ ବିକଶିତ ଭର୍ସନ । ଏହି ସବ୍ ସୋନିକ୍ କ୍ରୁଜ୍ ମିସାଇଲକୁ ଉଭୟ ସ୍ଥଳଭାଗ ଏବଂ ଜଳଭାଗରୁ ଆକ୍ରମଣ କରିପାରିବ । ଏହା ଲକ୍ଷ୍ୟଭେଦ କ୍ଷମତା ହଜାରେ କିଲୋମିଟର । ଏହାଛଡ଼ା ଏହି କ୍ରୁଜ୍ ମିସାଇଲକୁ ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ଲେସ୍ କରାଯାଇଛି । ବିନାଶକାରୀ କ୍ଷେପଣାସ୍ତ୍ରରେ ଅତ୍ୟାଧୁନିକ ଏଭିଓନିକ୍ସ, ଉନ୍ନତ ନାଭିଗେସନ୍ ଏବଂ ଭୂ-ପୃଷ୍ଠରୁ କମ୍ ଉଚ୍ଚତାରେ ଉଡ଼ିବାର କ୍ଷମତା ରହିଛି ।  

 

ଜଳ ଏବଂ ସ୍ଥଳରୁ ଏହି ମିସାଇଲ୍ ଆକ୍ରମଣ କ୍ଷମତା ରଖୁଥିବା ବେଳେ ଏହାକୁ ଆକାଶରୁ ଲଞ୍ଚ କରିବାକୁ ବିକଶିତ କରାଯାଉଛି । ପ୍ରତିରକ୍ଷା ବିଭାଗ ସୁଖଇ-30MKI ରାଫେଲ ଯୁଦ୍ଧ ବିମାନକୁ ଟାର୍ଗେଟ୍ ଲକ୍ କରିବାକୁ ଯୋଜନା ଚଳାଇଛି । ଏହାଛଡ଼ା ଖୁବ୍ ଶୀଘ୍ର ITCM କ୍ରୁଜ୍ ମିସାଇଲକୁ ନୌସେନା ଯୁଦ୍ଧଜାହାଜରୁ ନିକ୍ଷେପ କରାଯିବ । ଏଥିପାଇଁ DRDO ଏକ ଅସ୍ଥାୟୀ ଭର୍ଟିକାଲ୍ ଲଞ୍ଚ୍ ସିଷ୍ଟମ୍ ବିକଶିତ କରୁଛି । ଯାହା ସ୍ୱତନ୍ତ୍ର ଭାବରେ ଯୁଦ୍ଧଜାହାଜ ପାଇଁ ଡିଜାଇନ୍ କରାଯାଇଛି । ଏହି ଲଞ୍ଚର୍ ଜାହାଜରୁ ସହଜରେ କ୍ଷେପଣାସ୍ତ୍ର ଲଞ୍ଚ୍ କରିବାକୁ ଅନୁମତି ଦେବ  ।


ବ୍ରହ୍ମୋସ୍ ଠାରୁ ଭିନ୍ନ ITCM ସବସୋନିକ୍ କ୍ରୁଜ୍ ମିସାଇଲ। ବିନାଶକାରୀ ସୁପରସୋନିକ୍ ବ୍ରହ୍ମୋସ୍ ମିସାଇଲର ରେଞ୍ଜ୍ ୯୦୦ କିଲୋମିଟର । ହେଲେ ଆଇଟିସିଏମ୍ ମିସାଇଲ୍ ହଜାରେ କିମି ଟାର୍ଗେଟକୁ ଲକ୍ କରିପାରିବ । ଦୂରଗାମୀ ଲକ୍ଷ୍ୟକୁ ଏହା ଅତି ସହଜ ଏବଂ ସିଠିକ୍ ଢଙ୍ଗରେ ହିଟ୍ କରିପାରିବ । ଏହି ପରୀକ୍ଷଣ ସଫଳ ହେଲେ ଭାରତୀୟ ନୌସେନା ପାଖାପାଖି ୨୦୦ LRLACM ମିସାଇଲ୍ କିଣିବ । ଯାହାର ମୁଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ରହିବ । ଭାରତ ମହାସାଗରରେ ଚୀନ୍‌ର ବଢ଼ୁଥିବା କ୍ଷମତା ଏବଂ ପାକିସ୍ତାନର ସାମୁଦ୍ରିକ ଶକ୍ତିକୁ ଜବାବ୍ ଦେବାକୁ ଡିଆରଡିଓ ଏହି ସବ୍‌-ସୋନିକ୍ କ୍ରୁଜ୍ ମିସାଇଲକୁ ବିକଶିତ କରିଛି ।