ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଉ ନାହାନ୍ତି ପ୍ରସିଦ୍ଧ ଅଭିନେତା ମନୋଜ କୁମାର,୮୭ ବର୍ଷ ବୟସରେ ପରଲୋକ

Published By : Ankita S | April 4, 2025 7:38 AM

ମୁମ୍ବାଇ,୦୪/୦୪: ବଲିଉଡ଼ ଜଗତରୁ ଦୁଃଖଦ ଖବର ଆସିଛି । ଆଉ ନାହାନ୍ତି ବଲିଉଡ଼ର ପ୍ରସିଦ୍ଧ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର । ୮୭ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ପଦ୍ମଶ୍ରୀ ମନୋଜ କୁମାର । ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସପ୍ତାହ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମନୋଜ । ମୁମ୍ବାଇର କୋକିଳାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାନରେ ଆଜି ତାଙ୍କର ଦେହାନ୍ତ ହୋଇଛି । ବଲିଉଡ଼ର ଜଣେ ଚମକୁଥିବା ତାରା ଥିଲେ ମନୋଜ । ଦେଶଭକ୍ତି ଫିଲ୍ମ ପାଇଁ 'ଭାରତ କୁମାର' ନାମରେ ଜଣାଶୁଣା ଥିଲେ । ୧୯୯୨ରେ ପଦ୍ମଶ୍ରୀ ଏବଂ ୨୦୧୫ରେ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମନୋଜଙ୍କ ଦେହାନ୍ତରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି (ଶନିବାର) ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବା ନେଇ ସୂଚନା ମିଳିଛି ।

ଷ୍ଟାର ମନୋଜ କୁମାରଙ୍କ ବିଷୟରେ...୧୯୩୭ ମସିହା ଜୁଲାଇ ୨୪ ତାରିଖରେ ପାକିସ୍ତାନରେ ମନୋଜ କୁମାର ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତନାମ ହରିକୃଷ୍ଣ ଗିରି ଗୋସ୍ବାମୀ । ଦେଶ ବିଭାଜନ ସମୟରେ ତାଙ୍କ ପରିବାର ଦିଲ୍ଲୀ ଚାଲି ଆସିଥିଲେ । ପିଲାଦିନୁ ଅଭିନୟ ପ୍ରତି ତାଙ୍କର ରୁଚି ରହିଥିଲା । ସମୟକ୍ରମେ ତାହା ନିଶାରେ ପରିଣତ ହୋଇଗଲା । ଫିଲ୍ମ ପାଇଁ ପାଗଳ ହୋଇଗଲେ ମନୋଜ । ୧୯୫୭ରେ 'ଫ୍ୟାସନ୍' ଫିଲ୍ମରୁ ଡେବ୍ୟୁ କରିଥିଲେ । ୧୯୬୫ ତାଙ୍କ କ୍ୟାରିୟରରେ ବଡ ଗେମ୍‌ଚେଞ୍ଜର ଥିଲା । ସେହି ବର୍ଷ 'ଶହୀଦ୍' ଫିଲ୍ମ ତାଙ୍କ କ୍ୟାରିୟରର ବଡ଼ ସଫଳତା ଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଥିଲେ । ଯେକୌଣସି ଚରିତ୍ର ମିଳୁଥିଲା ତାକୁ ନିଖୁଣ ଭାବେ ତୁଲାଉଥିଲେ । ତାଙ୍କର କେବଳ ଫିଲ୍ମ ହିଟ୍ ହେଉନଥିଲା ତାଙ୍କ ଗୀତ ଗୁଡ଼ିକ ସୁପରହିଟ୍ ହୋଇଥିଲା । 'କ୍ରାନ୍ତି', 'ଉପକାର' ପରି ଦେଶଭକ୍ତି ସିନେମା ପାଇଁ ଜଣାଶୁଣା ଥିଲେ ମନୋଜ ।  'ଉପକାର' ଚଳଚ୍ଚିତ୍ରର  'ମେରେ ଦେଶ କି ଧରତୀ'.... ଗୀତ ଆଜି ବି ସମସ୍ତେ ଗୁଣୁଗୁଣାନ୍ତି । ଏହି ସିନେତା ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ ।

୧୯୯୫ରେ 'ମୈଦାନ-ଏ-ଜଙ୍ଗ' ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ୧୯୯୯ରେ ଫିଲ୍ମ 'ଜୟ ହିନ୍ଦ' ତାଙ୍କର ଶେଷ ଫିଲ୍ମ ଥିଲା । ତାଙ୍କ ପୁଅ କୁନାଲ ଗୋସ୍ୱାମୀ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍ ହୋଇଥିଲା । ଅଭିନୟକୁ ବାଏ ବାଏ କହିବା ପରେ ରାଜନୀତି ମୈଦାନରେ ଏଣ୍ଟ୍ରୀ ମାରିଥିଲେ । ୨୦୦୪ରେ ବିଜେପିରେ ସାମିଲ ହୋଇଥିଲେ ।

ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ମନୋଜ କୁମାରଙ୍କ ନିଧନ ନେଇ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ''କିମ୍ବଦନ୍ତୀ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ, ମୋର ପ୍ରେରଣା ଏବଂ ଭାରତୀୟ ସିନେମାର ସିଂହ ଆଉ ଆମ ଗହଣରେ ନାହାନ୍ତି । ଏହା ଆମ ଇଣ୍ଡଷ୍ଟ୍ରି ପାଇଁ ଅପୂରଣୀୟ କ୍ଷତି । ସେ ସବୁବେଳେ ମନେ ରହିବେ ।'' ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନୋଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.