ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀ ବୁଧବାର ରାତିରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବ ସ୍ୱରୂପ ପ୍ରତିଶୋଧ ନିଆଯାଇଛି। ଯେଉଁଥିରେ ୨୫ ଜଣ ଭାରତୀୟଙ୍କ ସମେତ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

ଭାରତୀୟ ସେନା ଏହି ଆକ୍ରମଣକୁ “ସଠିକ ଓ ଅଣ-ଉତ୍ତେଜନାମୂଳକ” ବୋଲି ବର୍ଣ୍ଣନା କରିଛି। ଏହା ସହ ଏହି ଅପରେସନର ଲକ୍ଷ୍ୟ ଭାରତ ବିରୋଧରେ ଆକ୍ରମଣ ପରିଚାଳନା କରୁଥିବା ଆତଙ୍କୀ ପୋଷ୍ଟକୁ ଧ୍ୱଂସ କରିବା ଥିଲା ବୋଲି ସେନା କହିଛି। ଏହି ଆକ୍ରମଣ କେବଳ ଆତଙ୍କବାଦୀ ଶିବିର ଉପରେ କେନ୍ଦ୍ରୀଭୂତ ଥିଲା ଏବଂ ପାକିସ୍ତାନର କୌଣସି ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇ ନଥିଲା।

ଅନ୍ୟପଟେ ‘ଅପରେସନ ସିନ୍ଦୁର’ ପରେ ବିଳିବିଳେଇ ଉଠିଥିବା ପାକିସ୍ତାନ ଏହି ଆକ୍ରମଣକୁ “ବର୍ବରତାପୂର୍ଣ୍ଣ” ବୋଲି ଅଭିହିତ କରି ନିଜର ସମୟ ଓ ସ୍ଥାନ ଅନୁଯାୟୀ “ପ୍ରତିଶୋଧ” ନେବାକୁ ଭାରତକୁ ଚେତାବନୀ ଦେଇଛି। ପାକିସ୍ତାନୀ ସେନାର ଡିଜି ଆଇଏସପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ କହିଛନ୍ତି, “ଭାରତ ବାହାଓ୍ୱାଲପୁରର ସୁଭାନୁଲ୍ଲା ମସଜିଦ, କୋଟଲି ଓ ମୁଜାଫରାବାଦରେ ତିନୋଟି ସ୍ଥାନରେ ବିମାନ ଆକ୍ରମଣ କରିଛି।”

ଭାରତର ମାଷ୍ଟର ଷ୍ଟ୍ରୋକ ପରେ ପାକିସ୍ତାନ ସେନାର ଯୁଦ୍ଧ ବିମାନଗୁଡ଼ିକ ତୁରନ୍ତ ଉଡ଼ାଣ ଭରିଥିଲା। ଏହି ଆକ୍ରମଣ ଭାରତୀୟ ଆକାଶପଥରୁ ହୋଇଥିବା ନେଇ ପାକିସ୍ତାନ ବାୟୁସେନା ଦାବି କରିଛି। ଏହି ଆକ୍ରମଣରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ତେବେ ଏନେଇ ଏଯାଏ ଆଧିକାରିକ ସ୍ତରରେ ଘୋଷଣା କରାଯାଇ ନାହିଁ। ଅନ୍ୟପଟେ ଏହି ଆକ୍ରମଣ ପରେ ପାକିସ୍ତାନର ଲାହୋର ଓ ସିଆଲକୋଟ ବିମାନବନ୍ଦର ଆଗାମୀ ୪୮ ଘଣ୍ଟା ପାଇଁ ବନ୍ଦ ରହିବା ନେଇ ଘୋଷଣା ହୋଇଥିବା ଜଣାପଡିଛି।

ଆକ୍ରମଣ ପରେ ପାକିସ୍ତାନ ପୁଣିଥରେ ଯୁଦ୍ଧବିରତି ଉଲ୍ଲଂଘନ କରି ପୁଞ୍ଚ-ରାଜୌରୀ ଅଞ୍ଚଳର ଥିବା ଭିମ୍ବେର ଗାଲି ସେକ୍ଟରରେ ଆର୍ଟିଲେରୀ ଗୁଳିଚାଳନା କରିଛି। ଭାରତୀୟ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ ସେମାନେ ଏହାର “ଉପଯୁକ୍ତ ଜବାବ” ଦେଉଛନ୍ତି। ଏପ୍ରିଲ ୨୨ ଆକ୍ରମଣ ପରେ ପାକିସ୍ତାନ ଗତ ୧୧ ରାତି ଧରି ଲଗାତାର ଯୁଦ୍ଧ ବୀରତି ଉଲଘଂନ କରି ଅନାବଶ୍ୟକ ଗୁଳିଚାଳନା ଜାରି ରଖିଛି।




ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ “ଦୁଃଖଦ” ବୋଲି ଅଭିହିତ କରି ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଦୁଇ ଦେଶ ଦଶନ୍ଧି ଓ ଶତାବ୍ଦୀ ଧରି ଲଢ଼ି ଆସୁଛନ୍ତି। ମୁଁ ଆଶା କରୁଛି ଏହା ଶୀଘ୍ର ଶେଷ ହେବ।” ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରୀୟ ବିଭାଗର ମୁଖପାତ୍ର କହିଛନ୍ତି ଯେ, “ଆମେ ଏହି ରିପୋର୍ଟ ବିଷୟରେ ଅବଗତ। ତଥାପି, ଏହା ଏକ ସଂକଟପୂର୍ଣ୍ଣ ପରିସ୍ଥିତି ଏବଂ ଆମେ ଏହା ଉପରେ ଅତି ନିକଟରୁ ନଜର ରଖିଛୁ।”

‘ଅପରେସନ୍ ସିନ୍ଦୂର’ ସମ୍ପର୍କରେ ଏକ ବିସ୍ତୃତ ବ୍ରିଫିଂ ଆଜି ଅପରାହ୍ନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଆକ୍ରମଣ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଆଗାମୀ ଦିନରେ ଉଭୟ ଦେଶର କାର୍ଯ୍ୟାନୁଷ୍ଠାନ ଏହି ସଂକଟର ଦିଗ ନିର୍ଦ୍ଧାରଣ କରିବ।