ନୂଆଦିଲ୍ଲୀ, ୧୪/୦୮: ଶତ୍ରୁଦେଶ ଉପରେ ହେବା ପ୍ରଚଣ୍ଡ ପ୍ରହାର । ଦିବ୍ୟାସ୍ତ୍ର ମାଡ଼ରେ ହଜିଯିବ ନିଦ । ଜଖମ ଦେବ ଭୈରବ ବାଟାଲିୟନ । ସେନାରେ ସାମିଲ୍ ହେବ ୫ ଭୈରବ ବାଟାଲିୟନ ଏବଂ ୫ ଦିବ୍ୟାସ୍ତ୍ର । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି 'ଅପରେସନ୍ ସିନ୍ଦୁର' । ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନା କେବଳ ପାକିସ୍ତାନର ଆତଙ୍କୀ ଆଡ୍ଡା ଧ୍ୱଂସ କରିନଥିଲା ବରଂ ପାକ୍ ସେନାର ମେରୁହାଡ଼କୁ ଟାର୍ଗେଟ୍ କରିଥିଲା । ଘନଘନ ମିସାଇଲ୍ ମାଡ଼ରେ ଫେଲ୍ ମାରିଥିଲା ପାକିସ୍ତାନର ସମସ୍ତ ଆକ୍ରମଣ । ଅପରେସନ ସନ୍ଦୂରର ବଡ଼ ସଫଳତା ପରେ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆରମ୍ଭ କରିଛନ୍ତି । ଦେଶରେ ସମସ୍ତ କ୍ଷେତ୍ରରେ ଦ୍ରୁତ ଗତିରେ କାମ ଚାଲିଛି । ବିଶେଷ କରି ଭାରତୀୟ ସେନାକୁ ଆହୁରି ମଜବୁଜ କରିବା ପାଇଁ ପ୍ରସ୍ତୁତି କରାଯାଉଛି । ସେଥିପାଇଁ ଚଳିତ ମାସ ଅର୍ଥାତ୍ ଅଗଷ୍ଟ ମାସ ଶେଷ ସୁଦ୍ଧା ଭାରତୀୟ ସେନାରେ ୫ ଭୈରବ ବାଟାଲିୟନ, ଦିବ୍ୟାସ୍ତ୍ର ବ୍ୟାଟେରୀ, ୩ଟି ଶକ୍ତିବାଣ ରେଜିମେଣ୍ଟ ସହ ପ୍ରତ୍ୟେକ ଇଂଫେଣ୍ଟ୍ରୀ (ପାଦଚଲା ସେନା) ବାଟାଲିୟନରେ ଡ୍ରୋନ୍ ପ୍ଲାଟୁନ୍ ସାମିଲ କରିବାକୁ ଯାଉଛନ୍ତି । ସୁରକ୍ଷା ବାହିନୀର ଦକ୍ଷତା ବଢାଇବା ସହ ଭବିଷ୍ୟତରେ ଆସିବାକୁ ଥିବା ବିଭିନ୍ନ ପ୍ରକାରର ବିପଦ ସହ ଲଢିବାକୁ ଏହା ଏକ ପ୍ରସ୍ତୁତି ।
ଲାଇଟ୍ କମାଣ୍ଡୋ ବାଟାଲିୟନ-
ନାଁରୁ ହିଁ ଜଣାପଡ଼ୁଛି ଯେ, ଏହା ଛୋଟ ଏବଂ ଘାତକ ବାଟାଲିୟନ ହେବ । ଏହି ଭୈରବ ବାଟାଲିୟନ ଶତ୍ରୁଙ୍କୁ ଚମକାଇବା ପାଇଁ ଯଥେଷ୍ଟ । ଅଗଷ୍ଟ ମାସ ଶେଷ ସୁଦ୍ଧା ଭାରତୀୟ ସେନାରେ ଏହିପରି ୫ଟି ବାଟାଲିୟନ ପ୍ରସ୍ତୁତ ହୋଇଯିବ । ଏହା ଘାତକ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ ହେବ ଏବଂ ହାଇ ଇନ୍ଟେନ୍ସିଟି ଅପରେସନ ପରିଚାଳନା କରିବାରେ ମାହିର ହେବ । ଏହା ପାରା କମାଣ୍ଡୋଠାରୁ ଅଲଗା ହେବ କାରଣ ବର୍ଡରରେ ତ୍ୱରିତ ଏବଂ ଛୋଟ ତଥା ଅଧିକ ଘାତକ ଅପରେସନ କରିବାରେ ଧ୍ୟାନ ଦେବ ।
ପ୍ରତ୍ୟେକ ଇଂଫ୍ରେଣ୍ଟ୍ରୀ ବାଟାଲିୟନରେ ରହିବ ଡ୍ରୋନ୍ ପ୍ଲାଟୁନ-
ଅପରେସନ ସିନ୍ଦୂର ଜରିଆରେ ସମଗ୍ର ବିଶ୍ୱ ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ରେ ବ୍ୟବହାର ଦେଖିଲା । ଯେତେବେଳେ ପାକିସ୍ତାନ ବହୁ ସଂଖ୍ୟାରେ ଡ୍ରୋନ୍ ଛାଡ଼ିଥିଲା, ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେଗୁଡ଼ିକୁ ମାରି ଖସାଇ ଦେଇଥିଲା । ବର୍ତ୍ତମାନ ଭାରତୀୟ ସେନାର ପ୍ରତ୍ୟେକ ଇଂଫ୍ରେଣ୍ଟ୍ରୀ ବାଟାଲିୟନରେ ଡ୍ରୋନ୍ ପ୍ଲାଟୁନ ସାମିଲ ହେବ । ଏବେ ମଧ୍ୟ ଡ୍ରୋନ୍ର ବ୍ୟବହାର କରାଯାଉଛି ଆଉ ଏଥିପାଇଁ ଲଗାତାର ଟ୍ରେନିଂ ମଧ୍ୟ ଦିଆଯାଉଛି । ହେଲେ ଆଗାମୀ ଦିନରେ ସେନାରେ ଡେଡିକେଟେଡ୍ ପ୍ଲାଟୁନ ରହିବ। ଚଳିତ ମାସ ଶେଷ ସୁଦ୍ଧା ଏହା ମଧ୍ୟ ପ୍ରସ୍ତୁତ ହୋଇଯିବ ।
ଦିବ୍ୟାସ୍ତ୍ର ଏବଂ ଶକ୍ତି ବାଣ-
ଭାରତୀୟ ସେନାରେ ଆର୍ଟିଲରୀ (ଅସ୍ତ୍ରାଗାର) ରେଜିମେଣ୍ଟ ଅପରେସନ ସିନ୍ଦୁର ଚାଲିଥିବା ସମୟରେ ଏଲଓସିରେ ପାରିସ୍ତାନର ଏନେକ ପୋଷ୍ଟ ଏବଂ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ନଷ୍ଟ କରି ଦେଇଥିଲେ । ଆର୍ଟିଲରୀ ରେଜିମେଣ୍ଟ ଶତ୍ରୁକୁ ଦୂରରୁ ଏନ୍ଗେଜ୍ କରିଥାଏ ଏବଂ ଏହି ଟାର୍ଗେଟ ଭିଜୁଆଲ ରେଞ୍ଜରୁ ବାହାରେ ରହିଥାଏ । ଅସ୍ତ୍ରାଗାରର ଶକ୍ତି ବଢାଇବା ପାଇଁ ଅଗଷ୍ଟ ଶେଷ ସୁଦ୍ଧା ୫ଟି ଆର୍ଟିଲରୀ ରେଜିମେଣ୍ଟରେ ଗୋଟିଏ ଲୋଖାଏଁ ଦିବ୍ୟାସ୍ତ୍ର ବ୍ୟାଟେରୀ ପ୍ରସ୍ତୁତ ହେବ ଏବଂ ୩ଟି ଶକ୍ତିବାଣ ରେଜିମେଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଯିବ । ଦିବ୍ୟାସ୍ତ୍ର ବ୍ୟାଟେରୀ ଆର୍ଟିଲରୀ ପ୍ରତ୍ୟେକ ରେଜିମେଣ୍ଟରେ ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ଯେଉଁ ୫ଟି ରେଜିମେଣ୍ଟରେ ଏହା ତିଆରି ହେଉଛି, ତାହା ସେନାର ସେଣ୍ଟ୍ରାଲ କମାଣ୍ଡକୁ ଛାଡ଼ି ଭିନ୍ନ ଭିନ୍ନ କମାଣ୍ଡରେ ପ୍ରସ୍ତୁତ ହେବ । ଶକ୍ତିବାଣ ରେଜିମେଣ୍ଟ ଡେଡିକେଟେଡ୍ ଡ୍ରୋନ୍ ଟାର୍ଗେଟ ଉପରେ ଚକ୍କର ମାରି ସଠିକ ଆଟାକ୍ କରିବାରେ ମାହିର ହେବ । ଦିବ୍ୟାସ୍ତ୍ର ବ୍ୟାଟେରୀରେ ଡ୍ରୋନ୍ ଏବଂ ଲାଇଟରିଂଗ ଏମ୍ୟୁନିଶନ ରହିବ ।