ନୂଆଦିଲ୍ଲୀ, ୧୮/୧୨ : ଭାରତୀୟ ପୁଞ୍ଜି ବଜାର ଲାଗି ନୂଆ ରେକର୍ଡ ସୃଷ୍ଟି କରିଛି ୨୦୨୪। ଚଳିତ ବର୍ଷ କମ୍ପାନିଗୁଡିକ ପ୍ରାଥମିକ ପବ୍ଲିକ ଅଫର (ଆଇପିଓ), କ୍ୱାଲିଫାଏଡ ଇନଷ୍ଟିଚ୍ୟୁସନାଲ ପ୍ଲେସମେଣ୍ଟ ଏବଂ ରାଇଟ୍ସ ଇସ୍ୟୁ ଜରିଆରେ ପୁଞ୍ଜି ବଜାରରୁ ୩ ଲକ୍ଷ କୋଟି ଟଙ୍କା ଉଠାଣ କରିଛନ୍ତି । ୨୦୨୧ରେ କମ୍ପାନି ଗୁଡିକ ବଜାରରୁ ୧.୮୮ ଲକ୍ଷ କୋଟି ଟଙ୍କା ଉଠାଣ କରିଥିଲେ । ଏଥିମଧ୍ୟରୁ ୯୦ କମ୍ପାନି ୧.୬୨ ଲକ୍ଷ କୋଟି ଟଙ୍କା ଉଠାଣ ନେଇ ଘୋଷଣା କରିଛନ୍ତି । ଯାହା ଗତ ବର୍ଷର ୪୯,୪୩୬ କୋଟି ତୁଳନାରେ ୨ ଗୁଣା ।
ସେହିଭଳି ନୂଆ ଇସ୍ୟୁ ଜରିଆରେ ଉଠାଣ ୭୦ ହଜାର କୋଟି ଟଙ୍କା ରହିଛି । ଯାହା ୨୦୨୧ରେ ୪୩,୩୦୦ କୋଟି ଟଙ୍କା ରହିଥିଲା । ଚଳିତ ବର୍ଷ ଅଦ୍ୟାବଧି ୮୮ କମ୍ପାନି କ୍ୟୁଆଇପି ଜରିଆରେ ୧.୩ ଲକ୍ଷ କୋଟି ଟଙ୍କା ଉଠାଇଛନ୍ତି । ୨୦୨୦ରେ ୨୫ କମ୍ପାନି ଏହି ଟୁଲ ବ୍ୟବହାର କରି ୮୦,୮୧୬ କୋଟି ଟଙ୍କା ଉଠାଣ କରିଥିଲେ । ଚଳିତ ବର୍ଷ ୨୦ କମ୍ପାନି ରାଇଟ୍ସ ଇସ୍ୟୁ ଜରିଆରେ ୧୮ ହଜାର କୋଟି ଟଙ୍କା ଉଠାଇବାକୁ ସକ୍ଷମ ହୋଇଛନ୍ତି ।
ଗତ ବର୍ଷ ଏହା ୭୨୬୬ କୋଟି ଏବଂ ୨୦୨୨ରେ ୩୮୪୪ କୋଟି ଟଙ୍କା ଥିଲା । ବର୍ତ୍ତମାନ ଏହି ରାଶି ବୃଦ୍ଧି ହେବାର ଢ଼େର ସମ୍ଭାବନା ରହିଛି । ଡିଏଏମ୍ କ୍ୟାପିଟାଲ ଆଡ୍ଭାଇଜର୍ସ, ଭେଣ୍ଟିବ ହସ୍ପିଟାଲିଟି, କାରାରୋ ଇଣ୍ଡିଆ, ସେନର୍ସ ଫାର୍ମା, ଟ୍ରାନ୍ସରେଲ ଲାଇଟିଂ, କନକର୍ଡ ଏନଭାରୋ ସିଷ୍ଟମ, ସନାତନ ଟେକ୍ସଟାଇଲ ଏବଂ ମମତା ମେଶିନାରି ଭଳି କମ୍ପାନିଗୁଡିକର ଆଇପିଓ ଖୋଲିବା ଅପେକ୍ଷାରେ ରହିଛି । ଏବେ ଦେଶର ଅଭିବୃଦ୍ଧି ଧାରା ଜାରି ରହିଛି । କମ୍ପାନିଗୁଡିକ ସମ୍ପ୍ରସାରଣ କରିବାରେ ଅଧିକ ପୁଞ୍ଜି ଖର୍ଚ୍ଚ କରୁଛନ୍ତି । ଏହାକୁ ନେଇ ସେମାନେ ବଜାରରୁ ଅଧିକ ପୁଞ୍ଜି ଉଠାଣ କରୁଛନ୍ତି । ୨୦୨୩-୨୪ରେ ଦେଶର ଅର୍ଥନୀତି ୮.୨% ବଢ଼ିଥିଲା । ଚଳିତ ଆର୍ôଥକ ବର୍ଷରେ ଅର୍ଥନୀତି ୬.୬% ହାରରେ ବଢ଼ିବ ବୋଲି ଆର୍ବିଆଇ ଆକଳନ କରିଛି ।