ନୂଆଦିଲ୍ଲୀ,୧୯।୩: ଭାରତୀୟ କ୍ରିକେଟ ଦୁନିଆରୁ ଆସିଛି ବଡ଼ ଖବର। ଟି-୨୦ ବିଶ୍ବକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ଚିଫ୍ ସିଲେକ୍ଟର ଅଜିତ ଅଗରକର ବିସିସିଆଇ ଆଗରେ କରିଛନ୍ତି ବଡ଼ ଡିମାଣ୍ଡ। ସେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡଙ୍କୁ କହିଛନ୍ତି, ୨୦୨୭ ଓ୍ବାନଡେ ଓ୍ବାର୍ଲ୍ଡକପ୍ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳକୁ ବଢାଇ ଦିଆଯାଉଛି। ଅଗରକରଙ୍କ ଏହି ଅନୁରୋଧ ଅନୁରୋଧ ଏଭଳି ସମୟରେ ଆସିଛି ଯେତେବେଳେ ଟିମ୍ ଇଣ୍ଡିଆ ତାଙ୍କ ଦେଖାଶୁଣାରେ ତିନି ଆଇସିସି ଟାଇଟଲ (ଟି-୨୦ ବିଶ୍ବକପ୍ ୨୦୨୪,ଚମ୍ପିଆନ୍ସ ଟ୍ରଫି ୨୦୨୫ ଓ ଟି୨୦ ବିଶ୍ବକପ୍ ୨୦୨୬) ଜିତି ସାରିଛି।
ଅଗରକରଙ୍କ କନଟ୍ରାକ୍ଟ ଆଇପିଏଲ ୨୦୨୫ ପୂର୍ବରୁ ବର୍ଷକ ପାଇ ବଢାଇ ଦିଆଯାଇଥିଲା। ଏବେ ଭାରତ ଦ୍ବାରା ଘରୋଇ ମାଟିରେ ଟି-୨୦ ଓ୍ବାର୍ଲ୍ଡକପ୍ ଟାଇଟଲ ଡିଫେଣ୍ଡ କରିବାର ଠିକ ଏକ ସପ୍ତାହ ପରେ ଅଗରକର ଆଗାମୀ ୫୦ଓଭର ଓ୍ବାର୍ଲ୍ଡକପ୍ ପର୍ଯ୍ୟନ୍ତ ଦାୟିତ୍ବ ନେବାକୁ ଇଛା ପ୍ରକାଶ କରିଛନ୍ତି। ତେବେ ବିସିସିଆଇ ଅଧ୍ୟକ୍ଷ ମିଥୁନ ମନହାସ ଓ ସଚିବ ଦେବଜିତ ସାଇକିଆଙ୍କ ପକ୍ଷରୁ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନି। କିନ୍ତୁ କୁହାଯାଉଛି ଯେ, ବୋର୍ଡ ଏହା ଉପରେ ଗମ୍ଭୀରତାର ସହ ବିଚାର କରୁଛି।
ଅଗରକରଙ୍କ କାର୍ଯ୍ୟକାଳରେ ଭାରତ ସୀମିତ ଓଭର କ୍ରିକେଟରେ ଅଦ୍ଭୁତ ସଫଳତା ହାସଲ କରିଛି। ଭାରତ ଗତ ୩୩ ହ୍ବାଇଟ୍ ବଲ୍ ମ୍ୟାଚ୍ରୁ କେବଳ ମାତ୍ର ୨ଟି ହାରିଛି। ୨୦୨୩-୨୫ ରେ ଏସିଆ କପ୍ ମଧ୍ୟ ଜିତିଥିଲା। ଏହାଛଡା ଟେଷ୍ଟ କ୍ରିକେଟରେ ଭାରତର ପ୍ରଦର୍ଶନ ନିରାଶଜନକ ରହିଛି। ଟିମ୍ ତା’ର ଘରେ ଲଗାତାର ଦୁଇଟି ସିରିଜ୍ ହାରିଛି ଓ ବର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ଶୋଚନୀୟ ପରାଜୟର ସାମନା କରିଛି। ଏହି କାରଣରୁ ବିସିସିଆଇ ଭିତରେ ଏକ ଗୋଷ୍ଠୀ ପଶ୍ଚିମ ଜୋନ୍ର କୌଣସି ପୂର୍ବତନ କ୍ରିକେଟରଙ୍କୁ ଏହି ପଦ ପାଇଁ ଦାବିଦାର ବୋଲି ମନେକରୁଛନ୍ତି।