ନୂଆଦିଲ୍ଲୀ,୧୭/୧୧: ୨୦୨୫- ୩୧ ଅବଧିରେ ଭାରତୀୟ ଅର୍ଥନୀତି ମଧ୍ୟମ ମିଆଦୀ ଭିତ୍ତିରେ ୬.୭% ହାରରେ ଅଭିବୃଦ୍ଧି କରିବ । ୨୦୩୧ରେ ଦେଶର ଜିଡିପି ୭ ଟ୍ରିଲିୟନ ଡଲାର ଛୁଇଁବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ଏହାର ରିପୋର୍ଟରେ ପ୍ରକାଶ କରିଛି । କରୋନା ପୂର୍ବ ଦଶନ୍ଧିରେ ଦେଶର ଜିଡିପି ହାରାହାରି ୬.୬% ହାରରେ ବଢ଼ିଥିଲା । ପୁଞ୍ଜି ଖର୍ଚ୍ଚ ଏବଂ ଉତ୍ପାଦନ ବୃଦ୍ଧି ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ବେଶ୍ ଯୋଗଦାନ ଦେଇଥିଲା । ସମାନ ଧାରା ଚଳିତ ଦଶନ୍ଧିରେ ମଧ୍ୟ ଦେଖାଯିବ ବୋଲି ଦୃଢ଼ ଆଶାବାଦୀ ରହିଛି ଏହି ଏଜେନ୍ସି ।
ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୮% ହାରରେ ବଢ଼ିବ ବୋଲି ଏହା ଆକଳନ କରିଛି । ଉଚ୍ଚ ସୁଧହାର ଏବଂ କଠୋର ଋଣ ପ୍ରଦାନ ନିୟମ ଯୋଗୁ ଏହା ଗ୍ରାମୀଣ ଚାହିଦାକୁ ପ୍ରଭାବିତ କରିବ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ବିତ୍ତୀୟ ସ୍ଥିତି ଦୃଢ଼ୀକରଣ ଦିଗରେ ସରକାରଙ୍କ ନିୟମିତ ଉଦ୍ୟମ ଅର୍ଥନୀତି ପାଇଁ ବେଶ୍ ସହାୟକ ହେବ ।
ଚଳିତ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୪.୫% ରହିପାରେ । ଏହା ପୂର୍ବ ଆର୍ôଥକ ବର୍ଷରେ ୫.୪% ଥିଲା । ତେବେ ଯୁଦ୍ଧ ଉଭୟ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ଚାପ ପକାଇବ ବୋଲି ଆଶଙ୍କା କରାଯାଇଛି । ଅନିୟମିତ ବର୍ଷା ଏବଂ ଖରାପ ପାଗ ଶସ୍ୟ ଉତ୍ପାଦନକୁ କ୍ଷତିଗ୍ରସ୍ତ କରିଛି । ଫଳରେ ଖାଦ୍ୟ ମୁଦ୍ରାସ୍ଫୀତି ଏବଂ କୃଷି ଆୟ ଏହା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ରହିଛି ।
ରପ୍ତାନିରେ ଉନ୍ନତି ହେବା ଯୋଗୁ ଦେଶର ଚଳନ୍ତି ଖାତା ନିଅଣ୍ଟ ଅପେକ୍ଷାକୃତ ଉନ୍ନତ ସ୍ଥିତିରେ ରହିବ । ବାଣିଜ୍ୟ ମନ୍ତ୍ରଣାଳୟ ଡାଟା ମୁତାବକ, ଅକ୍ଟୋବରରେ ଦେଶର ମର୍ଚ୍ଚାଣ୍ଡାଇଜ୍ ରପ୍ତାନି ୧୭.୨୫% ବୃଦ୍ଧି ହୋଇ ୩୯.୨୦ ବିଲିୟନ ଡଲାର ରହିଛି । ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ, ଅର୍ଗାନିକ, କେମିକାଲ ଏବଂ ବୟନ କ୍ଷେତ୍ରରେ ରପ୍ତାନି ବଢ଼ିଛି ।
ସେହିଭଳି ଦେଶର ମୋଟ ରପ୍ତାନି ୭୩.୨୧ ବିଲିୟନ ଡଲାର ରହିଛି । ଗତ ବର୍ଷ ଅକ୍ଟୋବର ତୁଳନାରେ ଏଥିରେ ୧୯.୮% ବୃଦ୍ଧି ହୋଇଛି । ସେହିଭଳି ଆମଦାନି ୭.୭୭% ବୃଦ୍ଧି ହୋଇ ୮୩.୩୩ ବିଲିୟନ ଡଲାର ଛୁଇଁଥିବା ଏହି ରିପୋର୍ଟରେ କୁହାଯାଇଛି । ଏହା ପୂର୍ବରୁ ରେଟିଙ୍ଗ୍ ଏଜେନ୍ସି ମୁଡିସ୍ ଏହାର ରିପୋର୍ଟରେ ପ୍ରକାଶ କରିଥିଲା ଯେ, ଚଳିତ ବର୍ଷ ଭାରତର ଅର୍ଥନୈତିକ ବିକାଶ ହାର ୭.୨% ରହିପାରେ ।
ଏହା ଆହୁରି ମଧ୍ୟ ପ୍ରକାଶ କରିଥିଲା ଯେ, ଭାରତ ବର୍ତ୍ତମାନ ଉତ୍ତମ ସ୍ଥାନରେ ରହିଛି । ଦେଶର ଅଭିବୃଦ୍ଧି ମଜଭୂତ ଅଛି । ତେବେ ମୁଦ୍ରାସ୍ଫୀତି ରିସ୍କ ଯୋଗୁ ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏହାର କଠୋର ମୁଦ୍ରାନୀତିକୁ ଜାରି ରଖିପାରେ ବୋଲି ମୁଡିସ୍ ଅନୁମାନ କରିଛି ।
ରେଟିଙ୍ଗ୍ ଏଜେନ୍ସି ଆହୁରି କହିଛି ଯେ, ସମ୍ପ୍ରତି ଭାରତରେ ମୁଦ୍ରାସ୍ଫୀତି ବଢୁଛି ସତ କିନ୍ତୁ ଅଧିକ ଉତ୍ପାଦନ ଏବଂ ଶସ୍ୟର ଉପଯୁକ୍ତ ବଫର ଷ୍ଟକ୍ ଯୋଗୁ ଆଗାମୀ ମାସଗୁଡ଼ିକରେ ଖାଦ୍ୟ ସାମଗ୍ରୀ ଦର ଖସିବ । ଏଥିସହିତ ମୁଦ୍ରାସ୍ଫୀତି ଆର୍ବିଆଇ ଦ୍ୱାରା ଧାର୍ଯ୍ୟ ସୀମା ତଳକୁ ଖସିଯିବ ।