ନୂଆଦିଲ୍ଲୀ/ଚେନ୍ନାଇ: ପଶ୍ଚିମ ଏସିଆରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଏବଂ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଇରାନରେ ଫସି ରହିଥିବା ୩୪୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଶେଷରେ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତ ସରକାରଙ୍କ ତତ୍ପରତା ଏବଂ ଆର୍ମେନିଆ ସରକାରଙ୍କ ସହଯୋଗ ଯୋଗୁଁ ଏହି ମତ୍ସ୍ୟଜୀବୀମାନଙ୍କୁ ଏୟାରଲିଫ୍ଟ କରାଯାଇ ଶନିବାର ସନ୍ଧ୍ୟାରେ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚାଯାଇଛି । ଏହି ସଫଳ ରେସକ୍ୟୁ ଅପରେସନ ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆର୍ମେନିଆ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଆର୍ମେନିଆର ବୈଦେଶିକ ମନ୍ତ୍ରୀ ଅରାରତ ମିର୍ଜୋୟାନଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଦେବା ସହ କହିଛନ୍ତି ଯେ, କଷ୍ଟକର ସମୟରେ ଆର୍ମେନିଆ ଦେଇ ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବାରେ ସେଠାକାର ସରକାରଙ୍କ ଭୂମିକା ପ୍ରଶଂସନୀୟ ।
ଏହା ବି ପଢ଼ନ୍ତୁ... ଘନେଇଲା ଭୟଙ୍କର ଜଳ ସଂକଟ; ବିଶ୍ୱର ୨୫% ଭୂତଳ ଜଳ ଭାରତରେ ବ୍ୟବହାର, ସତର୍କ କଲା ପିଏସି
୧୫୦୦ରୁ ଅଧିକ ଭାରତୀୟଙ୍କୁ କରାଗଲାଣି ଉଦ୍ଧାର:
ସରକାରୀ ତଥ୍ୟ ଅନୁସାରେ, ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ଭାରତୀୟ ନାଗରିକ ଆର୍ମେନିଆ ଏବଂ ଆଜରବୈଜାନ ଦେଇ ଇରାନ ସୀମା ପାର୍ କରି ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି । ସମଗ୍ର ଅଞ୍ଚଳର ସ୍ଥିତି ଉପରେ ଭାରତୀୟ ଦୂତାବାସ ଏବଂ ବୈଦେଶିକ ମନ୍ତ୍ରଣାଳୟ ତୀକ୍ଷ୍ଣ ନଜର ରଖିଛି । ଏହି ଉଦ୍ଧାର କାର୍ଯ୍ୟ ମଧ୍ୟରେ ଅବୁଧାବିରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ସେଠାରେ ଏକ ମିସାଇଲକୁ ଆକାଶମାର୍ଗରେ ଖସାଇ ଦିଆଯାଇଥିଲା, କିନ୍ତୁ ଏହାର ଭଗ୍ନାଂଶ ମାଡ଼ ହେବା ଫଳରେ ୫ ଜଣ ଭାରତୀୟ ନାଗରିକ ଆହତ ହୋଇଥିଲେ ।
ସୌଭାଗ୍ୟବଶତଃ, ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇସାରିଛନ୍ତି । ଜଣେ ବ୍ୟକ୍ତି ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଅବୁଧାବିରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛି ଏବଂ ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଯୁଦ୍ଧ ବିଭୀଷିକା ମଧ୍ୟରୁ ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତ ସରକାରଙ୍କ "ଅପରେସନ" ଜାରି ରହିଛି । ଆର୍ମେନିଆ ଭଳି ବନ୍ଧୁ ଦେଶର ସହଯୋଗରେ ଶତାଧିକ ଭାରତୀୟଙ୍କ ଜୀବନ ରକ୍ଷା କରାଯାଇପାରିଛି ।