ନୂଆଦିଲ୍ଲୀ, ୧୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଦାବି କରିଛନ୍ତି ଯେ, ଭାରତ ଏହାର ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତୁତ ଅଛି । ଟ୍ରମ୍ପଙ୍କ ଏହି ବୟାନ ପରେ ଭାରତ କହିଛି ଯେ, ଆମେରିକା ସହିତ ଏପର୍ଯ୍ୟନ୍ତ ଶୁଳ୍କ ସମ୍ପର୍କରେ କୌଣସି ଚୁକ୍ତି ହୋଇନାହିଁ । ଏ ସମ୍ପର୍କରେ ଆଲୋଚନା ଚାଲିଛି । ବାଣିଜ୍ୟ ସଚିବ ସୁନୀଲ ବାର୍ଥୱାଲ ସୋମବାର ସଂସଦୀୟ କମିଟିକୁ ଏ ବିଷୟରେ ଜଣାଇଛନ୍ତି । ଭାରତ ସୀମା ଶୁଳ୍କ ହ୍ରାସ କରିବାକୁ ରାଜି ହୋଇଛି ବୋଲି ଟ୍ରମ୍ପଙ୍କ ଦାବି ଉପରେ ଅନେକ ସାଂସଦ ଚିନ୍ତା ପ୍ରକାଶ କରିଥିଲେ ।

ଏହା ଉପରେ ବାଣିଜ୍ୟ ସଚିବ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଏବେ ବି ଚାଲିଥିବାରୁ ଏହି ଦାବି ଏବଂ ଗଣମାଧ୍ୟମ ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଇପାରିବ ନାହିଁ । ସେ ସଂସଦୀୟ କମିଟିକୁ କହିଥିଲେ ଯେ, ଭାରତ ଆମେରିକା ସହିତ ବାଣିଜ୍ୟ ଶୁଳ୍କ କ୍ଷେତ୍ରରେ କୌଣସି ପ୍ରତିଶ୍ରୁତି ଦେଇନାହିଁ । ବାର୍ଥୱାଲ କହିଛନ୍ତି, ବାଣିଜ୍ୟ ଆଲୋଚନା ସମୟରେ ଭାରତର ସ୍ୱାର୍ଥକୁ ଧ୍ୟାନ ଦିଆଯିବ । ଭାରତ ମୁକ୍ତ ବାଣିଜ୍ୟ ସପକ୍ଷରେ ଏବଂ ବାଣିଜ୍ୟର ଉଦାରୀକରଣ ଚାହୁଁଛି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବ । ସେ ଆହୁରି କହିଛନ୍ତି, ଶୁଳ୍କ ଯୁଦ୍ଧ ଆରମ୍ଭ କରିବା ଦ୍ୱାରା ଆମେରିକା ସମେତ କାହାକୁ ବି ଲାଭ ମିଳିବନି । ଏହା ଏକାଧିକ ଦେଶରେ ମାନ୍ଦାବସ୍ଥା ଆଣିପାରେ ।

ଭାରତ ମେକ୍ସିକୋ ଏବଂ କାନାଡ଼ା ପରି କାହିଁକି ସ୍ୱର ଉତ୍ତୋଳନ କରୁନାହିଁ ?
ଏହି ସମୟରେ କିଛି ସାଂସଦ ତାଙ୍କୁ ପଚାରିଥିଲେ ଯେ, ଭାରତ କାହିଁକି ମେକ୍ସିକୋ ଏବଂ କାନାଡ଼ା ପରି ଆମେରିକାର କଷ୍ଟମ୍ ଡ୍ୟୁଟି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁନାହିଁ । ଏହା ଉପରେ ବାର୍ଥୱାଲ କହିଛନ୍ତି ଯେ, ଉଭୟ ମାମଲାକୁ ତୁଳନା କରାଯାଇପାରିବ ନାହିଁ । କାରଣ ଆମେରିକା ସହିତ ସୁରକ୍ଷା ଚିନ୍ତା ଏବଂ ସୀମା ବିବାଦ ସମସ୍ୟା ରହିଛି । ବାର୍ଥୱାଲ ସଂସଦୀୟ କମିଟିକୁ କହିଥିଲେ ଯେ, ଭାରତ ଆମେରିକା ସହିତ 'ପାରସ୍ପରିକ ଲାଭଦାୟକ ଚୁକ୍ତି' ସ୍ୱାକ୍ଷର କରିବ । ଭାରତ ଏହାର ଘରୋଇ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେବ।

ଚୀନ୍ ବିଷୟରେ ବୈଦେଶିକ ସଚିବ କ’ଣ କହିଲେ ?
ବାର୍ଥୱାଲ କହିଛନ୍ତି, ଭାରତ ଦ୍ୱିପାକ୍ଷିକ ଭାବରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିପାରିବ, କିନ୍ତୁ ଏହା ବହୁପାକ୍ଷିକ ଭାବରେ କରାଯାଇପାରିବ ନାହିଁ । ସେଥିପାଇଁ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ କାମ କରାଯାଉଛି । ଏହି ସମୟରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସଂସଦୀୟ କମିଟିକୁ ଚୀନ୍ ଏବଂ ୟୁରୋପ ସହିତ ଭାରତର ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ । ମିଶ୍ରି କହିଛନ୍ତି ଯେ, ଦକ୍ଷିଣ-ପୂର୍ବ ଚୀନ୍ରେ ବ୍ରହ୍ମପୁତ୍ର ନଦୀ ଉପରେ ବନ୍ଧ ନିର୍ମାଣ ଭାରତ ପାଇଁ ଚିନ୍ତାର ବିଷୟ କାରଣ । ଚୀନ୍ ତା'ର ବଜେଟ୍ ଅନୁଯାୟା, ଏହାର ବିକାଶ ପାଇଁ ପାଣ୍ଠି ବ୍ୟବସ୍ଥା କରିଛି ।