ନୂଆଦିଲ୍ଲୀ: ଭାରତ-ରୁଷ ସମ୍ପର୍କ ଏବଂ ସ୍ୱଦେଶୀ ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ସ୍ୱଦେଶୀ ସରକାରୀ ଆଭିଏସନ କମ୍ପାନୀ HAL ରୁଷ୍ ସହିତ ସୁଖୋଇ ସୁପରଜେଟ୍ (SJ-୧୦୦) ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି। ମଙ୍ଗଳବାର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ସିଏମଡି ଡିକେ ସୁନୀଲଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
HAL ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ,ଉଡାଣ (UDAN) ଯୋଜନା ଅଧୀନରେ ଏହି SJ-୧୦୦(ସୁଖୋଇ ସୁପରଜେଟ୍) ବିମାନ ଗୁଡ଼ିକୁ ଅଳ୍ପ ଦୂରତା ସଂଯୋଗ ପାଇଁ ବ୍ୟବହାର କରାଯିବ। ଭାରତରେ କେତେ ବିମାନ ନିର୍ମାଣ କରିବାକୁ ରାଜି ହୋଇଛି କିମ୍ବା କେବେ ଉତ୍ପାଦନ ଆରମ୍ଭ ହେବ ତାହା HAL ସ୍ପଷ୍ଟ କରିନାହିଁ, କିନ୍ତୁ ବିମାନ କମ୍ପାନୀ କହିଛି ଯେ UDAN ଯୋଜନା ଅଧୀନରେ ଦେଶକୁ ବର୍ତ୍ତମାନ ପ୍ରାୟ ୨ ଶହ ବିମାନ ଆବଶ୍ୟକ। ଏହା ବ୍ୟତୀତ, ଯଦି ଭାରତ ମହାସାଗର କ୍ଷେତ୍ରରେ ଆନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳ (ଯେପରିକି ଶ୍ରୀଲଙ୍କା ଏବଂ ମାଳଦ୍ୱୀପ) ଅନ୍ତର୍ଭୁକ୍ତ କରାଯାଏ,ତେବେ ଅତିରିକ୍ତ ୩୫୦ ବିମାନ ଆବଶ୍ୟକ ହେବ।
ଦୁଇଟି ଇଞ୍ଜିନ୍ ବିଶିଷ୍ଟ SJ-୧୦୦ ବିମାନ ଋଷର ସରକାରୀ ପବ୍ଲିକ୍ ଜଏଣ୍ଟ ଷ୍ଟକ୍ କମ୍ପାନୀ ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ ଦ୍ୱାରା ନିର୍ମିତ। ରୁଷରେ ଏହି ପ୍ରକାରର ୨ ଶହଟି ବିମାନକୁ ୧୬ଟି ବାଣିଜ୍ୟିକ ବିମାନ କମ୍ପାନୀ ଦ୍ୱାରା ଘରୋଇ ଉଡାଣ ପାଇଁ ବ୍ୟବହାର କରାଯାଏ।