ନୂଆଦିଲ୍ଲୀ,୨୫/୧୦: ଭାରତ-ଜର୍ମାନୀ ଦ୍ୱିପାକ୍ଷିକ  ପୁରୁଷ ହକି ସିରିଜ୍‌ ଶେଷ ହେବା ପରେ ଭାରତୀୟ ମହିଳା  ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଅବସର ଘୋଷଣା  କରିଥିଲେ । ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ  କରାଯିବା ସହ ୧୦ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା ।  ଏଥିସହିତ ତାଙ୍କ ସମ୍ମାନାର୍ଥେ ରାଣୀ ପରିଧାନ କରୁଥିବା ୨୮ ନମ୍ବର  ଜର୍ସିଙ୍କୁ ଅବସର ଦିଆଯାଇଥିଲା । ଅର୍ଥାତ ତାଙ୍କ ପରେ ଏହି  ନମ୍ବର ଜର୍ସି କାହାକୁ ଦଳରେ ପରିଧାନ କରିବାକୁ ଦିଆଯିବ ନାହିଁ । 

ରାଣୀଙ୍କ ନେତୃତ୍ୱ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ  ଅଳ୍ପକେ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲା ।  ମାତ୍ର ୧୪ ବର୍ଷ ବୟସରେ ସେ ୨୦୦୮ରେ ଅନ୍ତର୍ଜାତୀୟ ହକିରେ  ପଦାର୍ପଣ କରିଥିଲେ । ତାଙ୍କ ନେତୃତ୍ୱରେ ଭାରତ ଏସିଆ କପ୍‌  ଚାମ୍ପିଅନ ହେବା ସହ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲା । ୨୯ ବର୍ଷୀୟ ଫରୱାର୍ଡ ରାଣୀ କ୍ୟାରିୟରରେ ୨୫୪ଟି  ମ୍ୟାଚ୍‌ ଖେଳି ୧୨୦ରୁ ଊଦ୍ଧ୍ୱର୍ ଗୋଲ୍‌ ଦେବାରେ ସଫଳ  ରହିଥିଲେ । ଆହତ ହେବା ଯୋଗୁ ଟୋକିଓ ଅଲିମ୍ପିକ୍ସ ପରେ  ସେ ବିଶ୍ରାମ ନେଇଥିଲେ । ସନ୍ନ୍ୟାସ ନେବା ପରେ ରାଣୀ  କୋଚିଂରେ ମନୋନିବେଶ କରିବେ ବୋଲି କହିଛନ୍ତି ।