ନୂଆଦିଲ୍ଲୀ,୧୨/୧୧: ଭାରତୀୟ  ପରିବାର ସେମାନଙ୍କ ବାଲାନ୍ସ ସିଟ୍‌ର ମାତ୍ର  ୩% ଇକ୍ୱିଟିରେ ନିବେଶ କରିଛନ୍ତି । ତେବେ  ଆଗାମୀ ଦିନରେ ଏହା ଦୁଇ ଅଙ୍କ ପର୍ଯ୍ୟନ୍ତ  ଯାଇପାରେ ବୋଲି ଏକ ରିପୋର୍ଟରେ  ଅନୁମାନ କରାଯାଇଛି । 

ମୋର୍ଗାନ୍‌ ଷ୍ଟେନ୍‌ଲୀର ଅନୁମାନ  ମୁତାବକ, ଗତ ୧୦ ବର୍ଷରେ ଭାରତୀୟ  ପରିବାର ସେୟାର ବଜାରରୁ ୧ ଟ୍ରିଲିୟନ  ଡଲାର ବା ୧ ଲକ୍ଷ କୋଟି ଡଲାର ଆୟ  କରିଛନ୍ତି । ଗ୍ଲୋବାଲ ଇନ୍‌ଭେଷ୍ଟମେଣ୍ଟ  ବ୍ୟାଙ୍କିଙ୍ଗ୍‌ ସଂସ୍ଥା ମୋର୍ଗାନ ଷ୍ଟେନ୍‌ଲୀର  ଅନୁମାନ, ଗତ ଦଶନ୍ଧିରେ ଭାରତୀୟ  ପରିବାରଗୁଡ଼ିକ ପ୍ରାୟ ୮.୫ ଟ୍ରିଲିୟନ  ଡଲାରର ସମ୍ପତ୍ତି ଯୋଡ଼ିଛନ୍ତି, ଯେଉଁଥିରୁ  ପାଖାପାଖି ୧୧% ଇକ୍ୱିଟିରୁ ଆସିଛି । ଯଦି  ଫାଉଣ୍ଡରଙ୍କୁ ସାମିଲ କରାଯାଏ ତେବେ  ଭାରତୀୟ ପରିବାର ଏହି ଅବଧିରେ ମୋଟ  ୯.୭ ଟ୍ରିଲିୟନ ଡଲାର ଆୟ କରିଛନ୍ତି । ଏହି  ଆୟରେ ଇକ୍ୱିଟିର ଯୋଗଦାନ ୨୦% ବା ୨  ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।  

ମୋର୍ଗାନ ଷ୍ଟେନ୍‌ଲୀର ରିଦ୍ଧମ ଦେଶାଇ  ଏକ ରିପୋର୍ଟରେ କହିଛନ୍ତି ଯେ, ଏବେ  ବି ଭାରତୀୟ ପରିବାର ଇକ୍ୱିଟିରେ କମ୍‌  ନିବେଶ କରୁଛନ୍ତି । ପ୍ରତିଷ୍ଠାତାମାନଙ୍କ ଇକ୍ୱିଟି  ହୋଲ୍‌ଡିଙ୍ଗ୍‌ସକୁ ଛାଡ଼ିଦେଲେ ଘରୋଇ  ବାଲାନ୍ସ ସିଟ୍‌ର କେବଳ ୩% ଇକ୍ୱିଟିରେ  ରହିଛି । ତେବେ ଆଗାମୀ ଦିନରେ ଏହା  ଦୁଇ ଅଙ୍କ ପର୍ଯ୍ୟନ୍ତ ବଢ଼ିପାରେ । ଗତ ୧୦  ବର୍ଷରେ ଭାରତରେ ତାଲିକାଭୁକ୍ତ ସମସ୍ତ  କମ୍ପାନିଗୁଡ଼ିକର ମାର୍କେଟ କ୍ୟାପ୍‌ ୨୦୧୪  ମାର୍ଚ୍ଚର ୧.୨ ଟ୍ରିଲିୟନ ଡଲାରରୁ ବଢ଼ି ୫.୪  ଟ୍ରିଲିୟନ ଡଲାର ହୋଇଛି । ଏଥିସହିତ  ଭାରତ ଅନ୍ତର୍ଜାତୀୟ ସ୍ତରରେ ପଞ୍ଚମ ବୃହତ୍‌  ବଜାର ପାଲଟିଛି । 

ଗ୍ଲୋବାଲ ମାର୍କେଟ୍‌  କ୍ୟାପ୍‌ରେ ଭାରତର ଅଂଶ ୨୦୧୩ରେ  ୧.୬%ରୁ କମ୍‌ ଥିଲା । ୨୦୨୪ ନଭେମ୍ବରରେ  ଏହା ୪.୩%କୁ ବୃଦ୍ଧି ପାଇଛି । ଯାହାଦ୍ୱାରା  ବିକାଶମୁଖୀ ବଜାରଗୁଡ଼ିକ ମଧ୍ୟରେ ଭାରତ  ଦ୍ୱିତୀୟ ବୃହତ୍‌ ବଜାର ପାଲଟିଛି । ଦେଶାଇ  କହିଛନ୍ତି ଯେ, ଭାରତୀୟ ପରିବାର ଅନ୍ୟ  ଆସେଟ୍‌ କ୍ଲାସଗୁଡ଼ିକ ତୁଳନାରେ ଇକ୍ୱିଟିରେ  କମ୍‌ ନିବେଶ କରୁଛନ୍ତି । ଘରୋଇ ନିବେଶକ  ସେୟାର ଉପରେ ଲମ୍ବା ସମୟ ଯାଏ  ନିବେଶ କରିପାରିବେ । ଘରୋଇ ବାଲାନ୍ସ  ସିଟ୍‌ରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ଏବଂ  ଏଥିପାଇଁ ଆଗାମୀ ବର୍ଷଗୁଡ଼ିକରେ ଇକ୍ୱିଟିରେ  ନିବେଶ ଭାଗ ବଢ଼ିପାରେ ।   

ମୋର୍ଗାନ ଷ୍ଟେନ୍‌ଲୀ ଅନୁସାରେ,  ଘରୋଇ ବଜାରରେ ରିସ୍କ୍‌ପୂର୍ଣ୍ଣ ପୁଞ୍ଜିର  ବର୍ଦ୍ଧିତ ପରିମାଣ ଭାରତୀୟ ଅର୍ଥବ୍ୟବସ୍ଥାକୁ  ବିଶ୍ୱର ଅନ୍ୟାନ୍ୟ ସମସ୍ୟା ଯେପରି ଅସ୍ଥିର  ଦରଦାମ, ଆର୍ଥିକ ପରିଣତି ଏବଂ ପୁଞ୍ଜି  ପ୍ରବାହ ପ୍ରତି କମ୍‌ ସମ୍ବେଦନଶୀଳ କରୁଛି ।