ଭାରତର ଭାଷାଗତ ବିବିଧତା ହିଁ ଏହାର  ଶିକ୍ଷାଗତ ଉତ୍କର୍ଷ ଏବଂ ସାମାଜିକ,  ସାଂସ୍କୃତିକ ଓ ଅର୍ଥନୈତିକ ଉନ୍ନତିର  ମୂଳଦୁଆ ଅଟେ । ଏହି ଅମୃତ କାଳରେ  ବିକଶିତ ଭାରତର ଆଭିମୁଖ୍ୟକୁ ସାଙ୍ଗରେ  ନେଇ ଆମେ ଅଗ୍ରସର ହେଉଥିବାବେଳେ  ଆମର ମାତୃଭାଷାଗୁଡ଼ିକ ବିକାଶର ରଥ  ରୂପେ ପ୍ରତୀୟମାନ ହେଉଅଛି ।

ଆମ ଦେଶର ଭାଷା-ବିବିଧତାଗତ ଐତିହ୍ୟକୁ  ଉଜ୍ଜୀବୀତ ରଖିବା ପାଇଁ ଦେଶର ସମସ୍ତ  ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଡିସେମ୍ବର ୪ରୁ  ୧୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳିତ ହୋଇଛି  ଭାରତୀୟ ଭାଷା ଉତ୍ସବ । ଏହି ଉତ୍ସବର ଅନ୍ତିମ ଦିବସରେ  ଅର୍ଥାତ୍‌ ଡିସେମ୍ବର ୧୧ ତାରିଖରେ ମହାକବି ସୁବ୍ରମଣ୍ୟ  ଭାରତୀଙ୍କ ଜୟନ୍ତୀ ପାଳିତ ହୋଇଛି । କିଛି ମାସ ତଳେ  ଅର୍ଥାତ୍‌ ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍‌  ମରାଠୀ, ପାଲି, ପ୍ରାକୃତ, ଅହମୀୟା ଏବଂ ବଙ୍ଗଳା ଆଦି  ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରି  ଏକ ଉଦାହରଣ ସୃଷ୍ଟି କରିଛି । ଏହି ନିଷ୍ପତ୍ତି ଆମର  ଭାଷା ବିବିଧତାକୁ ପାଳନ କରିବାର ଅବସର ଦେଇଛି ।  ଅତୀତରେ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ,  ମାଲାୟାଲମ ଓ ଓଡ଼ିଆ ଆଦି ଛଅଗୋଟି ଭାରତୀୟ  ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା । ଏବେ ଆଉ  ପାଞ୍ଚଟି ଭାଷାକୁ ଏହି ମାନ୍ୟତା ମିଳିବା ଦ୍ୱାରା  ପ୍ରକାରାନ୍ତରେ ଭାରତର ଭାଷାଗତ ଐତିହ୍ୟକୁ  ବ୍ୟାପକ ସ୍ୱୀକୃତି ମିଳିଛି ଏବଂ ତତ୍‌ ସଙ୍ଗେ  ସଙ୍ଗେ ମାନ୍ୟତାପ୍ରାପ୍ତ ଭାଷାଗୁଡ଼ିକୁ ମାତୃଭାଷା  ଭାବେ ବ୍ୟବହାର କରିଆସୁଥିବା ଅଗଣିତ ଭାରତୀୟଙ୍କ ମନରେ ଏହା ଗଭୀର  ଆତ୍ମପ୍ରତ୍ୟୟ ମଧ୍ୟ ସୃଷ୍ଟି କରିଛି । 

ଭାରତୀୟ ସଭ୍ୟତାର କେନ୍ଦ୍ରରେ ରହିଛି  ଭାରତର ଭାଷାଗତ ସ୍ୱାଭିମାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ  ମତରେ, ପ୍ରତ୍ୟେକ ଭାରତୀୟ ଭାଷା ହେଉଛି ରାଷ୍ଟ୍ରଭାଷା  ଏବଂ ଏସବୁରେ ଗଢ଼ା ଆମ ଭାରତୀୟତା, ଏଣୁ ପ୍ରତିଟି  ଭାରତୀୟ ଭାଷା ସମ୍ମାନାସ୍ପଦ । ଭାଷାଗତ ବିବିଧତା  ରାଷ୍ଟ୍ରୀୟ ଏକତାକୁ ସୁଦୃଢ଼ କରିବା ସହ ‘ଏକ ଭାରତ  ଶ୍ରେଷ୍ଠ ଭାରତ'ର ଲକ୍ଷ୍ୟ ହାସଲ କରିବାରେ ସହାୟକ  ହୋଇଥାଏ । ତେଣୁ ପ୍ରତ୍ୟେକ ଭାରତୀୟ ଆପଣାର  ଭାଷାଗତ ସ୍ୱାଭିମାନକୁ ସମ୍ମାନ-ସୂଚକ ପଦକ ରୂପେ  ଧାରଣ କରିବା ଉଚିତ । ଏକଥା ଆଜି ବିଶ୍ୱସ୍ତରରେ ମଧ୍ୟ  ପ୍ରତିଫଳିତ ହୋଇଛି । ଏହା ଉପରେ ଉଦାହରଣ ଦେଇ  ପ୍ରଧାନମନ୍ତ୍ରୀ କହିଛନ୍ତି "ଜାତିସଂଘରେ ମଧ୍ୟ ମୁଁ ଗର୍ବର  ସହ ଭାରତୀୟ ଭାଷାରେ କଥା ହେଉଛି । ଯଦି ଉପସ୍ଥିତ  ଶ୍ରୋତାମାନଙ୍କୁ ମୋ ଭାଷାକୁ ବୁଝି କରତାଳି ଦେବାରେ  କିଛି ସମୟ ଲାଗୁଛି, ଲାଗୁ' । ଏତାଦୃଶ ଦମ୍ଭୋକ୍ତି  ଭାରତର ଭାଷାଗତ ବିବିଧତାର ଗୌରବ ବଜାୟ ରଖିବା  ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସୂଚାଉଛି ଏବଂ  ଆମ ଭାଷାଗତ ସ୍ୱାଭିମାନର ମହତ୍ତ୍ୱକୁ ମଧ୍ୟ ଦର୍ଶାଉଛି । 

ଭାରତ କେବଳ ଅନେକାଧିକ ଭାଷାର  ସହାବସ୍ଥାନର ସ୍ଥଳୀ ଭାବରେ ନୁହେଁ, ସବୁ ଭାଷାର  ଉତ୍କର୍ଷ ସାଧନର ଭୂମି ରୂପରେ ମଧ୍ୟ ଚିର ପରିଚିତ । ବହୁଭାଷିକ ଉତ୍କୃଷ୍ଟତାର ଏହା ଏକ ଜୀବନ୍ତ ପ୍ରତିଚ୍ଛବି । ଭାରତର ଭାଷାଗତ ବିବିଧତା ଜରିଆରେ ଏହାର  ଜାତୀୟ ପରିଚୟ ଆହୁରି ବ୍ୟାପକ ହୋଇଛି ଏବଂ  ବିବିଧତା ମଧ୍ୟରେ ଏକତାର ଆମ ଅବଧାରଣା  ଇତିମଧ୍ୟରେ ଆହୁରି ଦୃଢ଼ୀଭୂତ ହୋଇଛି । ଭାରତୀୟଙ୍କର  ଏହି ସାଂସ୍କୃତିକ ପରାକାଷ୍ଠା କିନ୍ତୁ ଔପନିବେଶିକ ଶାସନ  କାଳରେ ଯଥେଷ୍ଟ ସଙ୍କୁଚିତ ହୋଇପଡ଼ିଥିଲା । ୧୮୩୫  ମସିହା ଫେବ୍ରୁଆରୀ ୨ ତାରିଖରେ ଥୋମାସ୍‌ ବାବିଙ୍ଗଟନ୍‌  ମାକଲେ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲଙ୍କୁ  "ଭାରତୀୟ ଶିକ୍ଷା ସମ୍ବନେ୍ଧ ମାକଲେଙ୍କ ମିନିଟ୍‌' ନାମରେ  ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ  ଭାରତର ମାତୃଭାଷାଗୁଡ଼ିକୁ ଗୌଣ କରି ଇଂରାଜୀ ଭାଷାକୁ  ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା । ଏହା ଏକ ବ୍ରିଟିଶ  ଅନୁରକ୍ତ ଭାରତୀୟ କର୍ମଚାରୀ ଶ୍ରେଣୀ ସୃଷ୍ଟି କରିବା  ପାଇଁ ଅଭିପ୍ରେତ ଥିଲା ଏବଂ ଭାରତୀୟମାନଙ୍କୁ ପିଢ଼ି  ପିଢ଼ି ଧରି ସେମାନଙ୍କ ସାଂସ୍କୃତିକ ଓ ଭାଷାଗତ ମୂଳଠାରୁ  ମଧ୍ୟ ବିଚ୍ଛିନ୍ନ କରି ପକାଇଥିଲା । ସେବେଠାରୁ ପ୍ରାୟ ଦୁଇ  ଶତାବ୍ଦୀ ଧରି ଏକ ଭାରତ-ବିରାଧୀ ଔପନିବେଶିକ  ପରମ୍ପରା ନିରବଚ୍ଛିନ୍ନ ଭାବେ ଆମ ସାଂସ୍କୃତିକ ଓ ଭାଷାଗତ  ସ୍ୱାଭିମାନକୁ ଆଘାତ ପରେ ଆଘାତ ଦେଇଚାଲିଛି । 

ଭାରତରେ ଏକ ସମୃଦ୍ଧ ଓ ବହୁବିଧ ଭାଷାଭାଷୀ  ଜନସଂଖ୍ୟା ରହିଅଛି, ଯହିଁର ଅଧିକାଂଶ (ପ୍ରାୟ ଅଶି  ପ୍ରତିଶତ) ହେଉଛି ଅଣ-ଇଂରାଜୀଭାଷୀ, ଅର୍ଥାତ୍‌  ମାତୃଭାଷାଭାଷୀ । ଶିକ୍ଷାର ମୂଳେ ମାତୃଭାଷା । ଏହି  ମାତୃଭାଷା କେବଳ ଯୋଗାଯୋଗର ନିମିତ୍ତ ନୁହେଁ,  ଏହା ମଧ୍ୟ ଆମ ଇତିହାସ, ପରମ୍ପରା ଓ ଲୋକକଥାର  ଭଣ୍ଡାରଘର, ପିଢ଼ି ପିଢ଼ିରୁ ସାଇତା ଅସରନ୍ତି ଜ୍ଞାନର  ଅମାରଘର । ଏସବୁ ଆମକୁ ଦେଇଛନ୍ତି ଏକ ସ୍ୱତନ୍ତ୍ର  ବିଶ୍ୱଦୃଷ୍ଟି । ସୃଜନୀ ଶକ୍ତି ଓ ଧୀଶକ୍ତିରେ ପରିପୂର୍ଣ୍ଣ ଆମ  ପିଲାମାନେ ମାତୃଭାଷାରେ ଶିକ୍ଷାରମ୍ଭ କଲେ ସେମାନଙ୍କର  ସାମଗ୍ରିକ ବିକାଶ ଘଟେ। ମାତୃଭାଷାର ବର୍ଣ୍ଣବୋଧ ପୁସ୍ତିକା  ବା ପ୍ରାଇମରଟି ପିଲାମାନଙ୍କୁ ଘରଠାରୁ ଶ୍ରେଣୀଗୃହ  ପର୍ଯ୍ୟନ୍ତ, କହି ଶିଖିବାରୁ ଲେଖି ଶିଖିବା ପର୍ଯ୍ୟନ୍ତ, ଶବ୍ଦ  ଶିକ୍ଷାରୁ ଅର୍ଥ ଶିକ୍ଷା ପର୍ଯ୍ୟନ୍ତ ଏବଂ ଭାଷାଠାରୁ ବିଷୟ  ପ୍ରବେଶ ପର୍ଯ୍ୟନ୍ତ ଏକ ସେତୁବନ୍ଧ ସାଜି ‘ଆପଣା'  ଭାଷା (ମାତୃଭାଷା)ରୁ ‘ପର' ଭାଷା (ଅନ୍ୟାନ୍ୟ ଭାଷା)  ଆଡ଼କୁ ବାଟ କଢ଼ାଇନିଏ । ରବୀନ୍ଦ୍ରନାଥ ଟାଗୋରଙ୍କ  ମତରେ "ଶିଶୁଟିଏ ପାଠ୍ୟପୁସ୍ତକରୁ ନୁହେଁ, ବରଂ ମାଆ  ପାଖରୁ ହିଁ କହିବା ଶିଖେ ।' ମୌଳିକ ବିଚାରବୋଧରୁ  ଜଟିଳ ଚିନ୍ତାଶକ୍ତି ପର୍ଯ୍ୟନ୍ତ, ଶିଶୁଟିର ସ୍ୱାଭାବିକ ବିକାଶକୁ  ମାତୃଭାଷାଭିତ୍ତିକ ଶିକ୍ଷା ହିଁ ପ୍ରୋତ୍ସାହିତ କରିଥାଏ । 

ଭାରତର ଭାଷାଗତ ବିବିଧତା ଏହାର ବୌଦ୍ଧିକ ଓ  ସାଂସ୍କୃତିକ ଭଣ୍ଡାରକୁ ସମୃଦ୍ଧ କରିଛି । କାଶ୍ମୀରର ହିମ- ଆଚ୍ଛାଦିତ ଗିରିଶୃଙ୍ଗ ଠାରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ  ବେଳାଭୂମି ପର୍ଯ୍ୟନ୍ତ ଏବଂ କଚ୍ଛର ବିସ୍ତୀର୍ଣ୍ଣ ଶୁଷ୍କଭୂମି ଠାରୁ  କୋହିମାର ସବୁଜିମାଭରା ପର୍ବତମାଳା ପର୍ଯ୍ୟନ୍ତ, ଆମର  ଭାଷା ଆମ ଜନଗଣଙ୍କର ଭାବ ଓ ଭାବନାକୁ ବଖାଣିଥାଏ ।  ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବାଦ୍ୱାରା କେବଳ  ଆମ ଐତିହ୍ୟ ସହ ସେମାନଙ୍କର ସମ୍ପର୍କ ବଜାୟ  ରହିନଥାଏ, ବରଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ  ସେମାନଙ୍କୁ ପ୍ରଚୁର ଶକ୍ତି ମଧ୍ୟ ମିଳିଥାଏ । ମାତୃଭାଷାରେ  ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରି ଆମେ ଆମ  ପିଲାମାନଙ୍କୁ ଆହୁରି ସହଜ ଓ ସାବଲୀଳ ଢଙ୍ଗରେ  ଅନ୍ୟାନ୍ୟ ଭାଷା ଓ ବିଷୟଗୁଡ଼ିକରେ ଦକ୍ଷ କରିପାରିବା । 

ଉପରୋକ୍ତ ଦୃଷ୍ଟିଭଙ୍ଗୀକୁ ଗ୍ରହଣ କରି ଜାତୀୟ  ଶିକ୍ଷା ନୀତି- ୨୦୨୦ରେ ଆମର ଭାଷାଗତ ଐତିହ୍ୟର  ପୁନରୁଦ୍ଧାର ଲାଗି ମାତୃଭାଷାକୁ ପ୍ରାରମ୍ଭିକ ଶିକ୍ଷାର  କେନ୍ଦ୍ରରେ ରଖାଯାଇଛି । ଏହି ଶିକ୍ଷାନୀତି ଅନୁଯାୟୀ,  ଭାଷା କେବଳ ଶିକ୍ଷାର ଏକ ମାଧ୍ୟମ ନୁହେଁ ବରଂ ଏହା  ଶିଶୁର ପରିଚୟ, ଆତ୍ମବିଶ୍ୱାସ ଓ ବୋଧଶକ୍ତିର ବିକାଶକୁ  ପ୍ରୋତ୍ସାହିତ କରିବାର ଏକ ପ୍ରମୁଖ ଉପାଦାନ ମଧ୍ୟ । 

ଜାତୀୟ ଶିକ୍ଷା ନୀତି- ୨୦୨୦ରେ ଶିକ୍ଷାଦାନର  ସୁଦୂରପ୍ରସାରୀ କରିବା ଦୃଷ୍ଟିରେ ରଖି ବିଭିନ୍ନ ଭାରତୀୟ  ଭାଷାରେ ଉଚ୍ଚମାନର ଶିକ୍ଷାଦାନ ସାଙ୍ଗକୁ ଶିକ୍ଷଣ  ସାମଗ୍ରୀର ସମାନ ଉପଲବ୍ଧତାକୁ ସୁନିଶ୍ଚିତ କରିବା  ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷତଃ ଦେଶର  ଭାଷାଗତ ବିବିଧତା ସମ୍ବଳିତ ଐତିହ୍ୟର ସଂରକ୍ଷଣ ଓ  ପ୍ରୋତ୍ସାହନ ପରିପ୍ରେକ୍ଷୀରେ ଶିକ୍ଷା ସହିତ ପ୍ରଯୁକ୍ତିବିଦ୍ୟା  ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ଜାତୀୟ ଶିକ୍ଷା  ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT) ଅଧୀନରେ "ଭାଷା ସଙ୍ଗମ କାର୍ଯ୍ୟକ୍ରମ' ଏବଂ  "ମେସିନ ଟ୍ରାନ୍‌ସଲେସନ ସେଣ୍ଟର' ଠାରୁ ଆରମ୍ଭ  କରି ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ  (AICTE) ଦ୍ୱାରା ଏକାଧିକ ଭାରତୀୟ ଭାଷାରେ  ବୈଷୟିକ ପୁସ୍ତକ ଆଦିର ଅନୁବାଦ ତଥା ବିଶ୍ୱବିଦ୍ୟାଳୟ  ଅନୁଦାନ ଆୟୋଗ (UGE) ଏବଂ ଭାରତୀୟ ଭାଷା  ସମିତି ଦ୍ୱାରା ASMITA (Augmenting Study Materials in Indian Languages through Translation and Academic Writing) ଉପକ୍ରମ  ମାଧ୍ୟମରେ ଶିକ୍ଷାର ଅନ୍ତର୍ଭୁକ୍ତୀକରଣ ନିମନ୍ତେ ଭାରତୀୟ  ଭାଷାର ପ୍ରଚାର ପ୍ରସାର ପାଇଁ ଏକ ସୁଦୃଢ଼ ବାତାବରଣ  ବା ଇକୋସିଷ୍ଟମ ସୃଷ୍ଟି କରିବା ନିମନ୍ତେ ସୁସଂଗଠିତ  ପ୍ରୟାସ କରାଯାଉଛି । 

ଏହା ବ୍ୟତୀତ ୭୯ଟି ଭାରତୀୟ ଭାଷାରେ  ବର୍ଣ୍ଣବୋଧ ବା ପ୍ରାଇମର ପ୍ରସ୍ତୁତି ପାଇଁ ସରକାରଙ୍କ  ପଦକ୍ଷେପ ଅତ୍ୟନ୍ତ ଉଚ୍ଚକୋଟୀର ସାବ୍ୟସ୍ତ ହୋଇଛି,  ଯଦ୍ୱାରା ଗ୍ରାମୀଣ, ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳର  ପିଲାମାନେ ଶିକ୍ଷାରମ୍ଭର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜ  ନିଜ ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ।  ଶିକ୍ଷା ସମ୍ପର୍କିତ ଅନ୍ୟାନ୍ୟ ବିଷୟବସ୍ତୁ ସାଙ୍ଗକୁ ଏହି  ପ୍ରାଇମରଗୁଡ଼ିକ କେବଳ ଉପାଦେୟ ପୁସ୍ତକ ଭାବରେ  ନୁହେଁ, ବରଂ ସୃଜନଶୀଳତା ଓ ସମାଲୋଚନାତ୍ମକ  ଦୃଷ୍ଟିଭଙ୍ଗୀର ବିକାଶ ତଥା ଆଜୀବନ ଶିକ୍ଷାଲାଭର ମାଧ୍ୟମ  ରୂପେ ମଧ୍ୟ ଏସବୁ ପରିଗଣିତ ହେବ । 

ଭାଷା ଆମର ଚିନ୍ତା-ଚେତନାକୁ ରୂପ ଦିଏ, ଆମ  ଭାବନା-କଳ୍ପନାକୁ ପରିପ୍ରକାଶ କରେ ଏବଂ ଆମକୁ  ଆମ ସାଂସ୍କୃତିକ ମୂଳ ସଙ୍ଗେ ଯୋଡ଼ିଥାଏ । ଜାତୀୟ  ଶିକ୍ଷାନୀତି ମାଧ୍ୟମରେ ଏକ ନୂତନ ଯୁଗର ଅୟମାରମ୍ଭ  ଘଟୁଅଛି । ଏହି ଶିକ୍ଷା ନୀତି ଦ୍ୱାରା ପିଲାମାନେ ନିଜ ମାତୃଭାଷାରେ ଶିକ୍ଷାଲାଭ କରିପାରିବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଭାଷାଗୁଡ଼ିକରେ ମଧ୍ୟ ଦକ୍ଷତା ହାସଲ  କରିପାରିବେ । ଔପନିବେଶିକତାର ଇନ୍ଦ୍ରଜାଲରୁ ଆମ  ଶିକ୍ଷା ବ୍ୟବସ୍ଥାକୁ ମୁକୁଳାଇ ଆମେ ଏକ ନୂଆ ପିଢ଼ିର  ପିଲାମାନଙ୍କୁ ଗଢ଼ିବୁ, ଯେଉଁମାନେ କେବଳ ଶିକ୍ଷାଗତ  ସ୍ତରରେ ଉତ୍କର୍ଷତା ହାସଲ କରିନଥିବେ ବରଂ ଭାରତର  ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱବ୍ୟାପୀ ଆଦୃତି  କରାଇବା ଦିଗରେ ପ୍ରୟାସ କରିବେ । ଏହି ରୂପାନ୍ତରଣ  କେବଳ ଏକ ନୀତିଗତ ପରିବର୍ତ୍ତନ ନୁହେଁ ବରଂ ଏକ  ସାଂସ୍କୃତିକ ନବଜାଗରଣର ବାର୍ତ୍ତାବହ ହେବ । 

ଭବିଷ୍ୟତକୁ ନିରେଖି ଦେଖିଲେ ଜଣାଯାଏ  ଯେ, ଭାରତର ଭାଷାଗତ ବିବିଧତା ହିଁ ଏହାର  ଶିକ୍ଷାଗତ ଉତ୍କର୍ଷ ଏବଂ ସାମାଜିକ, ସାଂସ୍କୃତିକ ଓ  ଅର୍ଥନୈତିକ ଉନ୍ନତିର ମୂଳଦୁଆ ଅଟେ । ଏହି ଅମୃତ  କାଳରେ ବିକଶିତ ଭାରତର ଆଭିମୁଖ୍ୟକୁ ସାଙ୍ଗରେ  ନେଇ ଆମେ ଅଗ୍ରସର ହେଉଥିବାବେଳେ ଆମର  ମାତୃଭାଷାଗୁଡ଼ିକ ବିକାଶର ରଥ ରୂପେ ପ୍ରତୀୟମାନ  ହେଉଅଛି । ଆସନ୍ତୁ, ଏହି ଭାଷାଗତ ଐତିହ୍ୟକୁ ଆମ  ପ୍ରଗତିର କେନ୍ଦ୍ରରେ ରଖି ଭାରତକୁ ବିଶ୍ୱର ନୂଆ ଏକ  ସୋପାନକୁ ନେବା ପାଇଁ ପ୍ରତିବଦ୍ଧ ରହିବା ।