ନୂଆଦିଲ୍ଲୀ, ୨୩।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ରାଜଧାନୀ ଆବୁଧାବି ଉପରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ତେବେ ୟୁଏଇର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ବାଲିଷ୍ଟିକ୍ ମିସାଇଲ୍‌କୁ ଆକାଶରେ ହିଁ ନଷ୍ଟ କରିଦେବାରେ ସଫଳ ହୋଇଛି । ଏହି ପ୍ରକ୍ରିୟାରେ ମିସାଇଲ୍‌ର କିଛି ଅଂଶବିଶେଷ ବା ଭଗ୍ନାବଶେଷ ତଳେ ପଡ଼ିବାରୁ ଜଣେ ଭାରତୀୟ ନାଗରିକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

ଅଲ୍ ଶାୱାମେଖ୍ ଅଞ୍ଚଳରେ ଘଟିଛି ଦୁର୍ଘଟଣା: 

ଆବୁଧାବି ମିଡିଆ ଅଫିସର ସୂଚନା ଅନୁଯାୟୀ, ସହରର ଅଲ୍ ଶାୱାମେଖ୍ ଅଞ୍ଚଳରେ ମିସାଇଲ୍ର ଟୁକୁଡ଼ାଗୁଡ଼ିକ ଖସି ପଡ଼ିଥିଲା । ଏହି ଘଟଣାରେ ଜଣେ ଭାରତୀୟ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋସିଆଲ ମିଡିଆରେ କୌଣସି ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ଏବଂ କେବଳ ସରକାରୀ ସୂଚନାକୁ ବିଶ୍ୱାସ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରବିବାର ବିଳମ୍ବିତ ରାତିରୁ ସୋମବାର ସକାଳ ମଧ୍ୟରେ ଇରାନ ପକ୍ଷରୁ ଏକାଧିକ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରାଯାଇଥିଲା । ବାୟୁ ପ୍ରତିରକ୍ଷା ବାହିନୀ ସଫଳତାର ସହ ୨୫ଟି ମାନବବିହୀନ ବିମାନ (UAV/Drones), ୪ଟି ବାଲିଷ୍ଟିକ୍ ମିସାଇଲ୍କୁ ଆକାଶରେ ହିଁ ମାରି ଖସାଇ ଦେଇଛି । ଏପର୍ଯ୍ୟନ୍ତ ଶହ ଶହ ମିସାଇଲ୍ ନଷ୍ଟ ହୋଇଛି । ସାମ୍ପ୍ରତିକ ସଂଘର୍ଷ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୟୁଏଇ ଉପରକୁ ହଜାର ହଜାର ଆକ୍ରମଣ ହୋଇସାରିଲାଣି । ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ୍ ୧,୭୭୩ଟି ଡ୍ରୋନ୍ (UAVs, ୩୪୫ଟି ବାଲିଷ୍ଟିକ୍ ମିସାଇଲ୍, ୧୫ଟି କ୍ରୁଜ୍ ମିସାଇଲ୍‌କୁ ୟୁଏଇ ସଫଳତାର ସହ ପ୍ରତିହତ କରିଛି । ୟୁଏଇ ସରକାର ସ୍ପଷ୍ଟ କରିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ଆଗାମୀ ଯେକୌଣସି ବିପଦର ମୁକାବିଲା ପାଇଁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସତର୍କ ରଖାଯାଇଛି ।

ଏହା ବି ପଢ଼ନ୍ତୁ... ଆମେରିକା-ଇସ୍ରାଏଲ୍‌କୁ ଇରାନର କଡ଼ା ଜବାବ: ସାଉଦି ଆରବରେ ଥିବା ଆମେରିକୀୟ ଏୟାର ବେସ୍ ଉପରେ ମିସାଇଲ୍ ମାଡ଼

କହିରଖୁଛୁ ଯେ, ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ ଯେ ଯଦି ଇରାନ ୪୮ ଘଣ୍ଟା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ନଖୋଲେ, ତେବେ ଆମେରିକା ଇରାନର ବିଦ୍ୟୁତ ଭିତ୍ତିଭୂମିକୁ ମାଟିରେ ମିଶାଇ ଦେବ । ଏହି ଧମକ ପରେ ଚାରି ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧ ଆହୁରି ତୀବ୍ର ହୋଇଛି । ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଇରାନ କୌଣସି ପ୍ରକାର ଧମକକୁ ଭୟ କରେ ନାହିଁ । ସେ କହିଛନ୍ତି "ହର୍ମୁଜ ପ୍ରଣାଳୀ ସମସ୍ତଙ୍କ ପାଇଁ ଖୋଲା ଅଛି, କିନ୍ତୁ ଯେଉଁମାନେ ଆମ ଦେଶର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପାଇଁ ନୁହେଁ । ଆତଙ୍କ ଓ ଧମକ କେବଳ ଆମର ଏକତାକୁ ଅଧିକ ମଜବୁତ କରିବ ।"