ନୂଆଦିଲ୍ଲୀ, ୨୩।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଏବେ ଏକ ଭୟଙ୍କର ରୂପ ନେଇଛି । ଇରାନର ଶକ୍ତିଶାଳୀ ସାମରିକ ବାହିନୀ ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ପକ୍ଷରୁ ଆମେରିକା ଏବଂ ଇସ୍ରାଏଲ୍ ବିରୋଧରେ ଏକ ବଡ଼ଧରଣର ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି । ପ୍ରେସ୍ ଟିଭିର ରିପୋର୍ଟ ଅନୁଯାୟୀ, ଇରାନ ଏହାର ଚଳିତ ଅଭିଯାନ 'ଟ୍ରୁ ପ୍ରମିଜ୍ ୪' ଅଧୀନରେ ୭୫ତମ ପର୍ଯ୍ୟାୟ କ୍ଷେପଣାସ୍ତ୍ର ମାଡ଼ କରିଛି।
ଆମେରିକାର ପ୍ରିନ୍ସ ସୁଲତାନ ଏୟାର ବେସ୍କୁ ଟାର୍ଗେଟ୍:
ଏହି ଆକ୍ରମଣର ସବୁଠାରୁ ବଡ଼ ଖବର ହେଉଛି ସାଉଦି ଆରବର ଅଲ୍-ଖାର୍ଜ ଅଞ୍ଚଳରେ ଅବସ୍ଥିତ ଆମେରିକାର ପ୍ରମୁଖ ସାମରିକ କେନ୍ଦ୍ର 'ପ୍ରିନ୍ସ ସୁଲତାନ ଏୟାର ବେସ୍' । IRGC ଦାବି କରିଛି ଯେ, ଏହି ଏୟାର ବେସ୍କୁ ସଫଳତାର ସହ ଟାର୍ଗେଟ୍ କରାଯାଇଛି । ଇରାନ ବିରୋଧରେ ଆମେରିକାର ବାୟୁସେନା ଅଭିଯାନ ପାଇଁ ଏହି ଘାଟି ଏକ ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବାରୁ ଏହାକୁ ଧ୍ୱଂସ କରିବା ପାଇଁ ଇରାନ ରଣନୀତି ପ୍ରସ୍ତୁତ କରିଥିଲା । IRGC ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଏହି ଅପରେସନରେ ଅତ୍ୟାଧୁନିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ମାନବହୀନ ଡ୍ରୋନ୍ ବ୍ୟବହାର କରାଯାଇଛି । ନିଜର ଗୁଇନ୍ଦା ୟୁନି ସଠିକ୍ ତଥ୍ୟ ଆଧାରରେ ଇସ୍ରାଏଲର ବିଭିନ୍ନ ସାମରିକ ନିୟୋଜନ ସ୍ଥଳ ଏବଂ ସୈନ୍ୟମାନେ ଲୁଚି ରହିଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଆକ୍ରମଣ କରାଯାଇଛି । ଏହି ଅଭିଯାନକୁ ଇରାନର ‘ସହିଦ କମାଣ୍ଡର’ଙ୍କ ସମ୍ମାନାର୍ଥେ ଉତ୍ସର୍ଗ କରାଯାଇଛି ।
ଏହା ବି ପଢ଼ନ୍ତୁ... ଭୟଙ୍କର କ୍ଲଷ୍ଟର ଆଟାକରେ ଇସ୍ରାଏଲକୁ ଇରାନର ଟାର୍ଗେଟ, ଜେରୁଜେଲେମ-ୱେଷ୍ଟ ବ୍ୟାଙ୍କରେ ବୋମା ବର୍ଷା
କଡ଼ା ଚେତାବନୀ ଦେଲା ଇରାନ:
ଇରାନ ସ୍ପଷ୍ଟ କରିଛି ଯେ, ଆମେରିକା ଏବଂ ଇସ୍ରାଏଲର ପ୍ରତ୍ୟେକ ଗତିବିଧି ଉପରେ ସେମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ଯଦି ଶତ୍ରୁପକ୍ଷ ବେସାମରିକ ଅଞ୍ଚଳରେ ନିଜର ସାମରିକ ସମ୍ପତ୍ତି ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି, ତେବେ ତାହା ସେମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ । କୌଣସି ବି ଲୁଚିବା ସ୍ଥାନ ଆକ୍ରମଣକାରୀଙ୍କୁ ଇରାନର କ୍ଷେପଣାସ୍ତ୍ରରୁ ରକ୍ଷା କରିବ ନାହିଁ ବୋଲି IRGC ଚେତାବନୀ ଦେଇଛି ।
ବିଶ୍ୱ ସୁରକ୍ଷା ପାଇଁ ବଢ଼ିଲା ବିପଦ:
ଫେବୃଆରୀ ଶେଷ ଭାଗରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଏବେ ସୀମା ଟପିଛି । ପଶ୍ଚିମ ଏସିଆରେ ବଢ଼ୁଥିବା ଏହି ଉତ୍ତେଜନା କେବଳ ସାମରିକ କ୍ଷତି ନୁହେଁ, ବରଂ ବିଶ୍ୱ ଶକ୍ତି ଯୋଗାଣ ଏବଂ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି । ବିଶେଷ କରି ତୈଳ ଏବଂ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବା ଭୟରେ ସାରା ବିଶ୍ୱ ଏବେ ଚିନ୍ତାରେ ।