ନୂଆଦିଲ୍ଲୀ,୨୬/୦୮:  ଆଜି ଜଳାବତରଣ କରିବ ସ୍ୱଦେଶୀ  ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମଲ୍ଟି  ମିସନ ଯୁଦ୍ଧପୋତ ଉଦୟଗିରି (ଏଫ ୩୫)  ଓ ହିମଗିରି (ଏଫ ୩୪) । ଦେଶରେ ପ୍ରଥମଥର ପାଇଁ ଦୁଇଟି  ସିପୟାର୍ଡରେ ନିର୍ମିତ ହୋଇଥିବା ଭିନ୍ନ ଭିନ୍ନ  ଯୁଦ୍ଧପୋତ ଏକାଠି ଜଳାବତରଣ କରାଯାଉଛି ।  ଏହି ଅବସରରେ ବିଶାଖାପାଟଣାରେ ସ୍ୱତନ୍ତ୍ର  କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ ।  

ଉଦୟଗିରି ମୁମ୍ବାଇର ମାଝଗାଓଁ ଡକ୍‌  ୟାର୍ଡରେ ନିର୍ମାଣ କରାଯାଇଥିଲା ବେଳେ ଗତ  ଜୁଲାଇ ୧ରେ ଏହାକୁ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ସେହିଭଳି ହିମଗିରିକୁ  କୋଲକାତାର ଗାର୍ଡେନ ରିଚ ସିପ ବିଲ୍‌ଡର୍ସ  ଆଣ୍ଡ ଇଞ୍ଜିନିୟର୍ସରେ ନିର୍ମାଣ କରାଯାଇଛି । ପ୍ରୋଜେକ୍ଟ ୧୭ଏ ଅଧୀନରେ ଏହି ଦୁଇଟି  ଯୁଦ୍ଧପୋତ ନିର୍ମାଣ କରାଯାଇଛି । ଉଭୟ  ଯୁଦ୍ଧପୋତ ଶିବାଲିକ୍‌ ଶ୍ରେଣୀର ଫ୍ରିଗେଟ ।  ଏଥିରେ ଅତ୍ୟାଧୁନିକ ସେନ୍‌ସର, ରାଡାର,  ଯୁଦ୍ଧାସ୍ତ୍ର, ଜ୍ଞାନକୌଶଳ ଆଦି ସମାବେଶିତ  ହୋଇଛି । 

ଉଦୟଗିରି ଓ ହିମଗିରି ପ୍ରତ୍ୟେକ  ଯୁଦ୍ଧପୋତର ଓଜନ ୬,୬୭୦ ଟନ ଓ ଲମ୍ବ  ୧୪୯ ମିଟର । ବେଗ ଘଣ୍ଟା ପ୍ରତି ୫୨ କି.ମି ।  ଥରେ ଇନ୍ଧନ ଭରିବା ପରେ ଏହା ୧୦  ହଜାର କି.ମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହି ଯୁଦ୍ଧପୋତରେ ସି-କିଙ୍ଗ ହେଲିକପ୍ଟର  ନିୟୋଜିତ ହୋଇପାରିବ । ଏହି ଯୁଦ୍ଧପୋତ  ଶତ୍ରୁପକ୍ଷର ଯୁଦ୍ଧଜାହାଜ ଓ ବୁଡାଜାହାଜକୁ  ଖୋଜି ଧ୍ୱଂସ କରିବାରେ ମାହିର । ଏଥିରେ  ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ  ମୁତୟନ କରାଯିବ । ଏଥିରେ ସୋନାର ସିଷ୍ଟମ  ରହିଛି, ଯାହାକି ବହୁ ଗଭୀରରେ ରହିଥିବା  ଶତ୍ରୁପକ୍ଷର ବୁଡାଜାହାଜକୁ ଠାବ କରି ଧ୍ୱଂସ  କରିବାରେ ସକ୍ଷମ ହୋଇପାରିବ । ତା’ଛଡା  ଶତ୍ରୁପକ୍ଷର କୌଣସି ମିସାଇଲ, ଡ୍ରୋନ୍‌କୁ ମଧ୍ୟ  ଠାବ କରି ନଷ୍ଟ କରିପାରିବ ।  

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି  ବିବୃତ୍ତିରେ କୁହାଯାଇଛି ଯେ ଏହି ଦୁଇଟି  ଯୁଦ୍ଧପୋତର ଜଳାବତରଣ ପରେ ଭାରତୀୟ  ନୌସେନାର କ୍ଷମତା ବୃଦ୍ଧି ପାଇବ । ଉଭୟ  ଯୁଦ୍ଧପୋତକୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ୍‌ରେ  ସାମିଲ କରାଯିବ । ଫଳରେ ଭାରତ  ମହାସାଗରରେ କୌଣସି ପ୍ରକାର ଚାଲେଞ୍ଜ୍‌ର  ମୁକାବିଲା କରିବାରେ ନୌସେନାକୁ  ସଫଳତା ମିଳିବ । ବିଶେଷକରି ଏହି  ଅଞ୍ଚଳରେ ଚୀନ୍‌ର ଗତିବିଧି ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ତା ଉପରେ ଉଭୟ  ଯୁଦ୍ଧପୋତ ତୀକ୍ଷ୍ଣ ନଜର ରଖିପାରିବେ ।