ନୂଆଦିଲ୍ଲୀ,୦୫/୦୬: ଲଣ୍ଡନରେ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଏକ ସାଧାରଣ ବିବାହ ବିଚ୍ଛେଦ ମାମଲା ଧୀରେ ଧୀରେ ୨୩ ବର୍ଷ ଲମ୍ବା ନ୍ୟାୟିକ ଲଢ଼େଇରେ ରୂପାନ୍ତରିତ ହେଲା । ଏବେ ମାମଲାର ସମାଧାନ ହୋଇଛି । ଭାରତୀୟ ବଂଶୋଦ୍ଭବ ବର୍ଷା ଗୋହିଲ ନିଜ ପୂର୍ବତନ ସ୍ୱାମୀ ଭଦ୍ରେଶ ଗୋହିଲଙ୍କଠୁ ୬୬ ଲକ୍ଷ ପାଉଣ୍ଡ (ପ୍ରାୟ ୮୫ କୋଟି ଟଙ୍କା)ର ଭରଣପୋଷଣ ପାଇଛନ୍ତି । ଏହାକୁ ବିଟ୍ରେନର ଅନ୍ୟତମ ସବୁଠୁ ବଡ଼ ଛାଡ଼ପତ୍ର ମାମଲା କୁହାଯାଉଛି ।
ପ୍ରାରମ୍ଭରେ ମାମଲା ଶୀଘ୍ର ସମାଧାନ ହୋଇଥିଲା । ବର୍ଷା ପ୍ରାୟ ୨.୭ ଲକ୍ଷ ପାଉଣ୍ଡ (ପ୍ରାୟ ୩.୪୭ କୋଟି)ର ଭରଣପୋଷଣ ଅର୍ଥ ସ୍ୱୀକାର କରିସାରିଥିଲେ । ପରିବାରର ପ୍ୟୁଜୋ କାର୍ ମଧ୍ୟ ନିଜ ପାଖରେ ରଖିଥିଲେ । କିନ୍ତୁ ସେ ସର୍ବଦା ସନ୍ଦେହରେ ଥିଲେ ଯେ ସ୍ୱାମୀ ନିଜର ସମସ୍ତ ସମ୍ପତ୍ତି ବିଷୟରେ ତାଙ୍କୁ ସୂଚନା ଦେଇନାହାନ୍ତି । ଛାଡ଼ପତ୍ର ସମୟରେ ଆଇନ ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କୁ ନିଜର ସମସ୍ତ ସମ୍ପତ୍ତି ଓ ଆୟର ସୂଚନା ଦେବାକୁ ପଡ଼େ । ବର୍ଷାଙ୍କର ସନ୍ଦେହ ଥିଲା ଯେ ଭଦ୍ରେଶ ତାଙ୍କୁ କିଛି ଲୁଚାଇଛନ୍ତି, କିନ୍ତୁ ଏହାର କୌଣସି ପ୍ରମାଣ ତାଙ୍କ ପାଖରେ ନ ଥିଲା । ୨୦୦୦ ମସିହା ଶେଷରେ କାହାଣୀ ଭିନ୍ନ ମୋଡ଼ ନେଲା । ଭଦ୍ରେଶ ଏକ ବଡ଼ ଅନ୍ତର୍ଜାତୀୟ ଭ୍ରଷ୍ଟାଚାର ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଲେ ।
ରିପୋର୍ଟ ଅନୁସାରେ, ଭଦ୍ରେଶ ନାଇଜେରିଆର ପୂର୍ବ ଗଭର୍ନର ଜେମ୍ସ ଇବୋରୀଙ୍କ ସହଯୋଗୀମାନଙ୍କ ଓକିଲ ଥିଲେ । ତାଙ୍କ ବିରୋଧରେ ଅଭିଯୋଗ ହେଲା, ସେ କୋଟି କୋଟି ପାଉଣ୍ଡ କଳା ଧନକୁ ଅଲଗା ଅଲଗା କମ୍ପାନି ଓ ଆକାଉଣ୍ଟ ଜରିଆରେ ଲୁଚାଇବା ଏବଂ ତାକୁ ସତ୍ ଉପାୟରେ ଆୟ କରିଥିବା ଅର୍ଥ ରୂପେ ଦର୍ଶାଇବାରେ ସାହାଯ୍ୟ କରିଛନ୍ତି । ଦୀର୍ଘ ଦିନର ଯାଞ୍ଚ ପରେ ମନି ଲଣ୍ଡ୍ରିଂ, ଜାଲିଆତି ଓ ଠକେଇ ଷଡ୍ଯନ୍ତ୍ର ଭଳି ଅନେକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେଲେ । ୨୦୧୧ରେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଗଲା । ମାମଲାର ଯାଞ୍ଚ ସମୟରେ ଅଧିକାରୀ କୋଟି କୋଟି ପାଉଣ୍ଡର ଏଭଳି ସମ୍ପତ୍ତି ଚିହ୍ନଟ କଲେ, ଯାହା ବିଷୟରେ ଛାଡ଼ପତ୍ର ସମୟରେ ଭଦ୍ରେଶ ସୂଚନା ଦେଇନଥିଲେ । ଏହା ପରେ ବ୍ରିଟିଶ ଅଧିକାରୀମାନେ ପ୍ରାୟ ୨.୮ କୋଟି ପାଉଣ୍ଡ (ପ୍ରାୟ ୩୬୦ କୋଟି ଟଙ୍କା)ର ସମ୍ପତ୍ତିକୁ ଫ୍ରିଜ୍ କରିଦେଲେ । ଏହି ସମ୍ପତ୍ତି ଅପରାଧ ଜନିତ ଆୟ ସହ ସଂଶ୍ଳିଷ୍ଟ ହୋଇପାରେ ଏବଂ ଏହାକୁ ଅନେକ ଦେଶର କମ୍ପାନିଗୁଡ଼ିକ ଜରିଆରେ ଲୁଚାଯାଇଥିଲା ବୋଲି ଯାଞ୍ଚ ଏଜେନ୍ସି କହିଲେ । ଏ ବିଷୟରେ ଜଣାପଡ଼ିବା ପରେ ବର୍ଷା ୨୦୦୭ରେ ପୁରୁଣା ଛାଡ଼ପତ୍ର ଚୁକ୍ତିକୁ ଚାଲେଞ୍ଜ ଦେଲେ ।
ମାମଲା ବ୍ରିଟେନର ସୁପ୍ରିମ୍କୋର୍ଟରେ ପହଞ୍ଚିଲା । ୨୦୧୫ରେ ସୁପ୍ରିମ୍କୋର୍ଟ ବର୍ଷାଙ୍କୁ ପୁରୁଣା ଛାଡ଼ପତ୍ର ଚୁକ୍ତି ଫାଇଲକୁ ପୁନଃ ଖୋଲିବାକୁ ଅନୁମତି ଦେଲେ । କୋର୍ଟ କହିଲେ, ଯଦି ଜଣେ ବ୍ୟକ୍ତି ଛାଡ଼ପତ୍ର ସମୟରେ ନିଜର ପୂରା ସମ୍ପତ୍ତିର ସୂଚନା ନ ଦିଅନ୍ତି³ ତେବେ ସେ ପ୍ରତାରଣାରୁ ଲାଭ ପାଇବା ଉଚିତ୍ ନୁହେଁ । ଫ୍ରିଜ୍ ହୋଇଥିବା ସମ୍ପତ୍ତି କାହାର, ଏ ମାମଲାରେ ଦୀର୍ଘ ବର୍ଷ ଲଢ଼େଇ ଚାଲିଲା । ବ୍ରିଟେନର ସରକାରୀ ଏଜେନ୍ସି କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ କହିଲା, ୨.୮ କୋଟି ପାଉଣ୍ଡ ସମ୍ପତ୍ତି ପୂରାପୂରି ଅପରାଧରୁ ପ୍ରାପ୍ତ ଆୟ । ସେଥିପାଇଁ ଏହାକୁ ଜବତ କରିବା ଉଚିତ୍ ଏବଂ ଛାଡ଼ପତ୍ର ଭାଗବଣ୍ଟାରେ ସାମିଲ କରିବା ଉଚିତ୍ ନୁହେଁ ।
ଆହୁରି ପଢନ୍ତୁ- India-Us Deal: ‘ଭାରତ ସହିତ ପ୍ରଚୁର ଟଙ୍କା ରୋଜଗାର କରୁଛୁ’; ଟ୍ରେଡ୍ ଡିଲକୁ ନେଇ ଟ୍ରମ୍ପ ଦେଲେ ଖୁସି ଖବର, କହିଲେ ମୋଦି ମୋର ଭଲ ବନ୍ଧୁ
ଅନ୍ୟପକ୍ଷେ, ହର୍ଷାଙ୍କ ଦଲିଲ ଥିଲା ଯେ ସମସ୍ତ ସମ୍ପତ୍ତି ଭୁଲ ଉପାୟରେ ଅର୍ଜନ ହୋଇନଥିଲା । ଏହାର ଗୋଟିଏ ଅଂଶ ବିବାହ ସମୟରେ ବୈଧ ବ୍ୟବସାୟରୁ ଆୟ ହୋଇଥିଲା, ଯାହା ଉପରେ ତାଙ୍କର ମଧ୍ୟ ଅଧିକାର ଅଛି । କିନ୍ତୁ କୋର୍ଟରେ ଭଦ୍ରେଶ କହିଲେ, ଏ ସମ୍ପତ୍ତି ତାଙ୍କର ନୁହେଁ । ଶେଷରେ ବିଚାରପତି ନିଷ୍ପତ୍ତି ଶୁଣାଇ ଭଦ୍ରେଶ ଓ ସରକାରୀ ଏଜେନ୍ସିଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲକୁ ଖାରଜ କରିଦେଲେ । ବିଚାରପତି କହିଲେ, ସମ୍ପତ୍ତିର ଏକ ଅଂଶ ସମ୍ପୂର୍ଣ୍ଣ ବୈଧ ଏବଂ ତାହା ସ୍ୱାମୀ-ସ୍ତ୍ରୀଙ୍କ ମିଳିତ ବୈବାହିକ ସମ୍ପତ୍ତି ବିବେଚିତ ହେବ । ବୈଧ ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୬.୬ ଲକ୍ଷ ପାଉଣ୍ଡ ଆକଳନ କଲେ ଏବଂ ପୂରା ଅର୍ଥ ବର୍ଷାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ । ଏହିଭଳି ଭାବେ ବର୍ଷାଙ୍କର ପ୍ରାୟ ୨୩ ବର୍ଷ ଲମ୍ବା ନ୍ୟାୟିକ ଲଢ଼େଇ ଶେଷ ହେଲା ।