ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

IPL 2025 : ରାତିରେ ସୁପରକିଙ୍ଗ୍‌ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମୁକାବିଲା

Published By : Prameya | April 8, 2025 11:32 AM

ମୁଲନପୁର,୦୮/୦୪: ମଙ୍ଗଳବାର ରାତ୍ରି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ । ଉଭୟ ଦଳ ବିଜୟ ଧାରାକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା । ଏହାପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଦଳ ପରାଜିତ ହୋଇଛି । ସେହିପରି ପଞ୍ଜାବ କିଙ୍ଗ୍‌ସ ପ୍ରଥମ ୨ଟି  ମ୍ୟାଚ୍‌ରେ ଯଥାକ୍ରମେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ହରାଇଥିଲା । ଏହାପରେ ଦଳ ତୃତୀୟ ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଛି । 

ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ଘରୋଇ ଗ୍ରାଉଣ୍ଡ୍‌ରେ ବିଜୟ ଜରୁରି । ପଞ୍ଜାବ କିଙ୍ଗ୍‌ସ ଗତ ସିଜନରେ ମୁଲନପୁରରେ ୫ଟି ମ୍ୟାଚ୍‌ ଖେଳି ୪ଟିରେ  ପରାଜିତ ହୋଇଥିଲା । ଏଥର ମଧ୍ୟ  ଗୋଟିଏ ମ୍ୟାଚ୍‌ ପରାଜିତ ହୋଇସାରିଛି । ଖୁବ୍‌ ଶୀଘ୍ର ପରାଜୟଧାରାରେ ବ୍ରେକ୍‌ ଲଗାଇବାକୁ ପଞ୍ଜାବ କିଙ୍ଗ୍‌ସ ପ୍ରୟାସ  କରିବ । ଏଥିପାଇଁ ବ୍ୟାଟିଂ ବିଭାଗର ତ୍ରୁଟି  ସୁଧାରିବାକୁ ହେବ । ରାଜସ୍ଥାନ ରୟାଲ୍ସ  ବିପକ୍ଷରେ ଶ୍ରେୟାସ ଆୟର ବିଫଳ ହେବା  ପରେ ପଞ୍ଜାବ କିଙ୍ଗ୍‌ସ ଲୟ ହରାଇଥିଲା ।  ଆଜି ସୁପରକିଙ୍ଗ୍‌ସ ବୋଲରମାନେ ମଧ୍ୟ ସମାନ ରଣନୀତି ଆପଣେଇବେ । 

ସୁପରକିଙ୍ଗ୍‌ସକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ହେବ । ଅଧିନାୟକ  ଋତୁରାଜ ଗାଏକୱାଡ୍‌ ଓପନ କଲେ ବ୍ୟାଟିଂ ବିଭାଗ ସୁଦୃଢ ହୋଇପାରିବ । ରଚିନ ରବିନ୍ଦ୍ର ୩ନଂ ସ୍ଥାନରେ ଖେଳିବା  ଆବଶ୍ୟକ । ଦଳ ଶିବମ ଦୁବେ ଓ ବିଜୟ ଶଙ୍କରଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇନିଂସ ଆବଶ୍ୟକ କରୁଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା  ପୂର୍ବ ମ୍ୟାଚ୍‌କୁ ଗଣନା କଲେ ସୁପରକିଙ୍ଗ୍‌ସର ପଲା ଭାରି ରହିବ । ମାତ୍ର  ପଞ୍ଜାବ କିଙ୍ଗ୍‌ସ ମଧ୍ୟ କଡ଼ା ଟକ୍କର ଦେବାର ରେକର୍ଡ ରହିଛି । 

ଉଭୟ ଦଳ ପରସ୍ପରକୁ  ୩୦ଥର ଭେଟି ସାରିଛନ୍ତି । ଏଥିରୁ ସୁପରକିଙ୍ଗ୍‌ସ ୧୬ଟି ଓ ପଞ୍ଜାବ କିଙ୍ଗ୍‌ସ  ୧୪ଟି ମ୍ୟାଚ୍‌ ଜିତିଛନ୍ତି । ଗତ ସିଜନର ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ  ଓ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । 

ମୁଲନପୁରରେ ସିଜନର ପ୍ରଥମ ମ୍ୟାଚ୍‌ ଖେଳାଯାଉଥିବାରୁ ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଗତ ସିଜନରେ ପିଚ୍‌ ସ୍ପିନରଙ୍କୁ ସହାୟତା କରିଥିଲା । ଏଥର ମଧ୍ୟ ସ୍ପିନରଙ୍କ ଉପରେ ଦଳ ନିର୍ଭର କରିବେ । ଗ୍ରାଉଣ୍ଡର ବିଶାଳ ବାଉଣ୍ଡାରୀରେ ବଡ଼ ସ୍କୋର  କଷ୍ଟକର ହେବ । ତଥାପି ରାତ୍ରିରେ ମ୍ୟାଚ୍‌ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

-: ସମ୍ଭାବ୍ୟ ଦ୍ବାଦଶ:-

ପଞ୍ଜାବ କିଙ୍ଗ୍‌ସ: ପ୍ରଭସିମରନ ସିଂହ,  ପ୍ରିୟାଂଶ ଆର‌୍ୟ, ଶ୍ରେୟାସ ଆୟର  (ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ୍‌,  ମାର୍କସ ଷ୍ଟଇନିସ୍‌, ଶଶାଙ୍କ ସିଂହ,  ସୂର‌୍ୟାଂଶ ସେଡଗେ, ମାର୍କୋ ଜାନସେନ,  ଲୋକି ଫର୍ଗୁସନ, ଅର୍ଶଦୀପ ସିଂହ,  ୟୁଝବେନ୍ଦ୍ର ଚହଲ, ବିଜୟ କୁମାର  ବୈଶାଖ/ନେହାଲ ୱଧେରା । 

ସୁପରକିଙ୍ଗ୍‌ସ: ଡେଭନ କନୱେ,  ଋତୁରାଜ ଗାଏକୱାଡ୍‌ (ଅଧିନାୟକ),  ରଚିନ ରବିନ୍ଦ୍ର, ଶିବମ ଦୁବେ, ବିଜୟ  ଶଙ୍କର, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ  ଧୋନି, ରବି ଚନ୍ଦ୍ରନ ଅଶ୍ୱିନ, ମୁକେଶ  ଚୌଧୁରୀ, ନୂର ଅହମ୍ମଦ, ଖଲିଲ  ଅହମ୍ମଦ, ମଥିଶା ପତିରଣା ।

IPL 2025 : ଆଜି ନାଇଟ୍‌ ରାଇଡର୍ସ ବନାମ ସୁପରଜାଏଣ୍ଟ୍‌ସ ଫାଇଟ୍, ଇଡେନ ଗାର୍ଡେନ୍ସରେ ହେବ ରନ୍ ବର୍ଷା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.