ଜୟପୁର,୨୭/୦୫: ଆଇପିଏଲ୍‌ର ୬୯ତମ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ  ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ସାମ୍ନାସାମ୍ନି  ହେବେ । ଉଭୟ ଦଳ ପ୍ଲେ-ଅଫ୍‌ରେ ସ୍ଥାନ  ପକ୍କା କରି ସାରିଛନ୍ତି । ଆଜି ଯେଉଁ ଦଳ ଜିତିବ ଶୀର୍ଷ ସ୍ଥାନ ଦଖଲ କରିବ ଏବଂ  ପଏଣ୍ଟ ତାଲିକାରେ ପ୍ରଥମ ୨ଟି ଦଳ ମଧ୍ୟରେ ସ୍ଥାନ ପକ୍କା ହୋଇଯିବ । ଫଳରେ ଉଭୟ ଦଳ  ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ । ପଞ୍ଜାବ କିଙ୍ଗ୍‌ସ ୧୩ଟି ମ୍ୟାଚ୍‌ରୁ ୧୭ ପଏଣ୍ଟ (+୦.୩୨୭ ରନ୍‌ ରେଟ୍‌) ସହ ଦ୍ୱିତୀୟ  ଓ ମୁମ୍ବାଇ ଇଣ୍ଡିଆନ୍ସ ୧୬ ପଏଣ୍ଟ (+୧.୨୯୨  ରନ୍‌ ରେଟ୍‌) ସହ ଚତୁର୍ଥ ସ୍ଥାନରେ  ରହିଛି । ଗୁଜରାଟ ୧୮ ପଏଣ୍ଟ  (+୦.୨୫୪) ସହ ଶୀର୍ଷରେ  ଥିଲେ ମଧ୍ୟ ଦ୍ୱିତୀୟକୁ ଖସିବା  ନିଶ୍ଚିତ । ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ  ଓ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ଥର ଭେଟିବାକୁ  ଯାଉଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ  ପୂର୍ବାନୁମାନ କରିବା ମୁସ୍କିଲ । ଉଭୟ  ଦଳ ଆଇପିଏଲ୍‌ରେ ୩୨ଥର  ସାମ୍ନାସାମ୍ନି ହୋଇଛନ୍ତି । 

ମୁମ୍ବାଇ  ଇଣ୍ଡିଆନ୍ସ ୧୭ଟି ଓ ପଞ୍ଜାବ  କିଙ୍ଗ୍‌ସ ୧୫ଟି ମ୍ୟାଚ୍‌ ଜିତିଛି । ମୁମ୍ବାଇ ଇଣ୍ଡିଆନ୍ସ ସବୁ  ବିଭାଗରେ ଭଲ ପ୍ରଦର୍ଶନ  ଜାରି ରଖିଛି । ସୂର୍ଯ୍ୟକୁମାର ଯାଦବ, ର‌୍ୟାନ୍‌  ରିକେଲଟନ ଓ ୱିଲ ଜ୍ୟାକ୍ସ ଚମତ୍କାର ଫର୍ମରେ  ଅଛନ୍ତି । ରୋହିତ ଶର୍ମା ସଫଳ ହେଲେ ଦଳ  ବିଶାଳ ସ୍କୋର କରିପାରିବ । ବୋଲିଂ ବିଭାଗ  ସୁଦୃଢ଼ ରହିଛି । ଆଜି  ପ୍ରମୁଖ ଫାଷ୍ଟ୍‌  ବୋଲର ଯଶପ୍ରୀତ ବୁମରା ପଞ୍ଜାବ କିଙ୍ଗ୍‌ସ  ବ୍ୟାଟରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ । 

ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଦୀର୍ଘ ୧୧ବର୍ଷ ପରେ ପ୍ଲେ-ଅଫ୍‌ରେ ପହଞ୍ଚିଛି । ଦଳ ଏକ ସନ୍ତୁଳିତ ଏକାଦଶ ଗଠନ କରିଛି ଏବଂ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହୁଛି । ଯୁବ ଓପନର ପ୍ରିୟାଂଶ  ଆର୍ଯ୍ୟ, ପ୍ରଭସିମରସନ ସିଂହ, ଆୟର ଓ ମାର୍କସ ଷ୍ଟଇନିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । 

ସୱାଇ ମାନସିଂ ଷ୍ଟାଡିୟମର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ । ପୂର୍ବ ମ୍ୟାଚ୍‌ ଭଳି  ଆଜି ମଧ୍ୟ ଏଠାରେ ବିଶାଳ ସ୍କୋର  ହେବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା  ଆଶା କରାଯାଉଛି । 

-: ସମ୍ଭାବ୍ୟ ଦ୍ୱାଦଶ :-

 ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ,  ପ୍ରଭସିମରନ ସିଂହ, ଜୋସ ଇଂଲିଶ, ଶ୍ରେୟାସ୍‌  ଆୟର (ଅଧିନାୟକ), ନେହାଲ ୱଧେରା,  ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ୍‌, ଅଜମତୁଲ୍ଲା  ଓମାରଜାଇ, ମାର୍କୋ ଜାନସେନ, ହରପ୍ରୀତ  ବ୍ରାର, ଅର୍ଶଦୀପ ସିଂହ, ପ୍ରବୀଣ ଦୁବେ । 

ମୁମ୍ବାଇ ଇଣ୍ଡିଆନ୍ସ: ର‌୍ୟାନ  ରିକେଲଟନ, ରୋହିତ ଶର୍ମା, ୱିଲ୍‌ ଜ୍ୟାକ୍ସ,  ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା,  ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ  ଧିର, ମିଚେଲ ସାଣ୍ଟନର, ଦୀପକ ଚହର,  ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, କରଣ  ଶର୍ମା/ଅଶ୍ୱନୀ କୁମାର ।