ଧର୍ମଶାଳା ୦୯/୦୫: ଘରୋଇ ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଧର୍ମଶାଳା ସ୍ଥିତ  ଏଚପିସିଏ ଷ୍ଟାଡ଼ିୟମ୍‌ରେ ଖେଳାଯାଉଥିବା ମ୍ୟାଚ୍‌କୁ  ଅଧାରୁ ବାତିଲ କରାଯାଇଛି । ଭାରତ ଓ ପାକିସ୍ତାନ  ସୀମାନ୍ତରେ ଲାଗି ରହିଥିବା ଯୁଦ୍ଧକୁ ନଜରରେ ରଖି  ସୁରକ୍ଷା ଦୃଷ୍ଟି କୋଣରୁ ମ୍ୟାଚ୍‌କୁ ବାତିଲ  କରାଯିବା ସହ ଖେଳାଳିମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପଠାନକୋଟ  ଅଞ୍ଚଳରେ ପାକିସ୍ତାନର ଆକ୍ରମଣ ପରେ ଖେଳ ବାତିଲ କରାଯାଇଥିଲା। ପରେ ଖେଳାଳି, କୋଚିଂ ସଦସ୍ୟ, ବ୍ରୋଡକାଷ୍ଟ  କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଟେନ ଯୋଗେ ଧର୍ମଶାଳାରୁ ଫେରାଇ ଅଣାଯାଇଛି । ଆଇପିଏଲ୍‌କୁ ବାତିଲ କରିବା ପାଇଁ  ମଧ୍ୟ ଯୋଜନା କରାଯାଉଛି । ଶୁକ୍ରବାର ଏହା ଉପରେ  ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । 

ଆଇପିଏଲରେ ବହୁ ବିଦେଶୀ  ଖେଳାଳି ସାମିଲ ଅଛନ୍ତି । ଏହା ଭାରତର ସବୁଠୁ  ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ମ୍ୟାଚ ଦେଖବା ପାଇଁ ପ୍ରତି ଷ୍ଟାଡିୟମ୍‌ରେ ଦର୍ଶକ ଗହଳି ଲାଗି ରହୁଛି । ଆଜି ବର୍ଷା ଯୋଗଁ ଘଣ୍ଟାଏ ବିଳମ୍ବରେ  ଖେଳ ଆରମ୍ଭ ହୋଇଥିଲା । ଟସ ଜିତି  ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପଞ୍ଜାବ କିଙ୍ଗ୍‌ସ  ୧୦.୧ ଓଭରରେ ୧ ୱିକେଟ୍‌ ହରାଇ ୧୨୨  ରନ ସଂଗ୍ରହ କରିଥିବାବେଳେ ମ୍ୟାଚ୍‌ ଅଟକାଇ ଦିଆଯାଇଥିଲା । ଆୟୋଜକଙ୍କ ପକ୍ଷରୁ ଷ୍ଟାଡ଼ିୟମ୍‌କୁ  ତୁରନ୍ତ ଖାଲି କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

ଗୁରୁବାର ଟସ ଜିତି ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ ନିଷ୍ପତ୍ତି  ନେଇଥିଲା । ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ  ପ୍ରଭସିମରନ ସିଂହ ବିସ୍ଫୋରକ ବ୍ୟାଟିଂ କରି ଦିଲ୍ଲୀ  କ୍ୟାପିଟାଲ୍ସ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ ।  ମିଚେଲ ଷ୍ଟାର୍କ, ଦୁଷ୍ମନ୍ତ ଚାମିରା, କୁଲଦୀପ ଯାଦବ,  ଅକ୍ଷର ପଟେଲଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ  ଯଥେଷ୍ଟ ଅଭିଜ୍ଞତା ରଖିଥିବା ବୋଲରମାନେ  ମଧ୍ୟ ଉଭୟ ଯୁବ ଓପନରଙ୍କ ପ୍ରହାରରୁ ବର୍ତ୍ତି  ନଥିଲେ । ୧୦ ଓଭରରେ ଉଭୟ ୧୨୨ ରନ ସଂଗ୍ରହ  କରିନେଇଥିଲେ । ୧୧ତମ ଓଭରର ପ୍ରଥମ ବଲରେ ଟି  ନଟରାଜନ ଯୋଡି ଭାଙ୍ଗି ଭ୍ରମଣକାରୀ ଦଳକୁ ଆଶ୍ୱସ୍ତ  କରିଥିଲେ । ପ୍ରିୟାଂଶ ୩୪ଟି ବଲ୍‌ରୁ ୫ଚୌକା ଓ  ୬ଛକା ବଳରେ ୭୦ ରନ କରି ଆଉଟ୍‌ ହୋଇଥିଲେ ।  ପ୍ରଭସିମରନ ୨୮ଟି ବଲ୍‌ରୁ ୭ଚୌକା ବଳରେ ୫୦  ରନ କରି ଅପରାଜିତ ରହିଥିଲେ । ଏହି ସମୟରେ  ହଠାତ ଷ୍ଟାଡ଼ିୟମ୍‌ର ଫ୍ଲଡ ଲାଇଟ ଲିଭି ଯାଇଥିଲା ।  ୨ଟି ଟାୱାର ଲାଇଟ ଲିଭିଯିବା ପରେ ଆଇପିଏଲ୍‌  ଅଧ୍ୟକ୍ଷ ଅରୁଣ ଧୂମାଲ ଷ୍ଟାଡ଼ିୟମ୍‌ ସାରା ବୁଲିବୁଲି  ଦର୍ଶକଙ୍କୁ ଫେରିଯିବାକୁ ଅନୁରୋଧ କରିଥିଲେ।