ଜୟପୁର,୧୮/୦୫: ଚଳିତ  ଆଇପିଏଲ୍‌ର ୫୯ତମ ଲିଗ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଘରୋଇ ସୱାଇ ମାନସିଂ ଷ୍ଟାଡ଼ିୟମ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ୧୫ ପଏଣ୍ଟ  ଅର୍ଜନ କରିସାରିଥିବା ପଞ୍ଜାବ କିଙ୍ଗ୍‌ସ ଆଜି ବିଜୟ ସହ ପଏଣ୍ଟ  ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ । ରାଜସ୍ଥାନ ରୟାଲ୍ସ ପ୍ଲେ- ଅଫ୍‌ ଦୌଡ଼ରୁ ବାଦ ପଡ଼ି ସାରିଛି । ତଥାପି  ଘରୋଇ ସମର୍ଥକଙ୍କ ଆଶା ପୂରଣ କରିବା  ପାଇଁ ସବୁ ଶକ୍ତି ଲଗାଇବ । 

୩ ସପ୍ତାହର ବିଶ୍ରାମ ପରେ ସଞ୍ଜୁ  ସାମସନ ଫିଟ୍‌ ହୋଇ ଫେରିଛନ୍ତି ।  ସେ ଆଜି ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ । ମାତ୍ର ଓପନ୍‌ କରିବା ସମ୍ଭାବନା ନାହିଁ । ସାମସନଙ୍କ  ଅନୁପସ୍ଥିତିରେ ୧୪ବର୍ଷିୟ ବୈଭବ ସୂର୍ଯ୍ୟବଂଶୀ ଦମ୍‌ଦାର ବ୍ୟାଟିଂ କରିଛନ୍ତି ।  ତେଣୁ ସେ ଓ ଯଶସ୍ୱୀ ଜୈସ୍ୱାଲ୍‌ ପାଳି ଆରମ୍ଭ କରିବା ନିଶ୍ଚିତ । ସାମସନ  ୩ନଂ ସ୍ଥାନରେ ଓ ରିୟାନ ପରାଗ ୪ନଂ  ସ୍ଥାନରେ ବ୍ୟାଟିଂ କରିବେ । ରାଜସ୍ଥାନ ରୟାଲ୍ସ ପେସ୍‌ ବୋଲର ଜୋଫ୍ରା ଆର୍ଚର  ଆହତ ହୋଇ ବାଦ ପଡ଼ିଥିବାରୁ ତାଙ୍କ  ସ୍ଥାନରେ ନାନ୍ଦ୍ରେ ବର୍ଗରଙ୍କୁ ଏକାଦଶରେ  ସ୍ଥାନ ମିଳିବ । 

ପଞ୍ଜାବ କିଙ୍ଗ୍‌ସ ଦଳରେ ମଧ୍ୟ ପରିବର୍ତ୍ତନ ହେବ । ଜୋସ ଇଂଲିଶ ଓ  ମାର୍କସ ଷ୍ଟଇନିସ୍‌ ଭାରତ ଫେରି ନାହାନ୍ତି ।  ତେଣୁ ପଞ୍ଜାବ କିଙ୍ଗ୍‌ସ ଆଜି ଇଂଲିଶଙ୍କ ସ୍ଥାନରେ ମିଚେଲ ଓଏନ ଓ  ଷ୍ଟଇନିସଙ୍କ ସ୍ଥାନରେ କେଲି ଜାମିସନଙ୍କୁ  ଖେଳାଇବା ଏକ ପ୍ରକାର ନିଶ୍ଚିତ । ଓଏନ ଓପନର ହୋଇଥିଲେ ହେଁ ମଧ୍ୟ କ୍ରମରେ  ବ୍ୟାଟିଂ କରିବେ । ପ୍ରଭସିମରନ ଓ  ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ଗଠିତ ଓପନିଂ  ବିଭାଗ ପରିବର୍ତ୍ତନ କରିବାକୁ ପଞ୍ଜାବ  କିଙ୍ଗ୍‌ସ ଚାହୁଁନାହିଁ । ଏହି ଯୋଡ଼ି ଚଳିତ  ଟୁର୍ଣ୍ଣାମେଣ୍ଟରେ ୫୩୪ ରନ୍‌ର ଭାଗିଦାରୀ  ଗଠନ କରିସାରିଛନ୍ତି । 

ଆଜି ଜୈସ୍ୱାଲ ଓ ଆର୍ଯ୍ୟଙ୍କ  ବ୍ୟାଟିଂ ଉପରେ ଦର୍ଶକଙ୍କ ନଜର ରହିବ । ଉଭୟ ପାୱାର ପ୍ଲେ’ରେ ଯଥାକ୍ରମେ  ୧୯ ଓ ୧୬ଟି ଲେଖାଏଁ ଛକା ମାରିଛନ୍ତି ।  ପାୱାର ପ୍ଲେ’ରେ ଆର୍ଯ୍ୟଙ୍କ ଷ୍ଟ୍ରାଇକ ରେଟ୍‌  ସର୍ବାଧିକ ୧୮୯ ରହିଛି ।  

ସୱାଇ ମାନସିଂ ଷ୍ଟାଡ଼ିୟମ୍‌ର ପିଚ୍‌  ବ୍ୟାଟିଂ ପାଇଁ ଅନୁକୂଳ ରହିଛି । ପୂର୍ବରୁ  କିଛି ମ୍ୟାଚ୍‌ ଖେଳ ହୋଇସାରିଥିବାରୁ  ଆଜି ପିଚ୍‌ ସାମାନ୍ୟ ମନ୍ଥର  ହେବ । ସ୍ପିନରମାନେ ପିଚ୍‌ର ଫାଇଦା  ଉଠାଇବେ । ଦିନ ବେଳା ସ୍ଥାନୀୟ  ତାପମାତ୍ରା ୪୨%ରେ ପହଞ୍ଚି ଯିବ । ତେଣୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ୱାଦଶ

ରାଜସ୍ଥାନ ରୟାଲ୍ସ :- ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ୍‌,  ସଞ୍ଜୁ ସାମସନ (ଅଧିନାୟକ),  ରିୟାନ ପରାଗ, ଧ୍ରୁବ ଜୁରେଲ,  ସିମରନ ହେତମାୟର, ଶୁଭମ  ଦୁବେ, ୱାନିଣ୍ଡୁ ହସରଙ୍ଗା, ମହୀଶ  ତୀକ୍ଷଣା, ତୁଷାର ଦେଶପାଣ୍ଡେ, ନାନ୍ଦ୍ରେ  ବର୍ଗର, ଆକାଶ ମଧୱାଲ ।

ପଞ୍ଜାବ କିଙ୍ଗ୍‌ସ :- ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ,  ଶ୍ରେୟାସ ଆୟର (ଅଧିନାୟକ),  ମିଚେଲ ଓଏନ, ନେହାଲ ୱଧେରା,  ଅଜମତୁଲ୍ଲା ଓମାରଜାଇ, ଶଶାଙ୍କ  ସିଂହ, ହରପ୍ରୀତ ବ୍ରାର, ମାର୍କୋ  ଜାନସେନ, ଅର୍ଶଦୀପ ସିଂହ,  ୟୁଝବେନ୍ଦ୍ର ଚହଲ, କେଲି ଜାମିସନ ।