ନୂଆଦିଲ୍ଲୀ ୦୩/୧୧: ଅସନା ଶୌଚାଳୟ ପାଇଁ ଯାତ୍ରୀଙ୍କୁ ମୋଟା ଅଙ୍କର କ୍ଷତିପୂରଣ ଦେବ ଭାରତୀୟ ରେଳବାଇ । ବିଶାଖାପଟ୍ଟନମ୍‌ର ଜିଲ୍ଲା ଉପଭୋକ୍ତା ଆୟୋଗ ଶୌଚାଳୟ ଅସନା ହୋଇଥିବା ଯୋଗୁ ଯାତ୍ରା ସମୟରେ ସାମ୍ନା କରିଥିବା ସମସ୍ୟା ପାଇଁ ଜଣେ ଯାତ୍ରୀ ଭି ମୂର୍ତ୍ତିଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଭାରତୀୟ ରେଳବାଇକୁ କହିଛନ୍ତି । 

୫୫ ବର୍ଷୀୟ  ଭି.ମୂର୍ତ୍ତି ପରିବାର ସହିତ ତିରୁପତିରୁ ଭାଇଜାଗ୍‌ର ଦୁଭାଡା ଯିବା ସମୟରେ ଟ୍ରେନ୍‌ରେ ଅସନା ଶୌଚାଳୟ,  ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ କାରଣରୁ ଶାରିରୀକ ଓ ମାନସିକ ଭାବେ ଅସୁବିଧା ଭୋଗିଥିଲେ । ସେଥିଯୋଗୁ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଦକ୍ଷିଣ ମଧ୍ୟ ରେଳବାଇକୁ ଆୟୋଗ କହିଛନ୍ତି । ଆଇନଗତ ଖର୍ଚ୍ଚ ବାବଦରେ ତାଙ୍କୁ ଆଉ ୫ ହଜାର ଟଙ୍କା ମିଳିବ । 

ଭି.ମୂର୍ତ୍ତି ତିରୁମାଲା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ତିରୁପତିରୁ ଦୁଭାଡା ଯିବାଲାଗି ଗତବର୍ଷ ନିଜ ସମେତ ପରିବାର ଲୋକଙ୍କ ଲାଗି ୪ଟି ଏସି ଟିକଟ କରିଥିଲେ । ସେମାନଙ୍କୁ ପ୍ରଥମେ ବି-୭ କୋଚ୍‌ରେ ବର୍ଥ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେସେମାନଙ୍କର ସିଟ୍‌ ପରିବର୍ତ୍ତନ ହୋଇଥିବା ନେଇ ତାଙ୍କୁ ମେସେଜ୍‌ ଆସିଥିଲା । ଶେଷରେ ଜୁନ୍‌ ୫,୨୦୨୩ରେ ମୂର୍ତ୍ତି ଓ ତାଙ୍କ ପରିବାର ତିରୁପତି ରେଳ  ଷ୍ଟେସନ୍‌ରୁ ଟ୍ରେନ୍‌ରେ ବସିଥିଲେ । ଯାତ୍ରା ସମୟରେ ସେମାନେ ଟ୍ରେନ୍‌ର ଶୌଚାଳୟ ବ୍ୟବହାର କରିବାକୁ  ଚାହିଁବାରୁ ସେଠାରେ ପାଣି ନଥିଲା । ଶୌଚାଳୟ ଅପରିଷ୍କାର ଥିବାବେଳେ ଏସି ଠିକ୍‌ ଭାବେ କାମ  କରୁନଥିଲା । ପୂରା ବଗି ଅସନା ଥିଲା । ମୂର୍ତ୍ତି ଏ ନେଇ  ଦୁଭାଡାସ୍ଥିତ ରେଳବିଭାଗର ଅଫିସ୍‌ରେ ଅଭିଯୋଗ  କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇନଥିଲା । ସରକାରୀ କୋଷରୁ କ୍ଷତିପୂରଣ  ପାଇବା ଲାଗି ମୂର୍ତ୍ତି ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ରେଳବିଭାଗ କହିଥିଲା ।

 ମୂର୍ତ୍ତିଙ୍କ ପରିବାର ରେଳବାଇ ପକ୍ଷରୁ ଦିଆଯାଇଥିବା ସୁବିଧାର ଉପଯୋଗ କରି ସୁରକ୍ଷିତ ଯାତ୍ରା କରିଥିବା ବିଭାଗ ଯୁକ୍ତି ଦର୍ଶାଇଥିଲା । ତେବେ  ଆୟୋଗ କିନ୍ତୁ ରେଳବାଇର ଯୁକ୍ତିକୁ ଗ୍ରହଣ କରିନଥିଲେ ।  ଆୟୋଗ ଦର୍ଶାଇଥିଲେ, ମୌଳିକ ସୁବିଧା ଯେପରିକି  ଶୌଚାଳୟ ଓ ଏସି କାମ କରିବାକୁ ସୁନିଶ୍ଚିତ କରିବା  ରେଲୱେର ଦାୟିତ୍ୱ । କାରଣ ରେଳବାଇ ଟିକଟ ବିକ୍ରି  କରି ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଲାଗି ପ୍ରତିଶ୍ରୁତି  ଦେଇଛି । ଏହି ମାମଲାରେ ଟ୍ରେନ୍‌ ମୌଳିକ ସୁବିଧାର  ଯାଞ୍ଚ୍‌ ନ କରି ଚାଲୁଥିବା ଆୟୋଗ ପ୍ରକାଶ କରିଥିଲେ ।