ନୂଆଦିଲ୍ଲୀ ୨୯/୧୦: ଭାରତୀୟ ନକ୍ଷତ୍ରବିଜ୍ଞାନୀଙ୍କୁ ବଡ଼ ସଫଳତା । ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ (ପିଆର୍ଏଲ୍) ର ବୈଜ୍ଞାନିକମାନେ ବାହ୍ୟଗ୍ରହ ବିଜ୍ଞାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆବିଷ୍କାର ବିଷୟରେ ଘୋଷଣା କରିଛନ୍ତି । ଉନ୍ନତ ପାରସ୍-୨ ସ୍ପେକ୍ଟ୍ରୋମିଟର ଜରିଆରେ ସେମାନେ ‘ଟିଓଆଇ-୬୬୫୧ବି’ ନାମକ ଗ୍ରହ ଚିହ୍ନଟ କରିଛନ୍ତି । ଏହା ଏକ ସଘନ, ଶନି ଗ୍ରହ ଆକାରବିଶିଷ୍ଟ ବାହ୍ୟଗ୍ରହ । ସୂର୍ଯ୍ୟ ଭଳି ଏକ ନକ୍ଷତ୍ର ଚତୁପାଶ୍ୱର୍ରେ ଏହା ପରିକ୍ରମା କରୁଛି ।
ପିଆର୍ଏଲ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ଏହା ୪ର୍ଥ ବାହ୍ୟଗ୍ରହ । ବିଶ୍ୱ ମହାକାଶ ଅନୁସନ୍ଧାନ ଜଗତକୁ ଭାରତର ବର୍ଦ୍ଧିତ ଯୋଗଦାନକୁ ଏହା ଦର୍ଶାଉଛି । ଟିଓଆଇ-୬୬୫୧ବି ଏକ ଅନନ୍ୟ ବାହ୍ୟଗ୍ରହ । ପୃଥିବୀର ଓଜନଠୁ ଏହାର ପ୍ରାୟ ୬୦ ଗୁଣ ଅଧିକ । ପୃଥିବୀ ତୁଳନାରେ ଏହାର ବ୍ୟାସ ହାରାହାରି ୫ ଗୁଣ ବିଶାଳ । ନକ୍ଷତ୍ରବିଜ୍ଞାନୀ ସମ୍ବୋଧନ କରୁଥିବା ‘ନେପ୍ଚୁନିଆନ୍ ଡେଜର୍ଟ’ର ଧାରରେ ଏହା ଅବସ୍ଥାନ କରିଛି । ଏହି କ୍ଷେତ୍ରରେ ଏଭଳି ଆକାରବିଶିଷ୍ଟ ଗ୍ରହ କ୍ୱଚିତ୍ ଦେଖାଯାଏ ।
ଟିଓଆଇ-୬୬୫୧ବିର ଆବିଷ୍କାର ଗ୍ରହ ଉତ୍ପତ୍ତି ଓ ବିକାଶ ଉପରେ ନୂଆ ତଥ୍ୟ ପ୍ରଦାନ କରିଛି । ନେପ୍ଚୁନିଆନ୍ ଡେଜର୍ଟ ଏକ ରହସ୍ୟମୟ କ୍ଷେତ୍ର । ସେଠାରେ ଏହି ଓଜନର ଖୁବ୍ କମ୍ ଗ୍ରହ ତିଷ୍ଠନ୍ତି । ତେଣୁ ଏ ପ୍ରକାର ଗ୍ରହ ସାଧାରଣତଃ ସେଠାରେ କାହିଁକି ଅବସ୍ଥାନ କରନ୍ତି ନାହିଁ, ତାହା ଯାଞ୍ଚ୍ କରିବା ଲାଗି ସଦ୍ୟ ଆବିଷ୍କାର ବିରଳ ସୁଯୋଗ ପ୍ରଦାନ କରିଛି । ସୁଦୂର ଗ୍ରହ ଟିଓଆଇ-୬୬୫୧ବି ସୂର୍ଯ୍ୟ ଭଳି ନିଜର ସଂଚାଳକ ନକ୍ଷତ୍ର ‘ଟିଓଆଇ-୬୬୫୧’ ଚତୁଃପାଶ୍ୱର୍ରେ ୫.୦୬ ଦିନ ଚକ୍ରରେ ପରିକ୍ରମା କରୁଛି । ଅର୍ଥାତ୍ ଏହାର ଗୋଟିଏ ବର୍ଷ ପୃଥିବୀର ଗୋଟିଏ ମାସର କେବଳ ଏକ ଅଂଶ ।
ଏହାର କକ୍ଷର ଆକୃତି ହାଲୁକା ଅଣ୍ଡାକୃତି, ଯାହା ତାକୁ ଆମ ସୌରମଣ୍ଡଳରେ ଶନି ଭଳି ବିଶାଳ ଗ୍ୟାସୀୟ ଗ୍ରହଠୁ ଭିନ୍ନ କରୁଛି । ଏହାର ସଂଚାଳକ ନକ୍ଷତ୍ର ଟିଓଆଇ-୬୬୫୧ ଏକ ଜି-ପ୍ରକାର ବିଶାଳ ନକ୍ଷତ୍ର, ଯାହା ଆମ ସୂର୍ଯ୍ୟଠୁ ଟିକିଏ ବଡ଼ ଓ ଅଧିକ ଉତ୍ତପ୍ତ । ଏହାର ପୃଷ୍ଠ ତାପମାତ୍ରା ପ୍ରାୟ ୫୯୪୦ କେଲ୍ଭିନ । ବାହ୍ୟଗ୍ରହର ଉଚ୍ଚ ଘନତ୍ୱ ଦର୍ଶାଉଛି ଯେ ଏହାର ପ୍ରାୟ ୮୭ ପ୍ରତିଶତ ଅଂଶ ପଥୁରିଆ ଓ ଲୌହ-ସମୃଦ୍ଧ ଉପାଦାନରେ ଗଠିତ । ବାକି ଅଂଶ ହାଇଡ୍ରୋଜେନ୍ ଓ ହିଲିୟମ୍ର ହାଲୁକା ଆସ୍ତରଣ ସୃଷ୍ଟି କରୁଛି ।
ଏହାର ସଘନ ଢାଞ୍ଚାରୁ ଜଣାପଡୁଛି, ଟିଓଆଇ୬୬୫୧ବି ଅନନ୍ୟ ବିକାଶ ପ୍ରକ୍ରିୟା ଦେଇ ଗତି କରିଥିବ । ଅନ୍ୟ ବସ୍ତୁ ସହିତ ଏହାର ବିଲୟ ହୋଇଥିବ କିମ୍ବା ଉତ୍ତାପର ପ୍ରଭାବ ଯୋଗୁ ନିଜର ମୂଳ ବାୟୁମଣ୍ଡଳକୁ ଏହା ହରାଇ ଦେଇଥିବ । ଏହି ଗ୍ରହର ଆବିଷ୍କାର ବର୍ତ୍ତମାନର ଗ୍ରହ ଉତ୍ପତ୍ତି ତଥ୍ୟକୁ ଚ୍ୟାଲେଞ୍ଜ୍ ଦେଇଛି । ଏଭଳି ବିଶାଳ ଓ ସଘନ ଗ୍ରହର ଉତ୍ପତ୍ତି ଓ ବିକାଶ କିଭଳି ହେଲା, ତା’ ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ସବିଶେଷ ଅଧ୍ୟୟନ ଦ୍ୱାରା ଗ୍ରହୀୟ ପ୍ରଣାଳୀକୁ ଆକାର ଦେଇଥିବା ଜଟିଳ ପ୍ରକ୍ରିୟା ବିଷୟରେ ନୂଆ ତଥ୍ୟ ହାସଲ କରିବେ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି।