ନୂଆଦିଲ୍ଲୀ,୨୨/୧୨; ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ନିଆଁରେ ଫସିଛନ୍ତି ଭାରତୀୟ । ସେନାରେ ଯୋଗ ଦିଅ ଆଉ ଯୁଦ୍ଧ ଲଢ଼ । ନଚେତ ଡ୍ରଗ୍ସ ମାମଲାରେ ଫସାଇଦେବୁ । ରୁଷ ସେନାରେ ଯୋଗ ଦେବା ପାଇଁ ବାଧ୍ୟ କରାଯିବା ଓ ପାଠ ପଢିବାକୁ ଯାଇଥିବା ଜଣେ ଛାତ୍ରଙ୍କୁ କିଭଳି ଅକଥନୀୟ ନିର୍ଯାତନା ଦିଆଯାଉଛି ତାହାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଗୁଜରାଟ ନିବାସୀ ଛାତ୍ର ସାହିଲ ମହମ୍ମଦଙ୍କୁ କିପରି ବଳପୂର୍ବକ ରୁଷ ସେନାରେ ସାମିଲ ହେବାକୁ ବାଧ୍ୟ କରାଯାଉଛି ଏକ ଭିଡିଓରେ କହିଛନ୍ତି । ସେଠାରୁ ମୁକୁଳିବାକୁ ସରକାରଙ୍କୁ ସାହାଯ୍ୟ କରିବାକୁ ଗୁହାରୀ କରିଛନ୍ତି ।
ଛାତ୍ରଙ୍କ କହିବା କଥା ଯେ ସେ ପଢିବା ପାଇଁ ରୁଷ ଯାଇଥିଲେ, କିନ୍ତୁ ତାଙ୍କୁ ବଳପୂର୍ବକ ରୁଷ ସେନାରେ ଭର୍ତ୍ତି କରାଯାଇ ୟୁକ୍ରେନ ସୀମାକୁ ପଠାଯାଇଥିଲା । ଯେତେବେଳେ ସେ ପ୍ରତିବାଦ କଲେ, ତାଙ୍କୁ ମିଥ୍ୟା ଅଭିଯୋଗରେ ଧମକ ଦିଆଯାଇଥିଲା। ଯୁବକ ଜଣଙ୍କୁ ସେନାରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିଲା ଏବଂ ବର୍ତ୍ତମାନ ସେ ୟୁକ୍ରେନ ସୀମାରେ ଅଛନ୍ତି, ଯେଉଁଠାରୁ ସେ ଏକ ଭିଡିଓ ପଠାଇଥିଲେ, ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କରି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ଗୁଜରାଟର ମୋର୍ବି ଜିଲ୍ଲାର ବାସିନ୍ଦା ସାହିଲ ମହମ୍ମଦ ହୁସେନ ୟୁକ୍ରେନରୁ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି । ସେ ଭାରତୀୟମାନଙ୍କୁ ରୁଷ ସେନାରେ ଯୋଗ ନଦେବାକୁ ଅନୁରୋଧ କରିଛନ୍ତି ।
କିପରି ଫସିଗଲେ ସାହିଲ ? ଗୁଜରାଟ ନିବାସୀ ସାହିଲ ୨୦୨୪ରେ ଷ୍ଟୁଡେଣ୍ଟ ଭିସାରେ ରୁଷ୍ ଯାଇଥିଲେ । ରୁଷରେ ପାଠପଢ଼ୁଥିବା ସମୟରେ ସେ ଏକ କୋରିଅର କମ୍ପାନୀରେ ପାର୍ଟ ଟାଇମ କାମ କରୁଥିଲେ। ଗୋଟିଏ ଦିନ, ରୁଷ ପୁଲିସ ତାଙ୍କୁ ଗିରଫ କରି ଏକ ମିଥ୍ୟା ଡ୍ରଗ୍ସ ମାମଲାରେ ଫସାଇ ଦେଇଥିଲେ । ଯେତେବେଳେ ସେ ତାଙ୍କର କାଗଜପତ୍ର ଦେଖାଇଲେ, ତାଙ୍କୁ ରୁଷ ସେନାରେ ଯୋଗଦେବାର ସର୍ତ୍ତରେ ମୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତାଙ୍କୁ ରୁଷ ଚୁକ୍ତି ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା, ଏବଂ ୧୫ ଦିନର ତାଲିମ ପରେ, ରୁଷ ସେନା ତାଙ୍କୁ ସୀମାକୁ ପଠାଇ ଦେଇଥିଲା । ନିଜକୁ ନିର୍ଦ୍ଦେଶ ପ୍ରମାଣିତ କରିବାକୁ ସାହିଲଙ୍କ ପାଖରେ ଆଉ କୌଣସି ବାଟ ନଥିଲା । ଶେଷରେ ସାହିଲ ସେନାର ପ୍ରସ୍ତାବ ସ୍ୱୀକାର କରିଥିଲେ । ବର୍ତ୍ତମାନ ୟୁକ୍ରେନ ହେପାଜତରେ ଥିବା ସାହିଲ ସୁରକ୍ଷିତ ଘରକୁ ଫେରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।