ନୂଆଦିଲ୍ଲୀ,୧୯/୧୨: ସମ୍ପ୍ରତି ସୁନା ଦର ବଢ଼ି ବଢ଼ି ଚାଲିଛି । ଏଭଳି ସ୍ଥିତିରେ ଭାରତୀୟମାନେ ହାଲୁକା ଏବଂ କମ୍ କ୍ୟାରେଟ୍ର ଗହଣା କିଣୁଛନ୍ତି । ବଜେଟ୍କୁ ଆଖି ଆଗରେ ରଖି ଏମାନେ ସୁନାରେ ଖର୍ଚ୍ଚ କମ୍ କରୁଥିବା ଶିଳ୍ପ ଅଧିକାରୀମାନେ ସୂଚନା ଦେଇଛନ୍ତି । ବିବାହ ଋତୁ ଚାଲିଥିବାବେଳେ ପରିବାରଗୁଡ଼ିକ ନିଜ ଝିଅ ତଥା ବୋହୁଙ୍କୁ ସୁନା ଗହଣା ଉପହାର ଦେବାବେଳେ ଗହଣାର ଗ୍ରାମ୍ ପରିମାଣ କମାଇ ଦେଉଛନ୍ତି । ୮୦ ଗ୍ରାମ ଦେବା ପାଇଁ ଚାହୁଁଥିବା ପରିବାର ୫୦ ଗ୍ରାମରେ କାମ ଚଳାଉଛନ୍ତି । ବିଶ୍ୱର ଦ୍ୱିତୀୟ ବୃହତ୍ ସୁନା କ୍ରେତା ଭାବେ ଜଣା ଭାରତରେ ଚଳିତବର୍ଷ ଏଯାବତ୍ ସୁନା ଦର ୨୨% ବୃଦ୍ଧି ପାଇଛି । ଏହା ୨୦୨୩ରେ ୧୫% ବଢ଼ିଥିଲା । ଅଧିକାଂଶ ଭାରତୀୟ ପାରମ୍ପରିକ ଗହଣା ପସନ୍ଦ କରିଥାନ୍ତି କିନ୍ତୁ ଏବେ ସେମାନେ ନିଜ ବଜେଟ୍କୁ ଖାପ ଖାଇଲା ଭଳି ହାଲୁକା ଡିଜାଇନ୍ ଗହଣା କିଣିବା ପାଇଁ ବାଧ୍ୟ ହେଉଥିବା ଗହଣା ରିଟେଲର ନେମିଚାନ୍ଦ ବାମାଲ୍ୱା ଆଣ୍ଡ୍ ସନ୍ସର ପାର୍ଟନର ବଚରାଜ୍ ବାମାଲ୍ୱା ପ୍ରକାଶ କରିଛନ୍ତି ।
ତେବେ ବର୍ତ୍ତମାନ ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ସୋ’ରୁମ୍ ପକ୍ଷରୁ ହାଲୁକା ଗହଣାର ବ୍ୟାପକ ଡିଜାଇନ୍ ଅଣାଯାଉଥିବା ସେ କହିଛନ୍ତି । ମାନୁଫ୍ୟାକ୍ଚରିଂ ଟେକ୍ନୋଲୋଜିରେ ବ୍ୟାପକ ଅଗ୍ରଗତି ଯୋଗୁ ଏବେ ଗହଣା ନିର୍ମାତାମାନେ ହାଲୁକା ଓଜନରେ ପାରମ୍ପରିକ ଡିଜାଇନ୍ ଆଣିବାରେ ସକ୍ଷମ ହେଉଥିବା ୱାର୍ଲଡ ଗୋଲ୍ଡ କାଉନସିଲର ଭାରତୀୟ କାରବାର ସିଇଓ ସଚିନ ଜୈନ ପ୍ରକାଶ କରିଛନ୍ତି । ମହଙ୍ଗା ଦରକୁ ଦୃଷ୍ଟିରେ ରଖି ଗ୍ରାହକ ୨୨ କ୍ୟାରେଟ୍ ବଦଳରେ ୧୮ କ୍ୟାରେଟ୍ ଗହଣା କିଣୁଥିବା ଶିଳ୍ପ ଅଧିକାରୀମାନେ ସୂଚନା ଦେଇଛନ୍ତି । ଭାରତୀୟମାନେ ସାଧାରଣତଃ ୨୨ କ୍ୟାରେଟ୍ ସୁନାରେ ତିଆରି ଗହଣା ପସନ୍ଦ କରିଥାନ୍ତି, ଯେଉଁଥିରେ ୯୧.୭% ଶୁଦ୍ଧ ସୁନା ଥାଏ । ଅନ୍ୟପକ୍ଷରେ, ୧୮ କ୍ୟାରେଟ୍ ସୁନାରେ ୭୫% ଶୁଦ୍ଧ ସୁନା ଥାଏ ଏବଂ ୨୫% ଅନ୍ୟ ଧାତବ । ୧୮ କ୍ୟାରେଟ୍ ସୁନା ଦର ୨୨ କ୍ୟାରେଟ୍ ତୁଳନାରେ ପ୍ରାୟ ଏକ ପଞ୍ଚମାଂଶ କମ୍ ରହିଥାଏ । କମ୍ ଦର ଏବଂ ଦୀର୍ଘସ୍ଥାୟିତ୍ୱ ଯୋଗୁ ସମ୍ପ୍ରତି ୧୮ କ୍ୟାରେଟ୍ ସୁନା ଗହଣାର ଲୋକପ୍ରିୟତା ବଢ଼ିଛି । ମୋଟ ବିକ୍ରିରେ ଏହାର ଭାଗ ୧୫% ପାର୍ କରିଥିବା ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ର ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା ପ୍ରକାଶ କରିଛନ୍ତି । ଏହା ଦୁଇବର୍ଷ ତଳେ ୫ରୁ ୭% ମଧ୍ୟରେ ଥିଲା ।